ETV Bharat / bharat

ପୋର୍ସ କାର୍ ଦୁର୍ଘଟଣା: ରଚନା ଲେଖିବାକୁ କହି ଛାଡି ଦେଇଥିଲେ କୋର୍ଟ, ବିବାଦ ତେଜିବା ପରେ ନାବାଳକର ଜାମିନ ରବ୍ଦ - Porsche car accident

author img

By ETV Bharat Odisha Team

Published : May 23, 2024, 8:04 AM IST

Updated : May 23, 2024, 10:44 AM IST

PORSCHE CAR ACCIDENT: ପୁଣେରେ ପୋର୍ସ କାର ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣା । ରଚନା ଲେଖିବାକୁ କହି କାର୍ ଚଢାଇଥିବା ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତକୁ ଛାଡି ଦେଇଥିଲେ ଅଦାଲତ । ଏବେ ବିବାଦ ତେଜିବା ପରେ ଅଭିଯୁକ୍ତର ଜାମିନ ରବ୍ଦ ହୋଇଛି । ପଢନ୍ତୁ ପୁରା ଘଟଣା

ପୋର୍ସ କାର୍ ଦୁର୍ଘଟଣା
ପୋର୍ସ କାର୍ ଦୁର୍ଘଟଣା (ETV Bharat Odisha)

ମୁମ୍ବାଇ: ପୁଣେରେ ଜଣେ ବିଲ୍ଡରର ପୁଅ ନିଶାସକ୍ତ ଅବସ୍ଥାରେ ଦୁଇ ଇଞ୍ଜିନିୟରିଙ୍କ ଉପରେ ପୋର୍ସ କାର୍ ଚଢାଇବା ଘଟଣା । ନାବାଳକକୁ ଗିରଫ କରିବାର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିବା ସହ ଅତି କୋହଳ ଦଣ୍ଡ ଦିଆଯାଇଥିଲା । ଅଦାଲତ ତାକୁ ଦୁର୍ଘଟଣା ଉପରେ ୩୦୦ ଶବ୍ଦର ରଚନା ଲେଖିବାକୁ କହି ଜାମିନରେ ଛାଡି ଦେଇଥିଲେ । ଏହାକୁ ନେଇ ସାରା ଦେଶରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା । ଜଣେ ବିତ୍ତଶାଳୀ ଲୋକର ପୁଅ ହୋଇଥିବାରୁ ତାକୁ ଛଡା ଯାଇଥିବା ନେଇ ବିବାଦ ତେଜିବା ପରେ ଏବେ ସେହି ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତର ଜାମିନ ରବ୍ଦ ହୋଇଛି ।

ଜୁଭେନାଇଲ ଜଷ୍ଟିସ ବୋର୍ଡ ନାବାଳକକୁ ଜାମିନ ଦେବାର ୩ ଦିନ ପରେ କାଲି ଜାମିନ ରବ୍ଦ କରିଦେଇଛନ୍ତି । ଏଥିସହ ତାକୁ ୧୫ ଦିନ ପାଇଁ ରିମାଣ୍ଡରେ ପଠାଇଛନ୍ତି । ଜୁନ ୫ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ । ଏନେଇ ପୁଣେ ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି, ''ଅଭିଯୁକ୍ତକୁ ବୟସ୍କ ଭାବେ ବିଚାର ପାଇଁ ଅନୁମତି ଦେବା ଏବଂ ରିମାଣ୍ଡରେ ପଠାଇବାକୁ ଆମେ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ରିଭ୍ୟୁ ପିଟିସିନ ଦାଖଲ କରିଥିଲୁ । ଅଦାଲତ ତାକୁ ଜୁନ ୫ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି ।''

ଏହାପୂର୍ବରୁ ମହାରାଷ୍ଟ୍ର ଟ୍ରାନ୍ସପୋର୍ଟ କମିଶନର ୧୭ ବର୍ଷୀୟ ଅଭିଯୁକ୍ତକୁ ୨୫ ବର୍ଷ ନହେବା ପର୍ଯ୍ୟନ୍ତ ତା'ର ଡ୍ରାଇଭିଂ ଲାଇସେନ୍ସ ରବ୍ଦ କରିଥିଲେ । ସେପଟେ ଅଭିଯୁକ୍ତ ନାବାଳକର ପିତା ବିଶାଳ ଅଗ୍ରୱାଲ ଓ ଦୁଇ ପବ୍ କର୍ମଚାରୀଙ୍କୁ ପୁଣେ ସେସନ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସେମାନଙ୍କୁ ମେ' ୨୪ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ, ବାପାକୁ ବାନ୍ଧିଲା ପୋଲିସ ! - Pune Porsche Accident

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ସାଢେ ୨ଟାରେ ଅଭିଯୁକ୍ତ ନାବାଳକ ଏହି ଦୁର୍ଘଟଣା ଘଟାଇଥିଲା । ନାବାଳକ ଜଣକ ପ୍ରଚୁର ମଦ୍ୟପାନ କରି ନିଜ ଧନୀ ବାପାର ଦାମୀ ପୋର୍ସ କାର୍ ଚଳାଉଥିଲା । ସେ ଘଣ୍ଟା ପ୍ରତି ୨୦୦ କିମି ସ୍ପିଡରେ ପୋର୍ସ ଚଲାଉଥିବା ବେଳେ କଲ୍ୟାଣ ନଗରୀ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲେ । ସେହି ବାଇକରେ ଯାତ୍ରା କରୁଥିବା ଦୁଇ ଜଣ ଆଇଟି ଇଞ୍ଜିନିୟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏହାପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅଦାଲତ ତାକୁ ମାତ୍ର ୧୫ ଘଣ୍ଟା ଭିତରେ ଜାମିନ ଦେଇଥିଲେ ଏବଂ ଅତି କୋହଳ ଦଣ୍ଡ ସୂରୁପ ତାକୁ ଦୁର୍ଘଟଣା ଉପରେ ୩୦୦ ଶବ୍ଦ ଭିତରେ ରଚନା ଲେଖିବାକୁ ଏବଂ ୧୫ ଦିନ ଯାଏଁ ଟ୍ରାଫିକ ପୋଲିସ ଭଳି କାମ କରିବାକୁ କହିଥିଲେ । ଜଣେ ଧନୀ ବ୍ୟକ୍ତିର ପୁଅ ହୋଇଥିବାରୁ ତାକୁ ଏମିତି ଛାଡି ଦିଆଯାଇଥିବା ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେପି ଏବଂ କଂଗ୍ରେସ ମଧ୍ୟ ଅଦଲାତଙ୍କ ଏମିତି ନିଷ୍ପତ୍ତିକୁ ନିନ୍ଦା କରିଥିଲେ ।

Last Updated : May 23, 2024, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.