ETV Bharat / state

ଜୀବିକା ଯୋଗାଉଛି ଜଙ୍ଗଲଜାତ ଦ୍ରବ୍ୟ କରଡି, କିଣିବାକୁ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ

author img

By

Published : Sep 22, 2022, 8:16 PM IST

ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡ଼ି
ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡ଼ି

ପଶ୍ଚିମ ଓଡିଶାର ବିଭିନ୍ନ ବଜାରରେ ଏବେ ରାଜ କରୁଛି କରଡି । ଜଙ୍ଗଲଜାତ ଦ୍ରବ୍ୟ କରଡିକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ଆଦିବାସୀ । ଅଧିକ ପଢନ୍ତୁ

ଭବାନୀପାଟଣା: ସବୁଜ ସୁନା ବାଉଁଶର ଆଉ ଏକ ଉତ୍ପାଦ ଦେଉଛି କରଡି । ଦିନ ଥିଲା କରଡିର ପିରିଚୟ ନଥିଲା । ହେଲେ ଏବେ କରଡି ବିନା ଖାଦ୍ୟ ଅଧା ଅଧା ଲାଗୁଛି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ଚାହିଦା ବଢିବାକୁ ଲାଗିଛି । ଏବେ ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡି । ନାଁଟି ଶୁଣିବାକୁ ଯେମିତି ଏଥିରୁ ପ୍ରସ୍ତୁତ ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାରରେ ରାଜ କରୁଛି କରଡି । ଏହାକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ଗୁରୁଜାଣ ମେଣ୍ଟାଉଛନ୍ତି ଆଦିବାସୀ ପରିବାର । ଏହାକୁ ବିକ୍ରି କରି ରୋଜଗାରର ନୂଆ ରାସ୍ତା ଖୋଜି ପାଇଛନ୍ତି ବ୍ୟବସାୟୀ ।

ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡ଼ି

ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ । ଆଉ ଏବେ କଳାହାଣ୍ଡି ବଜାରରେ ଚାଲିଛି କରଡିର ରାଜୁତି । ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁନାହିଁ । ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି । ସାଧାରଣତଃ ଗଜା ବାଉଁଶକୁ କରଡି କୁହାଯାଇଥାଏ । ଘଞ୍ଚ ଜଙ୍ଗଲ ଘେରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ । ଘଞ୍ଚ ଜଙ୍ଗଲ ପାର ହୋଇ ଆଦିବାସୀ ମାନେ ଉପଯୁକ୍ତ କରଡିକୁ ଠାବ କରି ଏହାକୁ ଛୋଟ ଛୋଟ ଖଣ୍ଡ କରିଥାନ୍ତି । ଗଜା ବାଉଁଶକୁ ଭାଙ୍ଗି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇଥାନ୍ତି । ଏହାପରେ କରଡିକୁ ନିକଟସ୍ଥ ବଜାରକୁ ନେଇ ବିକ୍ରି କରିଥାନ୍ତି ।

ଏହା ବି ପଢନ୍ତୁ...ଆଦିବାସୀ ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡ଼ପ, ଆନ୍ଦୋଳନ ପରେ ରିଟେଲର ନିଲମ୍ବିତ

ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକାରୀ କେତୋଟି କରଡ଼ିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ରରେ ପ୍ରସ୍ତୁତ ଦନାରେ ବିକ୍ରି କରନ୍ତି । ତେବେ ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର, ଚଟଣୀ ଭଳି ୪୦ ରୁ ଉର୍ଦ୍ଧ୍ବ ରକମର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାର ସ୍ବାଦ ମଧ୍ୟ ବେଶ ନିଆରା । ଶୁଖିଲା ପରେ କରଡିକୁ ହଣ୍ଡୁଆ ଭାବରେ ବ୍ୟବହାର କରାଯାଏ । କରଡିକୁ ନେଇ ଭଳିକି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁଁ ଏହାର ଚାହିଦା ବଜାରରେ ଅଧିକ ରହିଥାଏ । ବର୍ଷର କେବଳ ୩ମାସ ଏହା ମିଳୁଥିବା ଯୋଗୁଁ ଲୋକେ କରଡି କିଣିବାକୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି ।

କରଡି ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର । ମଦୁମେହ, ହୃଦରୋଗୀଙ୍କ ପାଇଁ ଏଥିରୁ ପ୍ରସ୍ତୁତ ଖାଦ୍ୟ ଉପଶମ ଦେଇଥାଏ । କିଛି ବର୍ଷ ପୂର୍ବରୁ କରଡିକୁ ଅଖାଦ୍ୟ ବୋଲି କେତେକ ଭାବୁଥିଲେ । ମାତ୍ର ମେଡିକାଲ ସାଇନ୍ସର ପରୀକ୍ଷା ପରେ ଏହା ଶରୀର ପାଇଁ ହିତକର ବୋଲି ଜାଣାପଡିଥିଲା । ଏହା ପରେ ଦିନକୁ ଦିନ କରଡିର ଚାହିଦା ବଢିବାରେ ଲାଗିଛି । ଅଦିବାସୀଙ୍କ ପାଇଁ ଜୀବନ ଜୀବିକାର ରାହା ପାଲଟିିଛି କରଡି ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.