ETV Bharat / state

Odisha Assembly: ଶେଷ ହେଲା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ

author img

By

Published : Mar 1, 2023, 5:46 PM IST

ଆସନ୍ତା 10 ତାରିଖୁ ପୁଣି ଥରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିବ । ଯାହା ଏପ୍ରିଲ 6 ରେ ଶେଷ ହେବ । ଚଳିତ ବଜେଟ ଅଧିବେଶନରେ ମୋଟ 27 ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନ (ଫେବୃୟାରୀ 21) ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ 2 ଦିନ ଧରି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ
Etv Bharat
Etv Bharat

ଭୁବନେଶ୍ବର: ଶେଷ ହେଲା ଷୋଡଶ ବିଧାନସଭାର ଦ୍ବାଦଶତମ ସେସନ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଫେବୃୟାରୀ 21 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 6 ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ 21 ରୁ ମାର୍ଚ୍ଚ 1 ଯାଏଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା । ଆଜି ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଅପରାହ୍ନରେ ବିଧାନସଭା ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବଜେଟ ଆଲୋଚନା ଚାଲିଥିଲା । ଆଲୋଚନା ଅସମାପ୍ତ ରହିଥିବା ବେଳେ ବାଚସ୍ପତି ଗୃହକୁ ମାର୍ଚ୍ଚ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଏହାବି ପଢନ୍ତୁ- OERC ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଆସନ୍ତା 10 ତାରିଖୁ ପୁଣି ଥରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିବ । ଯାହା ଏପ୍ରିଲ 6 ରେ ଶେଷ ହେବ । ଚଳିତ ବଜେଟ ଅଧିବେଶନରେ ମୋଟ 27 ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନ (ଫେବୃୟାରୀ 21) ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ 2 ଦିନ ଧରି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଫେବୃୟାରୀ 23 ରେ ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଥିଲା । 24 ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷର ସାଧାରଣ ବଜେଟ ଆଗତ କରିଥିଲେ । ମୋଟ 2 ଲକ୍ଷ 30 ହଜାର କୋଟିର ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ । ଯାହା ଗତ ବଜେଟ ତୁଳନାରେ 15 ପ୍ରତିଶତ ଅଧିକ ।

ଏହାବି ପଢନ୍ତୁ- ଝାମିଯାତ୍ରା; କଣ ରହିଛି ବିଶ୍ବାସ, କାହିଁକି ଟାଣ ଖରାରେ ଖାଲି ପାଦରେ ଘର ଘର ବୁଲୁଛନ୍ତି ପୂଜକ ?

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନବ ଦାସ ହତ୍ୟାକାଣ୍ଡକୁ ନେଇ ମଧ୍ୟ ବିଧାନସଭା ସରଗରମ ହୋଇଥିଲା । ରାଜ୍ୟ ସରକାରଙ୍କୁ ତୁହାକୁ ତୁହା ଆକ୍ରମଣ କରିଥିଲେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଯାହାକୁ ନେଇ ଉଭୟ ବିଜେପି ବିଜେଡି ଗୃହ ବାହାରେ ମୁହାଁମୁହିଁ ହୋଇଥିଲେ । ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳନେତାଙ୍କ ଆକ୍ରମଣରେ ବିଜେଡି ଏକ ପ୍ରକାର ଧରାଶାୟୀ ହୋଇପଡିଥିଲା । ସେପଟେ କଂଗ୍ରେସ ବିଧାୟକ ମାନେ ମଧ୍ୟ ବିଧାନସଭାରେ ପ୍ରଭାବ ପକାଇଥିଲେ । ଆଇନ ଶୃଙ୍ଖଳା ଓ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ତଥ୍ୟଭିତ୍ତିକ ଶାଣିତ ଆକ୍ରମଣ କରିଥିଲେ । ଶାସକ ବିଜେଡି ସଦସ୍ୟ ମଧ୍ୟ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରି ସରକାରଙ୍କୁ ସୁରକ୍ଷା ଯୋଗାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.