ETV Bharat / state

ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ; ପ୍ରବାସୀଙ୍କୁ ଫେରାଇ ଆଣିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Oct 14, 2023, 7:05 AM IST

ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ
ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶରେ ଫସିଛନ୍ତି ଓଡ଼ିଆ ପ୍ରବାସୀ ଶ୍ରମିକ । ତାଙ୍କୁ ଅଧିକ ସମୟ ଖଟା ଯାଉଥିବା ବେଳେ ପ୍ରତିବାଦ କରିବାରୁ ପାର୍ସପୋର୍ଟ ଛଡାଇ ନେଇ ନଜରବନ୍ଦୀ କରାଯାଇ ରଖାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶରେ ଫସିଛନ୍ତି ଓଡ଼ିଆ ପ୍ରବାସୀ ଶ୍ରମିକ । ଠିକାଦାର ଚୁକ୍ତି ଖିଲାପ କରି ତାଙ୍କୁ ଅଧିକ ସମୟ ଖଟା ଯାଉଥିବା ବେଳେ ପ୍ରତିବାଦ କରିବାରୁ ପାର୍ସପୋର୍ଟ ଛଡାଇ ନେଇ ନଜରବନ୍ଦୀ କରାଯାଇ ରଖାଯାଇଥିବା ସୂଚନା ମିଳିଛି । ଅଭିଯୋଗ ପରେ ଲାଓସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଶ୍ରମିକ ଫସି ରହିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. Israel-Hamas War: ଇସ୍ରାଏଲରେ ଫସିଛନ୍ତି ୨୦ ହଜାର ଭାରତୀୟ, ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ ଅଜୟ

ରୋଜଗାର ଅନ୍ବେଷଣରେ ଲାଓସରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନକୁ ଆସିଛି ରାଜ୍ୟ ଶ୍ରମ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମ କମିଶନର ଲାଓସରେ ଭାରତୀୟ ଦୂତାବାସ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି । ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଦୂତାବାସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରବାସୀ ଓଡ଼ିଆଙ୍କୁ ଖୁବଶୀଘ୍ର ସେମାନେ ନିରାପଦରେ ଭାରତକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ମିଳିଛି । ଆସନ୍ତା କିଛି ଦିନ ମଧ୍ୟରେ ଲାଓସରେ ଫସିଥିବା ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଆସିବେ । ଏନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସେମାନେ ଓଡିଶାରେ ପହଞ୍ଚିବା ନେଇ ଆଶା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ସ୍ବଦେଶ ଫେରିଲେ ଇଭେଣ୍ଟ ପାଇଁ ଇସ୍ରାଏଲ ଯାଇଥିବା ସଙ୍ଗୀତଜ୍ଞ ଗିରିଶ ବିଶ୍ବ, ବଖାଣିଲେ ଭୟାବହତା

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ୩୫ ଜଣ ଶ୍ରମିକ ରୋଜଗାର ଅନ୍ଵେଷଣରେ ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶକୁ ଯାଇଥିଲେ । ସେଠାକାର ଆଟାପେୟୁ ପ୍ରୋଭିନ୍ସରେ ଥ‌ିବା ଏକ ପ୍ଲାଏଉଡ କାରଖାନାରେ କାମ କରୁଥିଲେ । ତେବେ ଠିକାଦାର ଚୁକ୍ତି ଖିଲାପ କରି ସେମାନଙ୍କୁ ଅଧିକ ସମୟ ଖଟାଉଥିଲା । ସେମାନଙ୍କୁ ଖାଇବା ପିଇବାକୁ ଠିକ ସମୟରେ ଦେଇନଥିଲେ । ଏପରିକି ଚୁକ୍ତି ମୁତାବକ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିନଥିଲା । ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ଗତ ୨ ମାସ ହେବ ସେମାନଙ୍କୁ ଆଦୌ ପାରିଶ୍ରମିକ ମିଳିନାହିଁ । ଅପରପକ୍ଷରେ କାରଖାନାର ମାଲିକ ସେମାନଙ୍କଠାରୁ ପାସପୋର୍ଟ ଛଡ଼ାଇ ନେଇଥିଲା । ଏହାସହ ସେମାନଙ୍କୁ କାରଖାନାରେ ନଜରବନ୍ଦୀ କରି ରଖିଥିଲେ । ଏନେଇ ଫସି ରହିଥିବା ଶ୍ରମିକମାନେ ଭିଡିଓ ଜାରି କରି ସହାୟତା ପାଇଁ ନିବେଦନ କରିଥିଲେ । ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏନେଇ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.