ETV Bharat / sports

ଖାତା ଖୋଲିପାରିଲେନି ଭାରତର 7 ବ୍ୟାଟର, 11 ବଲରେ ଗଲା 6 ୱିକେଟ୍‌

author img

By ETV Bharat Odisha Team

Published : Jan 3, 2024, 10:57 PM IST

ଖାତା ଖୋଲିପାରିଲେନି ଭାରତର 7 ବ୍ୟାଟର
ଖାତା ଖୋଲିପାରିଲେନି ଭାରତର 7 ବ୍ୟାଟର

IND vs SA 2nd Test: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା 2ୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଲଜ୍ଜ୍ୟାଜନକ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଭାରତର ପ୍ରଥମ ପାଳିରେ ଦଳର 7 ବ୍ୟାଟର କୌଣସି ରନ ନକରି ଆଉଟ୍‌ ହୋଇଛନ୍ତି । ତେବେ ଶେଷ 11 ବଲରେ ବିନା କୌଣସି ରନରେ 6 ୱିକେଟ୍‌ ହରାଇବା ଦଳକୁ ପ୍ରଶଂସକଙ୍କ ମଧ୍ୟରେ ସମାଲୋଚନା ମଧ୍ୟକୁ ଟାଣି ଆଣିଛି । ଅଧିକ ପଢ଼ନ୍ତୁ

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକାର ନ୍ୟୁଲ୍ୟାଣ୍ଡ କେପ୍‌ଟାଉନ୍‌ରେ ବୁଧବାର ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ । ତେବେ ପ୍ରଥମ ଦିନରେ ଅନେକ ଲଜ୍ୟାଜନକ ରେକର୍ଡ ସୃଷ୍ଟି ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା 23.2 ଓଭରରେ କେବଳ 55 ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଘରୋଇ ମାଟିରେ 2ୟ ଥର ପାଇଁ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର । ସେପଟେ ଭାରତୀୟ ବ୍ୟାଟର ମଧ୍ୟ ଆଜି ଏକ ଲଜ୍ଜ୍ୟାଜନକ ରେକର୍ଡ କରିଛନ୍ତି । ପ୍ରଥମ ଇନିଂସ୍‌ରେ 7 ଭାରତୀୟ ବ୍ୟାଟର ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ଏପରିକି ଭାରତ ପାଳିର ଶେଷ 11 ବଲରେ ବିନା କୌଣସି ରନରେ 6 ୱିକେଟ୍‌ ଖସି ଯାଇଥିଲା ।

ଖାତା ଖୋଲି ପାରିଲେନି ଭାରତର 7 ଖେଳାଳି: ମହମ୍ମଦ ସିରାଜଙ୍କ ଘାତକ ଆକ୍ରମଣରେ ଦକ୍ଷିଣ ଆଫ୍ରିକା ପ୍ରଥମ ସେସନ୍‌ରେ ହିଁ 55 ରନ କରି ଅଲ୍‌ ଆଉଟ୍‌ ହୋଇଥିଲା । ଏହାପରେ ପ୍ରଥମ ପାଳି ଖେଳିବାକୁ ଓହ୍ଲାଇଥିବା ଭାରତର ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ଶ୍ରେୟସ୍‌ ଆୟର କେବଳ 2ଟି ବଲ୍‌ ଖେଳି ଆଉଟ୍‌ ହେବାପରେ ଦଳ ସଙ୍କଟରେ ପଡ଼ିଥିଲା । ତେବେ ଟି-ବ୍ରେକ୍‌ ସୁଦ୍ଧା ଭାରତ 4 ୱିକେଟ୍‌ ବିନିମୟରେ 114 ରନ କରିଥିଲା । ସେତେବେଳକୁ ବିରାଟ କୋହଲି ଓ କେଏଲ୍‌ ରାହୁଲ କ୍ରିଜ୍‌ରେ ଉପସ୍ଥିତ ଥିଲେ । ଟି-ବ୍ରେକ୍‌ ପରେ କେବଳ 8 ରନ କରି ଆଉଟ୍‌ ହୋଇଯାଇଥିଲେ ରାହୁଲ । ସେତେବେଳକୁ ଭାରତର ସ୍କୋର 153/5 ହୋଇଯାଇଥିଲା । ଏହାପରେ ଯାହା ଘଟିଥିଲା, ତାହା ସତରେ ଆଶ୍ଚର୍ଯ୍ୟର ବିଷୟ ଥିଲା । ସେହି 153 ସ୍କୋରରେ ହିଁ ସମସ୍ତ ୱିକେଟ୍‌ ହରାଇଦେଇଥିଲା ଭାରତ ।

ଏହା ମଧ୍ଯ ପଢ଼ନ୍ତୁ...2ୟ ଟେଷ୍ଟ: କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ; ପ୍ରଥମ ଦିନରେ ଗଲା 23 ୱିକେଟ୍‌

ବିନା ରନ୍‌ରେ ଗଲା 6 ୱିକେଟ୍‌: ଭାରତୀୟ ଦଳ 153 ରନ ସ୍କୋରରେ 4ଟି ୱିକେଟ୍‌ ହରାଇଥିଲା । ଏହାପରେ ଆଗକୁ ଗୋଟିଏ ବି ରନ ନକରି ଅନ୍ୟ 6 ୱିକେଟ୍‌ ହରାଇ ଦେଇଥିଲା ଟିମ୍‌ ଇଣ୍ଡିଆ । କେଏଲ୍‌ ରାହୁଲ 8 ରନ କରି ପାଭିଲିୟନ ଫେରିବା ପରେ ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍‌ରା କୌଣସି ରନ ନକରି ଆଉଟ୍‌ ହୋଇଥିଲେ । ଏହାପରେ 46 ରନ କରିଥିବା କୋହଲି ମଧ୍ୟ ନିଜ ୱିକେଟ୍‌ ହରାଇଥିଲେ । ଏହାପରେ ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ମଧ୍ୟ କୌଣସି ରନ ନକରି ନିଜ ନିଜର ୱିକେଟ୍‌ ଫିଙ୍ଗି ଦେଇଥିଲେ । ଏହି ପାଳିର ଶେଷ 11 ବଲରେ ଭାରତ ବିନା କୌଣସି ରନରେ ଅଲ୍‌ଆଉଟ୍‌ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସିରାଜଙ୍କ ଘାତକ ବୋଲିଂରେ ଘାଇଲା ଦକ୍ଷିଣ ଆଫ୍ରିକା, ପ୍ରଥମ ପାଳିରେ ନେଲେ 6 ୱିକେଟ୍‌

ଗୋଟିଏ ଦିନରେ ଗଲା 23 ୱିକେଟ୍‌: ଆଜି ଗୋଟିଏ ଦିନ ହିଁ ଖେଳ ହୋଇଥିବାବେଳେ ଦୁଇଟି ପାଳି ଶେଷ ହୋଇ 3ୟ ପାଳି ଆରମ୍ଭ ହୋଇଛି । ପ୍ରଥମ ପାଳିରେ ମହମ୍ମଦ ସିରାଜ ଏକାକୀ 6 ୱିକେଟ୍‌ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲେ । ବୁମ୍‌ରା ଓ ମୁକେଶ 2ଟି ଲେଖାଏଁ ୱିକେଟ୍‌ ନେଇ କେବଳ 55 ରନରେ ଘରୋଇ ଦଳକୁ ଅଲ୍‌ ଆଉଟ୍‌ କରିଥିଲେ । ଏହାପରେ ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ପାଳିରେ 153 ରନ କରି 10ଟି ଯାକ ୱିକେଟ୍‌ ହରାଇଥିଲା । ଏହାପରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ପାଳିରୁ ମଧ୍ୟ ପ୍ରଥମ ଦିନ ଶେଷ ସୁଦ୍ଧା 3ଟି ୱିକେଟ୍‌ କାଢ଼ି ନେଇଛନ୍ତି ଭାରତୀୟ ପେସର । ଏହିଭଳି ଭାବରେ ଆଜି ଗୋଟିଏ ଦିନରେ 23 ୱିକେଟ୍‌ ଅକ୍ତିଆର କରିଛନ୍ତି ଦୁଇ ଦେଶର ପେସର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.