ETV Bharat / state

ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ, BSKYଠୁ ବିଶ୍ବସ୍ତରୀୟ ହବ୍ ସବୁଥିରେ ନମ୍ବର-1

author img

By ETV Bharat Odisha Team

Published : Dec 28, 2023, 9:15 PM IST

Updated : Dec 29, 2023, 9:57 AM IST

Health year Ender 2023
Health year Ender 2023

Health year Ender 2023: ଚଳିତ ବର୍ଷ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। BSKY ଠାରୁ ନେଇ ଓ୍ବାନ ହେଲଥ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଶିଖର ଛୁଇଁଥିଲା ଓଡିଶା। ତେବେ 2023ର ଫର୍ଦ୍ଦରେ ନଜର ପକାନ୍ତୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବିରଳ ଉପଲବ୍ଧି...

ଭୁବନେଶ୍ବର: ଆଉ ମାତ୍ର ଦୁଇ ଦିନ.. ବାୟ ବାୟ 2023-ଓ୍ବେଲକମ 2024 କହିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି। ବର୍ଷ ସିନା ଚାଲିଯିବ ହେଲେ ରହିଯିବ ଅଭୁଲା ସ୍ମୃତି। ଚଳିତ ବର୍ଷ ବିକାଶ ସ୍ରୋତରେ ଆଗେଇ ଚାଲିଥିଲା ଓଡିଶା। ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ସଫଳତା ହାତେଇଛି ରାଜ୍ୟ, ଯୋଡି ହୋଇଛି ନୂଆ ଫର୍ଦ୍ଦ। ଡାକ୍ତର ନିଯୁକ୍ତି ଭଳି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ସଫଳତା ହାତେଇଛନ୍ତି । ଚଳିତ ବର୍ଷ ଅନେକ ରୋଗ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ସଫଳତାର ସହିତ ମୁକାବିଲା ମଧ୍ୟ କରାଯାଇଥିଲା। ସେ ବିସକେଓ୍ବାଇ ହେଉ କିମ୍ବା ଏସସିବି ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ହବ୍...ଓଡିଶା ପାଇଛି ଅନେକ ସଫଳତା..ନଜର ପକାନ୍ତୁ ଚଳିତ ବର୍ଷର ଫର୍ଦ୍ଦ ଉପରେ...



ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଉନ୍ନତ ମାନର ଯୋଗାଇ ଦିଆଯାଉଛି। ସରକାରୀ ହସ୍ପିଟାଲରେ ଘରୋଇ ହସ୍ପିଟାଲ ଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଏପରିକି ଗରିବ ଲୋକଙ୍କ ପାଇଁ ବିଏସକେୱାଇ ପାଲଟିଛି ସ୍ୱାସ୍ଥ୍ୟ ସେବାରେ ସାହାରା। ଏହା ଏକ ପ୍ରକାର ସଞ୍ଜିବନି କହିଲେ ମଧୟ ଅତ୍ୟୁକ୍ତି ହେବ ନାହିଁ। ଏପଟେ ହସ୍ପିଟାଲକୁ ଆଧୁନୀକରଣ କରିବା ଭିତ୍ତିଭୂମି ସଜାଡ଼ିବା ପାଇଁ ୫ ଟିର ମଧ୍ୟ ଉପଯୋଗ ହୋଇଥିଲା। ଓଡ଼ିଶାର ସ୍ୱାସ୍ଥ୍ୟ ମଡେଲକୁ ଅପଣାଉଛନ୍ତି ବାହାର ରାଜ୍ୟ। ମାଗଣାରେ ହାତ ପହନ୍ତାରେ ମିଳୁଛି ବିଭିନ୍ନ ଚିକିତ୍ସା। ଏପଟେ ରୋଗୀ ସେବା କରିବା ପାଇଁ ଆରମ୍ଭ ହୋଇଛି ମଡ୍ୟୁଲାର ଓଟି। ଗୋଟିଏ ପରେ ଗୋଟିଏ ତିନୋଟି ନୂଆ ମେଡ଼ିକାଲ କଲେଜ୍ ଖୋଲାଯାଇଛି। ଏପଟେ ଅନେକ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି। ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜଭୁତ କରିବାକୁ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ନିଯୁକ୍ତି ପାଇଛନ୍ତି। ଏହା ସମେତ ଓଡ଼ିଶାରେ ଖୋଲିଲା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ।

ଏହା ମଧ୍ୟ ପଢନ୍ତୁ: Odisha Budget 2023: ସ୍ବାସ୍ଥ୍ୟ ପାଇଁ ୧୬ହଜାର ୪୮କୋଟି ଟଙ୍କା ବ୍ୟୟ ବରାଦ, କମିବ ଆମ୍ବୁଲାନ୍ସ ପହଞ୍ଚିବା ସମୟ



1. ଆମ ହସ୍ପିଟାଲ ଯୋଜୋନା : ରାଜ୍ୟରେ ବଦଳିବ ସ୍ୱାସ୍ଥ୍ୟ ସେବାର ଚିତ୍ର। ଘରୋଇ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମିଳିବ ଗୁଣାତ୍ମକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା। ସମସ୍ତ ସରକାରୀ ଚିକିତ୍ସାଳୟରେ ଗୋଟିଏ ପ୍ରକାରର ଚିକିତ୍ସା ଉପଲବ୍ଧ ହେବ। ଯାହା ଫଳରେ ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ୫ଟି ଅଧୀନରେ ରୂପାନ୍ତରୀକରଣ କରାଯିବ। ରାଜ୍ୟର ସମସ୍ତ ୧ ହଜାର ୮୫୮ଟି ସରକାରୀ ଡାକ୍ତରଖାନା ଯଥା ଡିଏଚ୍‌ଏଚ୍‌, ଏସଡ଼ିଏଚ, ସିଏଚସି ଓ ପିଏଚସି ଆଦି ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ହେବ ରୂପାନ୍ତରୀକରଣ। ୫ଟି ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୪୭ ଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଡ଼ାକ୍ତରଖାନାକୁ ସାମଗ୍ରୀକ ରୁପାନ୍ତର ପାଇଁ ଚୟନ କରାଯାଇଛି। ଡ଼ାକ୍ତରଖାନା ବିଲଡିଂର ମରାମତି ଓ ରଙ୍ଗ କାମ, ପୁରୁଷ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବଚ୍ଛ ଟଏଲେଟ, ମୋ ସରକାର ବ୍ରାଣ୍ଡିଙ୍ଗ, କ୍ୟାମ୍ପସ ପରିସରରେ ପାର୍କିଂ, ବଗିଚା, ସବୁଠି ଗୋଟିଏ ପ୍ରକାରର ପ୍ରବେଶ ପଥ, ବର୍ଷା ଜଳ ଅମଳ ପ୍ରକଳ୍ପ, ଉତ୍ସର୍ଗୀକୃତ ବିଜୁଳି ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ପାଚେରୀ ଏବଂ ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସହଯୋଗୀଙ୍କ ପାଇଁ ବିଶ୍ରାମଗାର, ଥଣ୍ଡା ଓ ଗରମ ପାନୀୟ ଜଳର ବ୍ୟବସ୍ଥା, ରୋଗୀ ଭିଡ଼ ହେଲେ ଅଧିକ ଆଉଟଡ଼ୋର କାଉଣ୍ଟର, ସଳଚନା ଫଳକ, ହେଲ୍ପ ଡ଼େସ୍କର ବ୍ୟବସ୍ଥା କରାଯିବ।



2.ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ସେବାର ଠିକଣା କଟକ SCB: ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ରୋଗୀମାନେ କଟକ ବଡ ମଡିକାଲ ଉପରେ ନିର୍ଭର କରୁଛନ୍ତି। ତେବେ ସମୟ ସହିତ ବଦଳୁଛି କଟକ ବଡ଼ ମେଡ଼ିକାଲର ରୂପରେଖ। ସମସ୍ତଙ୍କର ଆଶା ଓ ବିଶ୍ୱାସ ପାଲଟିଥିବା ଏହି ମେଡ଼ିକାଲ ଏବେ ଯୋଗାଇବ ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ସେବା। ବଡ଼ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣ କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ପରିଣତ କରାଯାଉଛି। ୧୭୫ ଏକର ଜମିରେ ୩ ହଜାର ୫ଶହ କୋଟି ଟଙ୍କାରେ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର 5T ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏଥିରେ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ମିଳିବ। ଅତ୍ୟାଧୁନିକ ଚିକିତ୍ସା ଉପକରଣ ଆଦି ଯୋଗାଇ ଦିଆଯିବ। ଏହାରି ମଧ୍ୟରେ ୧୨୮୦ ସରକାରୀ ବାସଗୃହ ନିର୍ମାଣ ମଧ୍ୟ କରାଯିବ।

ଏହା ମଧ୍ୟ ପଢନ୍ତୁ: BSKYର ବଢୁଛି ଲୋକପ୍ରିୟତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି

3. ଗରିବଙ୍କ ପାଇଁ BSKY ସଞ୍ଜିବନୀ: ଓଡ଼ିଶାରେ ବିଜୁ ସ୍ମାର୍ଟ କାର୍ଡ କେବଳ ଲୋକପ୍ରିୟ ହୋଇଛି ତାହା ନୁହେଁ ବରଂ ଏହାକୁ ଏକ ଗେମ୍ ଚେଞ୍ଜର ଭାବରେ ବିବେଚନା କରାଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଏବେ ଗାଁ ଗାଁରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସମସ୍ତ ସରକାରୀ ମେଡିକାଲ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ହିତାଧିକାରୀ ସିଧାସଳଖ ମାଗଣା ଚିକିତ୍ସା ସୁବିଧା ମିଳିପାରୁଛି। କ୍ୟାନ୍ସର ଠାରୁ ଆରମ୍ଭ କରି ଛୋଟ ବଡ଼ ରୋଗ ପାଇଁ ଅପରେସନ ଏବଂ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯାଉଛି। 30ଟି ଜଟିଳ ରୋଗ ପାଇଁ ମଗଣାରେ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ତେବେ ଚଳିତ ବର୍ଷ ପାଖାପାଖି ୧୨ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ହୋଇଛନ୍ତି। ରାଜ୍ୟ ସରକାର ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ୨୫୦୭.୦୫ କୋଟି ରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ତେବେ ବିଏସକେୱାଇ ୮୧୬ ଟି ସୁପର ସ୍ପେଶାଆଲିଟି ଘରୋଇ ହସ୍ପିଟାଲ୍ ରହିଛି। ରାଜ୍ୟ ବାହାରେ ୧୬୦ ହସ୍ପିଟାଲ ରହିଛି। ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିଆଣା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଅବସ୍ଥିତ। ଏପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲା ରୁ ୬୫୬ ଘରୋଇ ହସ୍ପିଟାଲ ଗରିବଙ୍କୁ ଉଚ୍ଚ ମାନର ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି।

ସ୍ବାସ୍ଥ୍ୟ ସେବାକୁ ମିଳିବ ବଳ, ୭ହଜାର ନୂଆ ଡାକ୍ତର ହେବେ ନିଯୁକ୍ତ

4. ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ବର୍ଷା: ଆବଶ୍ୟକ ପରିମାଣରେ ଡାକ୍ତର ରହିଲେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରିବ। ଡାକ୍ତରଙ୍କ ଅଭାବ ପୂରଣ ପାଇଁ ସରକାର ହଜାର ହଜାର ଡାକ୍ତର ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଆରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟ କର୍ମାଚାରୀଙ୍କ କ୍ୟାଡ଼ର ପୁନର୍ଗଠନ ଓ ପେ ସ୍କେଲ୍ ସଂଶୋଧନ କରାଯାଇଛି। ଏପଟେ ଗୋଟିଏ ଦିନରେ ୧୨୦୫ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି। ରାଜ୍ୟରେ ଖାଲିପଡ଼ିଥିବା ମେଡିକାଲ କଲେଜରେ ୨୭୨ ପ୍ରଫେସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ୩୭୩୨ ଜଣ ନର୍ସିଂ ଅଫିସରଙ୍କୁ ମେଡ଼ିକାଲ କଲେଜ୍ ଏବଂ ହସ୍ପିଟାଲରେ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ନର୍ସିଂରେ ୨୮ ହଜାର, ଫାର୍ମାସିଷ୍ଟ ଓ ଲାବାରେଟୋରିରେ ୫୦୦୯ ଜଣ ଏବଂ ଡାକ୍ତରଙ୍କ କ୍ଷେତ୍ରରେ ୭୨୭୬ ଜଣ ଡାକ୍ତର ଆହୁରି ନିଯୁକ୍ତି ପାଇଁ ପଦବୀ ସୃଷ୍ଟି କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।

ଆଜିଠୁ ରାଜ୍ୟରେ ଶୁଭାରମ୍ଭ 'ବାଲ୍ ଆଧାର'

5.ଆରମ୍ଭ ହେଲା ବାଲ୍‌ ଆଧାର: ଗତ ମାର୍ଚ୍ଚମାସ ପରଠାରୁ ବାଲ ଆଧାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮୨ଟି ପ୍ରସୂତିସ୍ଥଳରେ ଏହା କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ଉପଖଣ୍ଡ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲ୍‌ ଆଧାର ପଞ୍ଜୀକରଣ ପାଇଁ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ନମ୍ବର ରହିବା ଆବଶ୍ୟକ। ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବା‌ୟୋମେଟ୍ରିକ୍ସ ଅନିବାର୍ଯ୍ୟ ନୁହେଁ। ତେବେ ଶିଶୁଙ୍କ ଆଧାର‌ରେ ମଧ୍ୟବୟସ୍କଙ୍କ ଭଳି ୧୨ଟି ନମ୍ୱର ରହିବ। ମାତ୍ର ମା’ କିମ୍ବା ବାପା କେହି ଜଣଙ୍କ ପାଖରେ ଆଧାର ଥିବା ଜରୁରି ଅଟେ। ଏହା ପ୍ରଥମେ କ୍ୟାପିଟାଲ ହସପିଟାଲରେ ଶୁଭାରମ୍ଭ କରାଯାଇଥିଲା। ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାରଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର।

ସ୍ବାସ୍ଥ୍ୟସେବାରେ ଲାଗିବ ଆଉ 70 ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

6. ଆମ୍ବୁଲାନ୍ସ ସେବାକୁ ଗୁରୁତ୍ଵ: ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆମ୍ବୁଲେନ୍ସ ସେବା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର।
ରାଜ୍ୟ ସ୍ବାସ୍ଥ୍ୟ ସେବାରେ ସାମିଲ ହୋଇଛି ୩୪୯ ଆମ୍ବୁଲାନ୍ସ। ପ୍ରଥମ ଥର ଲାଗି ଏତେ ସଂଖ୍ୟାରେ ଆମ୍ବୁଲାନ୍ସକୁ ଏକକାଳୀନ ସ୍ବାସ୍ଥ୍ୟସେବାରେ ସାମିଲ କରାଯାଇଛି। ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଏଣିକି ୨୦ ମିନିଟ୍‌ ମଧ୍ୟରେ ପହଞ୍ଚିବା ନେଇ ଗୁରୁତ୍ଵ ଦିଆଯାଉଛି। ଏଥିରେ ୨୭୯ ଟି ଆମ୍ବୁଲାନ୍ସକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟି ଆମ୍ବୁଲାନ୍ସକୁ ସରକାରୀ ମେଡିକାଲ୍ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ୪୦ଟି ଆମ୍ବୁଲାନ୍ସ ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଭାବରେ ରହିଥିବା ବେଳେ ବାକି ୩୦ଟି ଆମ୍ବୁଲାନ୍ସ ହେଉଛି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୮ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬ କୁ ବୃଦ୍ଧି ପାଇଛି।

One Health Programme: ଜୁନୋଟିକ ଡିଜିଜ୍ ସଂକ୍ରମଣ ରୋକିବାକୁ WHOର ପଦକ୍ଷେପ, ଓଡ଼ିଶାରେ ହେବ ପାଇଲଟ ପ୍ରକଳ୍ପ

7. ଜୁନୋଟିକ୍ ରୋଗର ମୁକାବିଲା ପାଇଁ ୱାନ୍ ହେଲଥ: ରାଜ୍ୟରେ ଆରମ୍ଭ ହେବ ୱାନ୍ ହେଲ୍‌ଥ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ। ଦେଶର ୪ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ବିଶେଷ ଭାବରେ ଜୁନୋଟିକ୍ ବା ପଶୁଙ୍କଠାରୁ ମଣିଷକୁ ଆସୁଥିବା ରୋଗ ଯଥା ଆନ୍ଥ୍ରାକ୍ସ, ରାବିଜ୍, ସ୍କ୍ରବ୍ ଟାଇଫସ୍‌, ନିପା ଭାଇରସ୍ ଭଳି ରୋଗର କିଭଳି ମିଳିତ ମୁକାବିଲା କରାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ। ସ୍ବାସ୍ଥ୍ୟ ବିଭାଗ ସମେତ ପଶୁ ସଂପଦ, କୃଷି ଓ ଜଙ୍ଗଲ ବିଭାଗ ମିଳିତଭାବେ ଏଥିପାଇଁ କାମ କରିବେ। ଜୁନୋଟିକ୍ ରୋଗ ପାଇଁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହେବ। ଏହା ସହ ରାଜ୍ୟରେ ଜୁନୋଟିକ ରୋଗ ପରୀକ୍ଷା ଲାଗି ସେଣ୍ଟିନାଲ ଲାବୋରେଟରି ଓ ମେଡିକାଲ କଲେଜ ଲାବୋରେଟରୀ ଗୁଡ଼ିକୁ ଅଧିକ ସଶକ୍ତ କରାଯିବ।

ଉଦଘାଟିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ, ଉଦଘାଟନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

8. ଖୋଲିଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ଓ ନୂଆ ନର୍ସିଂ କଲେଜ: ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ। ଗତ ଅକ୍ଟୋବର 18 ତାରିଖରେ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଏହାରି ଅଧୀନରେ ରହିବ ମେଡ଼ିକାଲ କଲେଜ। ଏହା ସମେତ ଦନ୍ତ ରୋଗ ଚିକିତ୍ସା ବିଜ୍ଞାନ, ଆୟୁର୍ବେଦିକ, ହୋମିଓପାଥି, ନର୍ସିଂ, ଫାର୍ମାସୀ ଭଳି ୧୫୦ ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ଶିକ୍ଷାନୁଷ୍ଠାନ ଜଡ଼ିତ ହେବ। ଏହା ସହ ରାଜ୍ୟରେ ନୂଆ କରି ୭ ଟି ନୂଆ ନର୍ସିଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ନେଇ କେନ୍ଦ୍ର ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ପ୍ରତି ବର୍ଷ ୬୦ ଛାତ୍ରଛାତ୍ରୀ ହିସାବରେ ୭ ଟି କଲେଜରେ ପ୍ରତିବର୍ଷ ୪୨୦ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହେବେ। ଏନେଇ ମଧ୍ୟ ୭୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ଯାଜପୁର ବାଲେଶ୍ବର ବାରିପଦା ବଲାଙ୍ଗୀର ପୁରୀ କୋରାପୁଟ ଓ ତାଳଚେରରେ ଖୋଲିବ ନୂଆ ନର୍ସିଂ କଲେଜ। ଅନ୍ୟପଟେ ମଧ୍ୟ ଚଳିତ ବର୍ଷରେ ତିନୋଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। କେନ୍ଦୁଝର, ସୁନ୍ଦରଗଡ଼ ଏବଂ କଳାହାଣ୍ଡି ମେଡିକାଲ କଲେଜ। ଯାଜପୁର ଓ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଉଦ୍ୟମ ଆରମ୍ଭ ହୋଉଛି।

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ, ୩୪୯ ନୂଆ ଆମ୍ବୁଲାନ୍ସ ଓ ମଡ୍ୟୁଲାର ଓଟି ଲୋକାର୍ପିତ

9. କ୍ୟାପିଟାଲ ହସପିଟାଲରେ ମଡ୍ୟୁଲାର ଓଟି: ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ନୂଆ ଅପରେସନର ଟେକ୍ନୋଲଜି। ଏଥିରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ ରହିଥିବାବେଳେ ଏକ ସାଙ୍ଗରେ ୮ ଜଣଙ୍କର ଅସ୍ତ୍ରୋପଚାର କରାଯିବ। ତେବେ ଏହା ୧ ମହଲା ବିଶିଷ୍ଟ କୋଠାରେ ୮ ଟି ପ୍ରକୋଷ୍ଠ ରହିଛି। ସେଥିମଧ୍ୟରୁ ୫ଟି ପ୍ରକୋଷ୍ଠରେ ଓଟିର ବ୍ୟବସ୍ଥା ରହିଥିବା ବେଳେ ବାକି ଦୁଇଟି ପ୍ରକୋଷ୍ଠରେ ରୋଗୀଙ୍କ ପାଇଁ ଶଯ୍ୟା ରହିଛି। ଏଭଳି ବ୍ୟବସ୍ଥା ଉପଲବ୍ଧ ହେବାରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ହସ୍ପିଟାଲ। ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ।ବିଶେଷ ଭାବରେ ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗର ମଧ୍ୟ ଅସ୍ତ୍ରୋପଚାର କରାଯିବ। କ୍ୟାପିଟାଲ ହସପିଟାଲକୁ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି ଦୈନିକ ୫ ହଜାରରୁ ଉର୍ଦ୍ଧ ରୋଗୀ।

10. ଶିଶୁଙ୍କ ପାଇଁ କ୍ୟାନ୍ସର ହସ୍ପିଟାଲ: ଜଟଣୀ ସ୍ଥିତ ନାଇଜର୍‌‌ ପରିସରରେ ପ୍ରସ୍ତାବିତ ହୋମି ଭାବା କ୍ୟାନ୍‌‌ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରରେ ଶିଶୁ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବ। ଏନେଇ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଡାକ୍ତରଖାନା ପରିସରରେ ରୋଗୀ ସହାୟକ ତଥା ପରିବାର ସଦସ୍ୟଙ୍କ ରହିବା ନିମନ୍ତେ ୧୨୦ କୋଟି ଟଙ୍କା ବ୍ୟୟରେ ୨ ଲକ୍ଷ ବର୍ଗଫୁଟ୍‌‌ ଆୟତନ ବିଶିଷ୍ଟ ଏକ ଧର୍ମଶାଳା ନିର୍ମାଣ ହେବ। ଉକ୍ତ ଦୁଇ ପ୍ରକଳ୍ପକୁ ରାଜ୍ୟ ସରକାର ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛନ୍ତି। ଅନ୍ୟପଟେ ସେହି କ୍ୟାମ୍ପସ ପରିସରରେ କ୍ୟାନ୍ସର ପାଇଁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । 200 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଡିସେମ୍ବର 2025 ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଓଡ଼ିଶା ବ୍ୟତୀତ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ ଭଳି ପଡୋଶୀ ରାଜ୍ୟର କର୍କଟ ରୋଗୀ ମଧ୍ୟ ଉପକୃତ ହେବେ। ଏହି ହସ୍ପିଟାଲ୍ ରେ ରୋଗୀ ବିଏସକେୱାଇ କାର୍ଡ ମାଧ୍ୟମରେ ମଧ୍ୟ ମାଗଣା ଚିକିତ୍ସା ପାଇପାରିବେ ।

11. ସଫଳତାର ଶୀର୍ଷରେ ଏମ୍ସ: ବାଲେଶ୍ଵର ବାହାନଗାରେ ଟ୍ରେନ ଦୁର୍ଘଟଣାର ମୁକ ସାଖି ଥିଲା ଭୁବନେଶ୍ବର ଏମ୍ସ। ଟ୍ରେନ ଦୁର୍ଘଟଣାରେ ପାଖାପାଖି 120ଟି ମୃତଦେହକୁ 5 ଟି କଣ୍ଟେନରରେ ରଖାଯାଇଥିଲା। ଏହି ସମୟରେ ଏଭଳି ଏକ ଘଟଣାରେ ସହଯୋଗ କରି ସଫଳତା ଶୀର୍ଷରେ ପହଞ୍ଚିଥିଲା ଏମ୍ସ ଭୁବନେଶ୍ୱର। ଅନ୍ୟପଟେ ଏମ୍ସରେ ରୋଗୀଙ୍କର ଦୁଇ ଆଣ୍ଠୁ ଏବଂ ଦୁଇ ହିପର ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା। ଯାହା ଥିଲା ଓଡ଼ିଶାରେ ପ୍ରଥମ ପ୍ରତିରୋପଣ। ଏହା ସର୍ବଭାରତୀୟ ସ୍ତରରେ ଦିତୀୟ ସ୍ଥାନ ଅଧିକାର କରିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରତିରୋପଣ କରିଥିବା ଡାକ୍ତର ଏବଂ ଏମ୍ସ ଭୁବନେଶ୍ୱରକୁ ଶୁଭେଚ୍ଛା ଜଣାଇଥିଲେ।

ଏହା ମଧ୍ୟ ପଢନ୍ତୁ: 2023କୁ କବଜା କରିଥିଲା ଭାଇରସ, କଲବଲ ହୋଇଥିଲେ ଦେଶବାସୀ

ଏହା ବ୍ୟତୀତ ସ୍ବାସ୍ଥ୍ୟସେବାରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲା ଓଡିିଶା। ସେ ସଂକ୍ରାମକ ରୋଗ ହେଉ କିମ୍ବା ନକଲି ଔଷଧ। ବର୍ଷ ଆରମ୍ଭରୁ କଲବଲ କରିଥିଲା ମଶା। ଅନେକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ରାଜ୍ୟରେ ପୂର୍ବ ବର୍ଷ ଗୁଡ଼ିକରେ ମ୍ୟାଲେରିଆ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଚଳିତବର୍ଷ କିନ୍ତୁ ସ୍ଥିତି ସମ୍ପୂର୍ଣ ଭାବରେ ଓଲଟିଯାଇଥିଲା। ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପୁଣିଥରେ ଦେଶରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ରାଜ୍ୟରେ ପୂର୍ବ ବର୍ଷ ଗୁଡ଼ିକରେ ମ୍ୟାଲେରିଆ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଚଳିତବର୍ଷ କିନ୍ତୁ ସ୍ଥିତି ସମ୍ପୂର୍ଣ ଭାବରେ ଓଲଟିଯାଇଥିଲା। ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପୁଣିଥରେ ଦେଶରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା।

ଅନ୍ୟପଟେ ନକଲି ଔଷଧ ସରକାରଙ୍କ ଚିନ୍ତାର କାରଣ ସାଜିଥିଲା। ରାଜ୍ୟରେ ବଢ଼ିଚାଲିଥିବା ନକଲି ଔଷଧ କାରବାର ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଥିଲା। ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିଲା ନକଲି ମେଡିସିନ।ରାଜ୍ୟରେ ନକଲି ଔଷଧ କାରବାର ପଛରେ ରହିଥିଲା ଉତ୍ତରପ୍ରଦେଶର ଲିଙ୍କ୍‌। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଟିମ୍‌ ସହ ଉତ୍ତରପ୍ରଦେଶର ଟାସ୍କ ଫୋର୍ସ ଚଢ଼ାଉ କରି କୋଟି କୋଟି ଟଙ୍କାର ନକଲି ଔଷଧ ଜବତ କରିଥିଲା। ସେଠାରୁ ୭ କୋଟି ୩୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ମେଡିସିନ ଜବତ ହୋଇଥିଲା। ଅନ୍ୟପଟେ କଟକରୁ ନକଲି ଓ-୨ ଔଷଧ ରାକେଟ ଠାବ ହୋଇଥିଲା। ଏହାକୁ ନେଇ କଟକ ପୁରୀଘାଟ ପୋଲିସ ଏହି ନକଲି ଔଷଧ ବିକ୍ରି କରୁଥିବା ବ୍ୟବସାୟୀ ବିଜୟ ଅଗ୍ରଓ୍ବାଲକୁ ଗିରଫ କରିଥିଲା। ତେବେ ଅଭିଯୁକ୍ତ ଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୧୨ ଶହ ଷ୍ଟିପ୍ ନକଲି ଔଷଧ ଜବତ କରାଯାଇଥିଲା। ଏପରିକି ଅନୁଗୁଳରେ ମଧ୍ୟ ବିକ୍ରି ହେଉଥିଲା ନକଲି ଔଷଧ । ନକଲି ଔଷଧ ବିକ୍ରି ଅଭିଯୋଗରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଗୋଟିଏ ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନକୁ ସିଲ୍ କରିଥିଲା । ୨ଟି ଯାକ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲେ ହେଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଥିଲା ଓଡିଶା।

ବିକାଶ ଦାଶ, ଇଟିଭି ଭାରତ

Last Updated :Dec 29, 2023, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.