ETV Bharat / state

OERC ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

author img

By

Published : Mar 1, 2023, 4:50 PM IST

ଓଇଆରସି ଅଧ୍ୟକ୍ଷ ଭାବେ ଆଜି ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ପୂର୍ବାହ୍ନରେ ରାଜଭବନର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ଓଇଆରସି ଅଧ୍ୟକ୍ଷଙ୍କୁ ଶପଥ ପାଠ କରାଇଛନ୍ତି ।

ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର
ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ଓଇଆରସି ଅଧ୍ୟକ୍ଷଙ୍କୁ ଶପଥ ପାଠ କରାଇଛନ୍ତି । ଏହାପରେ ରାଜଭବନର ଏସଆରସି ତଥା ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ନୀକୁଞ୍ଜ ବିହାରୀ ଧଳ ରାଜ୍ୟପାଳଙ୍କ ଅନୁମତି କ୍ରମେ ଓଇଆରସି ଅଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିଯୁକ୍ତି ପତ୍ର (ୱାରାଣ୍ଟ ଅଫ୍‌ ଆପଏଣ୍ଟମେଣ୍ଟ) ପାଠ କରିଥିଲେ । ଗତ ମାସ 26 ତାରିଖରେ ରାଜ୍ୟ ସରକାର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ(ଓଇଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଶକ୍ତି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ 2022 ଜାନୁଆରୀ 16ରୁ ଖାଲି ପଡିଥିଲା ଓଇଆରସି ଅଧ୍ୟକ୍ଷ ପଦ । ୟୁଏନ ବେହେରା ଯିବା ପରେ ଏହି ପଦ ଖାଲି ପଡିଥିଲା । ତେବେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି । ସୁରେଶ ମହାପାତ୍ର 2021 ମସିହା ଜାନୁଆରୀ 1 ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 2022 ଫେବୃଆରୀ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ବରେ ରହିବାର ଥିଲା । ମାତ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଦୁଇ ଥର ବୃଦ୍ଧି କରିଥିଲେ ।

କୋଭିଡ଼ ମୁକାବିଲାରେ ସୁରେଶଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେହିପରି ଗତ ପଞ୍ଚାୟତ ଓ ପୌର ନିର୍ବାଚନକୁ ତାଙ୍କ ନେତୃତ୍ୱରେ ପରିଚାଳନା ହୋଇଛି । ଜଙ୍ଗଲ ଏବଂ ପରିବେଶ ବିଭାଗ ଦାଇତ୍ୱରେ ଥିବାବେଳେ ସୁରେଶ ବହୁ ଲୋକପ୍ରିୟ ନିଷ୍ପତ୍ତି ନେଇଛନ୍ତି । ଓଡିଶାରେ ଇକୋ ରିଟ୍ରିଟ ସୁରେଶଙ୍କ ମାନସ ସନ୍ତାନ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହଭାଗୀତାକୁ ସେ ଗୁରୁତ୍ୱ ଦେଇଥିଲେ ।

ସୁରେଶ ପୂର୍ବରୁ ଶକ୍ତି ବିଭାଗ ଅନ୍ତର୍ଗତ ଓପିଜିସି, ଓଏଚପିସି, ଓଟିପିସିଏଲ ଓ ଗ୍ରୀଡକୋରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାତାନନ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.