ETV Bharat / state

ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ, ଜଣେ ଅଟକ

author img

By ETV Bharat Odisha Team

Published : Nov 10, 2023, 7:54 AM IST

କେନ୍ଦ୍ରାପଡାରୁ ବେଆଇନ ବାଣ ଜବତ
କେନ୍ଦ୍ରାପଡାରୁ ବେଆଇନ ବାଣ ଜବତ

କେନ୍ଦ୍ରାପଡାରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ । ଜଣଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

କେନ୍ଦ୍ରାପଡ଼ା: ଦିନକ ପରେ ଦୀପାବଳି । ଏହାପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବିପୁଳ ପରିମାଣର ବେଆଇନ ବାଣ ଜବତ ହୋଇଛି । ଟାଉନ ଥାନା ଅନ୍ତର୍ଗତ ନସଡିପୁର ଅଞ୍ଚଳରେ ଏକ ବେଆଇନ ବାଣ ଗୋଦାମ ଉପରେ ଚଢାଉ କରି ପୋଲିସ ଲକ୍ଷାଧିକ ମୂଲ୍ୟର ପେଟି ପେଟି ବାଣ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ପୋଲିସ ଜିତେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ନସଡ଼ିପୁରଠାରେ ଏକ ବେଆଇନ ବାଣ ଗୋଦାମ ସମ୍ପର୍କରେ ପୋଲିସ ଖବର ପାଇଥିଲା । ଦୀପାବଳିରେ ବିକ୍ରି ପାଇଁ ଏଠାରେ ବେଆଇନ୍‌ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯାଇଥିଲା । ପୋଲିସ ଗୋଦାମରେ ଚଢ଼ାଉ ବେଳେ ବିଭିନ୍ନ ପ୍ରକାର ବାଣ ମହଜୁଦ ଥିବା ଜଣାପଡ଼ିଥିଲା । ପୋଲିସ ଗୋଦାମରୁ ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ଜିତେନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି । ତେବେ ବାଣ ବ୍ୟବସାୟୀ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିଥିବା ବେଳେ ପ୍ରଶାସନ ଲାଇସେନ୍ସ ପ୍ରଦାନରେ ବିଳମ୍ବ କରିଥିବା ସେ ଅଭିଯୋଗ କରିଛନ୍ତି ।

ନିକଟରେ କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆରେ ବାଣ ବିସ୍ଫୋରଣ ଏବଂ ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଡାକ୍ତରଙ୍କ ଗାଡି ଶୁଖା ଯାଇଥିବା ବାଣ ଉପରେ ଚଢ଼ିଯିବା ଫଳରେ ବିସ୍ଫୋରଣ ଘଟଣା କେନ୍ଦ୍ରାପଡା ଜିଲ୍ଲାକୁ ଦୋହଲାଇ ଦେଇଥିଲା । ଏବେ ଦୀପାବଳି ଥିବାରୁ ବାଣ ବିକ୍ରି ହେଉଥିବା ସହରର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ଦୀପାବଳୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଜଟଣୀ ବାଣ ବଜାରରେ ଜମିଲାଣି ଭିଡ଼

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବେରିୟମ ସଲ୍ଟ ଓ ଅନ୍ୟ ରସାୟନ ମିଶ୍ରିତ ବାଣ ଉପରେ ରୋକ୍ ଲାଗିଛି । ତେବେ ସବୁଜ ବାଣ ବା ଗ୍ରୀନ୍‌ କ୍ରାକର ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଏହି କଟକଣା ସାରା ଦେଶରେ ଲାଗୁ ହେବ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବେଆଇନ ବାଣ ବ୍ୟବସାୟୀ ଓ ଗଚ୍ଛିତକାରୀଙ୍କ ଉପରେ ପୋଲିସର ଚଢ଼ାଉ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.