ETV Bharat / state

ଝାମିଯାତ୍ରା; କଣ ରହିଛି ବିଶ୍ବାସ, କାହିଁକି ଟାଣ ଖରାରେ ଖାଲି ପାଦରେ ଘର ଘର ବୁଲୁଛନ୍ତି ପୂଜକ ?

author img

By

Published : Mar 1, 2023, 3:36 PM IST

ଦେହରେ ହଳଦୀ, ହାତରେ ନିମ୍ବ ଡାଳରେ ପ୍ରସ୍ତୁତ ଛାଟ ଓ ପାଦରେ ଘୁଙ୍ଗୁର । ଟାଣ ଖରାରେ ଖାଲି ପାଦରେ ବୁଲି ବୁଲି ହେଉଛି ନୃତ୍ୟ ପରିବେଷଣ । ବସନ୍ତ ଋତୁ ଆସିଲେ ଦକ୍ଷିଣ ଓଡ଼ିଶାରେ ଏପରି ଦୃଶ୍ୟ ଅତି ସାଧାରଣ । ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବର୍ଷ ଧରି ଗଜପତି ପାରଳାଖେମୁଣ୍ଡି ଅଞ୍ଚଳରେ ମଧ୍ୟ ହୋଇଥାଏ ଏହି ଝାମିଯାତ୍ରା । ଦେଖନ୍ତୁ ଏହି ରିପୋର୍ଟ

Jhami Yatra
Jhami Yatra

ପାରଳାଖେମୁଣ୍ଡିରେ ପୁରାତନ ଝାମିଯାତ୍ରା

ଗଜପତି: ଫାଲଗୁନ ମାସ ଆସିଲେ ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳରେ କିଛି ଲୋକ ଦେହରେ ହଳଦୀ ବୋଳି ଛାଟରେ ବାଡେଇ ହୋଇ ବାଜା ବଜାଇ ବୁଲୁଥିବାର ଦେଖିବାକୁ ମିଳିଥାଏ । ଏମାନଙ୍କୁ ଝାମି ଯାତ୍ରାର ପ୍ରତିନିଧୀ ଭାବେ ଗଣାଯାଏ । ଏମାନେ ଘର ଘର ବୁଲି ଦିନ ତମାମ ଯାହା ଭିକ୍ଷା କରିଥାନ୍ତି ସନ୍ଧ୍ୟାରେ ଘରକୁ ଫେରି ସେସବୁକୁ ଗ୍ରାମ୍ୟ ଦେବୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି । କିଛି ନିଜର ବଂଶଗତ ପରମ୍ପରା ଅନୁସାରେ ଏହା କରୁଥିବା ବେଳେ ଆଉ କିଛି ମାନସିକଧାରୀ ଏଭଳି ପ୍ରାୟ ୨୧ ଦିନ କରିଥାନ୍ତି । ଏହା କରିବା ଦ୍ଵାରା ନିଜର କିମ୍ବା ପରିବାରର ସମସ୍ତେ ଆରୋଗ୍ୟ ରହିଥାନ୍ତି ବୋଲି ବିଶ୍ବାସ ରହିଛି । ମିଳିମିଳା ଏବଂ କଲେରା ଏକ ସଂକ୍ରାମକ ରୋଗ ବୋଲି ବିଜ୍ଞାନ ସ୍ପଷ୍ଟ କରିଛି । କିନ୍ତୁ ଆଜି ବି କିଛି ଲୋକ ଏହା ଦେବୀଙ୍କ ରୋଷରୁ ହିଁ ହୋଇଥାଏ ବୋଲି ବିଶ୍ବାସ କରନ୍ତି ।

ବିଶେଷ କରି ମିଳିମିଳା ଏବଂ କଲେରା ରୋଗରୁ ମୁକ୍ତି ପାଇଁ ଏଭଳି କରାଯାଉଥିବା ଲୋକେ କହିଛନ୍ତି । ଏଭଳି ଜଣେ ବେଶଧାରୀ ହେଉଛନ୍ତି ଟି.ୟାସ । ତାଙ୍କ କହିବା କଥା ହେଉଛି ଏହା ତାଙ୍କର ପାରିବାରିକ ପରମ୍ପରା । ତାଙ୍କ ପୂର୍ବରୁ ତାଙ୍କ ବାପା ଏବଂ ଜେଜେବାପା ବି ଏହା କରିଥିଲେ । ଏହି ସମୟରେ ଅଧିକ ମିଳିମିଳା ଏବଂ ବସନ୍ତ ଭଳି ରୋଗ ବ୍ୟାପିଥାଏ । ମା' ଅସନ୍ତୁଷ୍ଟ ହେଲେ ଏଭଳି ହୋଇଥାଏ । ତେଣୁ ମା'ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ପୂଜା କରାଯାଇଥାଏ । ଏଭଳି କଲେ ମିଳିମିଳା ଓ କଲେରା ରୋଗରୁ ମୁକ୍ତି ମଳିଥାଏ ବୋଲି ବିଶ୍ବାସ ରହିଛି । ତେଣୁ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ରାସ୍ତା ଆପଣେଇଥାନ୍ତି । ସେଥି ମଧ୍ୟରୁ ଝାମି ଯାତ୍ରା ଅନ୍ୟତମ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଏହା ବହୁଳ ଭାବେ ଦେଖାଦେଇଥାଏ ।

ଏହା ବି ପଢନ୍ତୁ- ସଇତାନ ସାଜିଲା ପ୍ରେମିକ, ବିବାହ ଖବର ଶୁଣି ପ୍ରେମିକାର ଅଶ୍ଲିଳ ଭିଡିଓ କଲା ଭାଇରାଲ

ଏହାକୁ ନେଇ ସାଧାରଣ ଲୋକେ ମଧ୍ୟ ସେହି ଏକା ମତ ପୋଷଣ କରିଥାନ୍ତି । ଏ ନେଇ ସ୍ଥାନୀୟ ବାସିନ୍ଦା ଭାରତ ଭୂଷଣ ମହାନ୍ତି କହିଛନ୍ତି, "ରାଜା ରାଜୁଡା ଅମଳରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି । ଆନ୍ଧ୍ର-ଓଡ଼ିଶା ସୀମାରେ ଏହି ଯାତ୍ରାକୁ ପାଳନ ହୋଇଥାଏ । ଶୀତ ଋତୁର ଶେଷ ଓ ଗ୍ରୀଷ୍ଣ ଋତୁର ଆରମ୍ଭରେ ଏହି ଯାତ୍ରା ପାଳିତ ହୁଏ । କିଛି ଲୋକ ଦେହ ସାରା ହଳଦୀ ବୋଳି ନୃତ୍ୟ କରି ଘର ଘର ଭିକ୍ଷା ମାଗିଥାନ୍ତି । ଏହାସହିତ ଛୋଟ ଛୋଟ ପିଲାଙ୍କୁ ଝଡ଼ଫୁଙ୍କା କରନ୍ତି । ଏପରି କରିବା ଦ୍ବାରା ଗାଁ ଲୋକେ ସେମାନଙ୍କୁ ଚାଉଳ ଟଙ୍କା ଦିଅନ୍ତି । ପୂର୍ବରୁ ମିଳିମିଳା ଓ କଲେରାରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଥିଲା । ତେବେ ଏହାକୁ ଏକ ଠାକୁରାଣୀଙ୍କ ପୂଜା ଭାବି ଲୋକେ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପୂଜା କରିଆସୁଛନ୍ତି ।

ମହାମାରୀ ରୋଗରୁ ମୁକ୍ତି ପାଇବା ପାଇଁ ଏହି ସମୟରେ ମାଁଙ୍କ ନିକଟରେ ପୂଜା କରାଯାଇଥାଏ । ତେବେ ଝାମି ଯାତ୍ରା ମାଧ୍ୟମରେ ପୂଜା କଲେ ମୁଁ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି । ବେଶଧାରୀ ଲୋକେ ଆସି ପିଲାଙ୍କୁ ଝାଡ଼ଫୁଙ୍କ କରିବା ସହ ର୍ମୀଙ୍କୁ ହଳଦୀ ଲଗାଇଥାନ୍ତି । ଏହା ବଦଳରେ ମାଁଙ୍କ ପାଇଁ ସେମାନେ ଭୋଗ ଦେଇଥାନ୍ତି । ଏଭଳି ହେଲେ ପିଲାମାନେ ବର୍ଷସାରା ନିରୋଗ ରୁହନ୍ତି ବୋଲି ଲୋକରେ କହିଛନ୍ତି । ଏହାକୁ କେବଳ ବୃଦ୍ଧ ବୃଦ୍ଧା ମାନନ୍ତି ତାହା ନୁହେଁ, ଆଜିକାର ଯୁବ ପିଢୀ ମଧ୍ୟ ଏହାକୁ ମାନି ଚାଲିଛନ୍ତି । ତେଣୁ ଏହି ଋତୁ ଆସିଲେ ପାରଳାଖେମୁଣ୍ଡି ଅଂଚଳରେ ଏହା ଦେଖିବାକୁ ମିଳିଥାଏ । ଭିନ୍ନ ଏକ ପରମ୍ପରା ଝାମି ଯାତ୍ରା । ବିଜ୍ଞାନ ଯଥେଷ୍ଟ ଆଗେଇଥିବା କୁହାଯାଉଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ ବିଶ୍ବାସ ହେଉ ବା ଅନ୍ଧବିଶ୍ବାସ ଲିଭିବାର ନାଁ ନେଉନି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.