ETV Bharat / business

ଅର୍ଥନୀତି ଅଭିବୃଦ୍ଧି ପାଇଁ ମହତ୍ତ୍ବପୂର୍ଣ୍ଣ ଉପଭୋକ୍ତାଙ୍କ ବିଶ୍ବାସ - PUMP UP THE CONFIDENCE

author img

By ETV Bharat Odisha Team

Published : May 8, 2024, 3:15 PM IST

Pump Up The Confidence: ୨୦୨୪ ବର୍ଷରେ ଭାରତର GDP ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୫ରେ ଏହି ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ୬.୫ ପ୍ରତିଶତ ରହିପାରେ, ଯାହା ଚୀନ ସମେତ ଅନ୍ୟ ପ୍ରମୁଖ ଅର୍ଥନୀତିକୁ ପଛରେ ପକାଇପାରେ । କିନ୍ତୁ ଏହି ଅନୁମାନିତ ଅଭିବୃଦ୍ଧି ବଜାୟ ରହିବା କ୍ଷେତ୍ରରେ ଉପଭୋକ୍ତା ବିଶ୍ବାସ ସୂଚକାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକ ଗ୍ରହଣ କରେ । ଏହା କେମିତି, ସେନେଇ ପଢନ୍ତୁ ସେଣ୍ଟର ଫର ଫ୍ୟାମିଲି ବିଜନେସ ଆଣ୍ଡ ଏଣ୍ଟରପ୍ରେନିୟରସିପର ଫାଇନାନ୍ସ ଆଣ୍ଡ ଇକୋନୋମିକ୍ସ ଡାଇରେକ୍ଟର ପ୍ରଫେସର ତୁଲସୀ ଜୟଶଙ୍କରଙ୍କ ଏହି ଆଲେଖ୍ୟ

ଅର୍ଥନୀତି ଅଭିବୃଦ୍ଧି ପାଇଁ ମହତ୍ତ୍ବପୂର୍ଣ୍ଣ ଉପଭୋକ୍ତାଙ୍କ ବିଶ୍ବାସ
ଅର୍ଥନୀତି ଅଭିବୃଦ୍ଧି ପାଇଁ ମହତ୍ତ୍ବପୂର୍ଣ୍ଣ ଉପଭୋକ୍ତାଙ୍କ ବିଶ୍ବାସ (ETV Bharat Odisha)

ହାଇଦ୍ରାବାଦ: ଦେଶରେ ଷ୍ଟକ ବଜାର କାରବାର ଉତ୍ସାହଜନକ ରହିଛି । ୨୦୨୩ ଏପ୍ରିଲରୁ ୨୦୨୪ ଏପ୍ରିଲ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୨୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଏପ୍ରିଲରେ ସେନ୍ସସେକ୍ସ ୬୧,୧୧୨.୪୪ ପଏଣ୍ଟ ଥିବାବେଳେ ୨୦୨୪ ଏପ୍ରିଲରେ ୭୪,୪୮୨.୭୮ ପଏଣ୍ଟ ବୃଦ୍ଧି ରେକର୍ଡ କରିଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଦୃଢ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି । ୨୦୨୪ ଏପ୍ରିଲ ପାଇଁ ୱାର୍ଲ୍ଡ ଇକୋନୋମିକ ଆଉଟଲୁକ ଆକଳନରୁ ମଧ୍ୟ ଏହା ପ୍ରମାଣିତ ହୋଇସାରିଛି, ଯାହାକି ୨୦୨୪ ଏବଂ ୨୦୨୫ ପାଇଁ ଅବଶିଷ୍ଟ ବିଶ୍ବରେ ନୈରାଶ୍ୟଜନକ ଭାବେ କମ୍ ଅଭିବୃଦ୍ଧି ହାର ଭିତରେ ଏକ ସ୍ଥିର ଭାରତର ଆକଳନ କରିଛି ।

୨୦୨୪ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୫ରେ ଏହି ଅଭିବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ୬.୫ ପ୍ରତିଶତ ରହିପାରେ, ଯାହା ଚୀନ ସମେତ ଅନ୍ୟ ପ୍ରମୁଖ ଅର୍ଥନୀତିକୁ ପଛରେ ପକାଇପାରେ । କିନ୍ତୁ ଏଠି ବଡ ପ୍ରଶ୍ନ ହେଲା, ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷ ସଙ୍ଗେ ସଙ୍ଗେ ଆସନ୍ତା ବର୍ଷରେ ମଧ୍ୟ ଏହି ଅନୁମାନିତ ବିକାଶ ହାର ବଜାୟ ରଖିପାରିବ ବୋଲି ଆମେ କେତେ ନିଶ୍ଚିତ ହୋଇପାରିବା ? ଧରାଯାଉ, ଏହି ପ୍ରଶ୍ନ ଦେଶର ପଲିସି ମେକରଙ୍କୁ ଅମିତାଭ ବଚ୍ଚନ ନିଜର ଲୋକପ୍ରିୟ ଟିଭି ଶୋ'ରେ ପଚାରିଲେ, '' ଆପଣ ନିଶ୍ଚିତ ? ଇସେ ଲକ୍ କିୟା ଜାୟେ (ଏହାକୁ ଲକ୍ କରିବା) ?'' ତାହେଲେ ଏନେଇ ସେମାନଙ୍କ କ'ଣ ଜବାବ ରହିବ ? ଅନୁମାନିତ ବିକାଶ ହାର ବଜାୟ ରହିବା ନେଇ ସେମାନେ ନିଶ୍ଚିତ ବୋଲି କହିପାରିବେ ତ ?

ଏଥିରୁ ଏମିତି ପ୍ରତୀତ ହୋଇଥାଏ ଯେ, ଅର୍ଥନୈତିକ ଅଭିବୃଦ୍ଧି ମୂଲ୍ୟାଙ୍କନ ପାଇଁ ଉପଭୋକ୍ତଙ୍କ ବିଶ୍ବାସ ଏବଂ ଏହାର ଭୂମିକା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉନି । ଏହିଭଳି ଉପଭୋକ୍ତାଙ୍କ ବିଶ୍ବାସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଦ୍ବିମାସିକ ମୁଦ୍ରୀନୀତି ଆଧାରରେ ଟ୍ରାକ କରାଯାଇଥାଏ ଏବଂ ଏଥିରେ ଉତ୍ତରଦାତାଙ୍କ ରିପ୍ରେଜଣ୍ଟେଟିଭ ସାମ୍ପୁଲରୁ ସାଧାରଣ ଆର୍ଥିକ ସ୍ଥିତି, ନିଯୁକ୍ତି ପରିଦୃଶ୍ୟ, ଦରଦାମ, ଆୟ ଏବଂ ବ୍ୟୟକୁ ନେଇ ତାଙ୍କର ବର୍ତ୍ତମାନର ଆକଳନ ଏବଂ ଆଗାମୀ ଏକ ବର୍ଷର ଆଶା ଆକାଂକ୍ଷା ସମ୍ପର୍କରେ ପ୍ରଶ୍ନ ସାମିଲ ସାମିଲ ରହିଥାଏ ।

ଅର୍ଥନୈତିକ ଅଭିବୃଦ୍ଧି ଆକଳନ କ୍ଷେତ୍ରରେ ଉପଭୋକ୍ତା ବିଶ୍ବାସ ସୂଚକାଙ୍କ (Consumer Confidence Index) ଏକ ପ୍ରମୁଖ ଇଣ୍ଡିକେଟର ଅଟେ । ଲୋକମାନେ ନିଜର ପ୍ରତ୍ୟାଶିତ ଆର୍ଥିକ ସ୍ଥିତିକୁ ନେଇ କେତେ ଆଶାବାଦୀ ଏବଂ ନିରାଶବାଦୀ, ତାହା ଏହି ସୂଚକାଙ୍କ ଦର୍ଶାଇଥାଏ । ଉପଭୋକ୍ତା ବିଶ୍ବାସ ସୂଚକାଙ୍କରୁ ନୀତି ନିର୍ମାତାମାନେ (ପଲିସି ମେକର) ପରିବାରଗୁଡିକର ଉପଭୋଗ ଏବଂ ସଞ୍ଚୟ ଭିତ୍ତିକରି ଭବିଷ୍ୟତର ବିକାଶ ସମ୍ପର୍କରେ ସୂଚନା ପାଇଥାନ୍ତି । ଏହି ସୂଚକାଙ୍କରେ ୧୦୦ରୁ ଊର୍ଦ୍ଧ୍ବ ସ୍କୋର ଉପଭୋକ୍ତାଙ୍କ ଆଶାବାଦୀ ତଥା ସଞ୍ଚୟ ବଦଳରେ ଖର୍ଚ୍ଚ କରିବାର ପ୍ରବୃତ୍ତିକୁ ଦର୍ଶାଏ । ୧୦୦ରୁ କମ୍ ସ୍କୋର ନିରାଶବାଦୀକୁ ଦର୍ଶାଇଥାଏ ।

ତେବେ ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଭୋକ୍ତାଙ୍କ ବିଶ୍ବାସ ଉନ୍ନତ ହୋଇଛି ଏବଂ ୨୦୧୯ ମଧ୍ୟଭାଗ ପରେ ଏହି ବିଶ୍ବାସ ସର୍ବୋଚ୍ଚ ସ୍ତରରେ ରହିଛି । ତେବେ ୨୦୨୧ ମେ'ରେ ଉପଭୋକ୍ତ ବିଶ୍ବାସ ସୂଚକାଙ୍କ ହ୍ରାସ ପାଇ ୪୮.୫ ପ୍ରତିଶତକୁ ଖସି ଆସିଥିଲା, ଯାହାକି ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ଥିଲା । ବର୍ତ୍ତମାନ ଏହି ସୂଚକାଙ୍କ ୯୮.୫ ରହିଛି । ଯେହେତୁ ସୂଚକାଙ୍କ ସ୍କୋର ୧୦୦ରୁ କମ୍ ରହିଛି, ତେଣୁକରି ଏହା ଅର୍ଥବ୍ୟବସ୍ଥାରେ ଉପଭୋକ୍ତାଙ୍କ ନିରାଶବାଦୀ ଭାବନାକୁ ଦର୍ଶାଉଛି । ଅନ୍ୟପଟେ ଫ୍ୟୁଚର ଏକ୍ସପେଟେସନ ଇଣ୍ଡେକ୍ସ ବା ଭବିଷ୍ୟତ ପ୍ରତ୍ୟାଶା ସୂଚକାଙ୍କ ୧୨୫.୨ରେ କାଏମ ରହିଛି । ଉପଭୋକ୍ତା ଆସନ୍ତା ବର୍ଷକୁ ନେଇ ଅଧିକ ଆଶ୍ବସ୍ତ ଥିବା ଏହା ଦର୍ଶାଉଛି । ୨୦୨୧ ମେ'ରେ ଏହି ସଂଖ୍ୟା ୯୬.୪ ଭ୍ୟାଲୁ ସହ ନିରାଶବାଦୀ ସ୍ତରକୁ ଖସି ଆସିଥିଲା ।

୨୦୨୩ ମାର୍ଚ୍ଚରୁ ୨୦୨୪ ଜାନୁଆରୀ ମଧ୍ୟରେ ସାମ୍ପ୍ରତିକ ଆର୍ଥିକ ସ୍ଥିତି ନେଇ ଉପଭୋକ୍ତାଙ୍କ ଧାରଣା ନକରାତ୍ମକ ଥିଲା । ତେବେ ମାର୍ଚ୍ଚ ୨୦୨୪ରେ ଏଥିରେ ସୁଧାର ଆସି ସକରାତ୍ମକ ହୋଇଥିଲା । ସେହିପରି ରୋଜଗାର ସମ୍ବନ୍ଧିତ ଧାରଣା ଯାହା ଏହି ଅବଧି ମଧ୍ୟରେ ନକରାତ୍ମକ ଥିଲା ତାହା ମାର୍ଚ୍ଚ ୨୦୨୪ରେ ଶୂନ୍ୟରେ ପହଞ୍ଚିଥିଲା । ଅର୍ଥାତ୍ ଲୋକମାନେ ରୋଜଗାର ସୃଷ୍ଟି ନେଇ ଅଧିକ ଆଶାବାଦୀ ରହିଥିଲେ । କିନ୍ତୁ ମୂଲ୍ୟ ସ୍ଥିତି ଏବଂ ଦରଦାମକୁ ନେଇ ଲୋକଙ୍କ ଧାରଣା ନକରାତ୍ମକ ହିଁ ରହିଥିଲା, ହେଲେ ପୂର୍ବ ତୁଳନାରେ ଏଥିରେ ଉନ୍ନତି ଆସିଥିଲା । ଉପଭୋକ୍ତା ଆବଶ୍ୟକ ବସ୍ତୁ କ୍ଷେତ୍ରରେ ଖର୍ଚ୍ଚକୁ ନେଇ ଆଶାବାଦୀ ଅଛନ୍ତି, ହେଲେ ଅଣ-ଅତ୍ୟାବଶ୍ୟକୀୟ ବସ୍ତୁରେ ଖର୍ଚ୍ଚ କରିବାକୁ ଆଗ୍ରହୀ ହେଉନାହାନ୍ତି ।

ସେହିଭଳି ପରଚେଜିଂ ମ୍ୟାନେଜରର୍ସ ଇଣ୍ଡେକ୍ସ ଦ୍ବାରା ମପା ଯାଉଥିବା ବ୍ୟବସାୟିକ ବିଶ୍ବାସ (business confidence) ୨୦୨୪ ଏପ୍ରିଲରେ ୫୮.୮ ପ୍ରତିଶତ ସର୍ବଧିକ ରେକର୍ଡ ହୋଇଛି । ତଥାପି ଏପ୍ରିଲରେ PMI ଭ୍ୟାଲୁ, ଗତବର୍ଷ (୫୯.୧) ଅପେକ୍ଷା କମ୍ ରହିଛି । ଏହା ଦର୍ଶାଉଛି ଯେ, ମଜଭୁତ ଚାହିଦା ସ୍ଥିତିରୁ ବ୍ୟବସାୟିକ ଭାବନାକୁ ବଳ ମିଳିଛି ।

ଭାରତ ମୁଖ୍ୟତଃ ଉପଭୋକ୍ତା ସଞ୍ଚାଳିତ ଅର୍ଥବ୍ୟବସ୍ଥା ଅଟେ, ଯେଉଁଥିରେ ନାମମାତ୍ର ଘରୋଇ ଉତ୍ପାଦ ବା ନୋମିନାଲ ଜିଡିପିର ୬୦ ପ୍ରତିଶତ ଉପଭୋଗରୁ ଆସିଥାଏ । ଏହି ଉପଭୋଗ ମୁଖ୍ୟ ରୂପେ ଉପଭୋକ୍ତାର ଡିସପୋଜେବୁଲ ଆୟ (ଟିକସ ଦେବା ପରେ ଅବଶିଷ୍ଟ ଆୟ) ଉପରେ ନିର୍ଭର କରେ । ଏହାବ୍ୟତୀତ ଏହି ଉପଭୋଗ ଉପଭୋକ୍ତାର ବିଶ୍ବାସ ଉପରେ ମଧ୍ୟ ନିର୍ଭର କରେ, ଯାହାକି ଅନିଶ୍ଚିତ କାଳରେ ଉପଭୋଗ ମାତ୍ରା ହ୍ରାସର ଏକ ପ୍ରମୁଖ କାରଣ ହୋଇଥାଏ । ଅର୍ଥାତ୍ ଯଦି ଜଣେ ଉପଭୋକ୍ତା ଭାବେ, ଭବିଷ୍ୟତରେ କିଛି ଖରାପ ସ୍ଥିତି ଆସିବ କିମ୍ବା ତା'ର ରୋଜଗାର ପ୍ରଭାବିତ ହେବ, ତାହେଲେ ସେ ନିଜର ଉପଭୋଗ ହ୍ରାସ କରିଥାଏ । ଦ୍ରବ୍ୟସେବା କ୍ଷେତ୍ରରେ ନିଜର ଖର୍ଚ୍ଚ କମ୍ କରିଥାଏ । ଏହାଦ୍ବାରା ଦେଶର ଅର୍ଥନୈତିକ ଗତିବିଧି ପ୍ରଭାବିତ ହୋଇଥାଏ ।

ଉପଭୋକ୍ତାଙ୍କ ଖର୍ଚ୍ଚ କମିଲେ, ଚାହିଦା ମଧ୍ୟ ହ୍ରାସ ପାଏ । ଅନୁରୂପ ଭାବେ ଯୋଗାଣ ଓ ଉତ୍ପାଦନରେ ମଧ୍ୟ ହ୍ରାସ ଆସେ । ଫଳରେ ଦେଶରେ ମାନ୍ଦାବସ୍ଥା ସଙ୍କଟ ଘନେଇବା ସହ ଅର୍ଥନୈତିକ ଅଭିବୃଦ୍ଧିର ଗତି ଧିମେଇ ଯାଏ । ତେଣୁକରି ପଲିସି ମେକରମାନେ ସେମାନଙ୍କର ଅର୍ଥନୈତିକ ମୂଲ୍ୟାଙ୍କନ ଏବଂ ଘୋଷଣାନାମାରେ ଉପଭୋକ୍ତାଙ୍କ ବିଶ୍ବାସ ସୂଚକାଙ୍କକୁ ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବା ଆବଶ୍ୟକ । ପଲିସି ମେକର୍ସଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ବଲ୍ ଉପରେ ନଜର ରଖନ୍ତୁ ଏବଂ ଯେତେବେଳେ ସେମାନେ କହିବେ ଅର୍ଥବ୍ୟବସ୍ଥା ! ନିଶ୍ଚିତ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.