ETV Bharat / sports

2ୟ ଟେଷ୍ଟ: କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ; ପ୍ରଥମ ଦିନରେ ଗଲା 23 ୱିକେଟ୍‌

author img

By ETV Bharat Odisha Team

Published : Jan 3, 2024, 9:41 PM IST

କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ
କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ

IND vs SA 2nd Test: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ କେପ୍‌ଟାଉନ୍‌ରେ ବୋଲରଙ୍କ କମାଲ ଦେଖିବାକୁ ମିଳିଛି । ପ୍ରଥମ ଦିନରେ 23ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ଉଭୟ ଦଳର ପେସର । ଅଧିକ ପଢ଼ନ୍ତୁ...

କେପ୍‌ଟାଉନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ବୁଧବାର ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ କମାଲ କରିଛନ୍ତି ବୋଲର । ଉଭୟ ଦେଶର ପେସର ମାନେ ପ୍ରଥମ ଦିନରେ ପ୍ରତିପକ୍ଷ ଦଳ ପାଇଁ ବେଶ ଘାତକ ସାବ୍ୟସ୍ତ ହୋଇଛନ୍ତି । ଯେଉଁ କାରଣରୁ ଗୋଟିଏ ଦିନରେ 23 ୱିକେଟ୍‌ ଖସିଛି । ଏପରିକି ପ୍ରଥମ ଦିନରେ ଉଭୟ ଦେଶର ପ୍ରଥମ ଇନିଂସ୍‌ ଶେଷ ହୋଇ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ଘରୋଇ ଦକ୍ଷିଣ ଆଫ୍ରିକା ।

ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ଦ୍ବିତୀୟ ଟେଷ୍ଟ ଜିତି ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ଥିବା ଘରୋଇ ଦଳ ଅଧିନାୟକ ଆଡେନ୍‌ ମାରକ୍ରମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ମାରକ୍ରମଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି କଡ଼ା ଜବାବ ଦେଇଥିଲେ ଭାରତୀୟ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଏଏକାକୀ 6ଟି ୱିକେଟ୍‌ ଅକ୍ତିଆର କରିଥିଲେ ଭାରତର ଏହି ଷ୍ଟାର ବୋଲର । ପ୍ରଥମେ ନିଜେ ମାରକ୍ରମ ହିଁ ସରାଜଙ୍କ ଶିକାର ପାଲଟିଥିଲେ । କେବଳ 2 ରନ କରି ଆଉଟ୍‌ ହୋଇଥିଲେ ପ୍ରୋଟିୟସ ଅଧିନାୟକ । ତେବେ ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କେବଳ ଡେଭିଡ ବେଡିଂହାମ୍‌ (12) ଓ କାଇଲ୍‌ ବେରିନ୍‌ (15)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର 2 ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ 23.2 ଓଭରରେ କେବଳ 55 ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ଦକ୍ଷିଣ ଆଫ୍ରିକା ।

ଏହି ପାଳିରେ ଭାରତ ପାଇଁ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ମହମ୍ମଦ ସିରାଜ । ସେ ଏକାକୀ 6 ୱିକେଟ୍‌ ହାସଲ କରି ଦକ୍ଷିଣ ଆଫ୍ରିକାକୁ ବିପର୍ଯ୍ୟସ୍ତ ମଧ୍ୟକୁ ଠେଲି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ମୁକେଶ କୁମାର 2ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସିରାଜଙ୍କ ଘାତକ ବୋଲିଂରେ ଘାଇଲା ଦକ୍ଷିଣ ଆଫ୍ରିକା, ପ୍ରଥମ ପାଳିରେ ନେଲେ 6 ୱିକେଟ୍‌

ଭାରତ ପ୍ରଥମ ପାଳି: ଭାରତ ପାଇଁ ପାଳି ଆରମ୍ଭ କରିଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ହେଲେ ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ପାଳିକୁ ସମ୍ଭାଳି ନେଇଥିଲେ । ରୋହିତ 39 ଓ ଗିଲ୍‌ 36 ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ଗୋଟିଏ ପଟେ ବିରାଟ କୋହଲି ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା । କେଏଲ୍‌ ରାହୁଲ (8)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଖାତା ଖୋଲିପାରିନଥିଲେ । ତେବେ କୋହଲିଙ୍କ 46 ରନ ସହାୟତାରେ ଭାରତ ପ୍ରଥମ ପାଳିରେ 153 ରନ୍‌ରେ ନିଜ ପାଳି ଶେଷ କରିଥିଲା ।

ଏହି ପାଳିରେ ଦକ୍ଷିଣ ଆଫ୍ରିକା ବୋଲର ମଧ୍ୟ ବେଶ ଘାତକ ସାବ୍ୟସ୍ତ ହୋଇଥିଲେ । କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡି ଓ ନନ୍ଦ୍ରେ ବରଗେର୍‌ 3ଟି ଲେଖାଏଁ ୱିକେଟ୍‌ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।

ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ଗୋଟିଏ ଦିନରେ ଦୁଇ ଦୁଇଟି ପାଳି ଶେଷ ହେବାପରେ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ପାଳି । ଭାରତ ଠାରୁ 98 ରନ ପଛରେ ରହି 2ୟ ପାଳି ଆରମ୍ଭ କରିଥିଲା ପ୍ରୋଟିୟସ ଦଳ । ହେଲେ ଏହି ପାଳିରେ ମଧ୍ୟ ଭାରତୀୟ ବୋଲର ଘରୋଇ ବ୍ୟାଟରଙ୍କ ହାତ ବାନ୍ଧି ରଖିଛନ୍ତି । ନିଜ କ୍ୟାରିୟରର ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଡିନ୍‌ ଏଲଗର 12 ରନ କରିଥିବା ବେଳେ ସେ ମୁକେଶ କୁମାରଙ୍କ ବଲରେ ଆଉଟ୍‌ ହୋଇଥିଲେ । ଟୋନି ଡିଜୋର୍ଜି ମଧ୍ୟ ମୁକେଶଙ୍କ ଶିକାର ପାଲଟିଥିଲେ । ପ୍ରଥମ ଦିନ ଖେଳ ଶେଷ ହେବାବେଳେକୁ ଦକ୍ଷିଣ ଆଫ୍ରିକା ଅଧିନାୟକ ମାରକ୍ରମ 36 ଓ ଡେଭିଡ୍‌ ବେଡିଂହାମ୍‌ 7 ରନ କରି କ୍ରିଜ୍‌ରେ ମହଜୁଦ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.