ETV Bharat / sports

Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ

author img

By ETV Bharat Odisha Team

Published : Oct 29, 2023, 9:37 PM IST

Updated : Oct 29, 2023, 9:48 PM IST

ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର
ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର

ବିଶ୍ବକପ୍‌ ୨୦୨୩ ସେମିଫାଇନାଲ ଆଡ଼କୁ ଆଉ ପାଦେ ଆଗେଇଲା ଭାରତ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ବିଫଳ ହେବାପରେ ବୋଲର ଜିତାଇଲେ ମ୍ୟାଚ୍‌ । ଇଂଲଣ୍ଡ ଠାରୁ ୧୦୦ ରନରେ ଜିତିଲା ଭାରତ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କ ବିଫଳତା ପରେ ଭାରତକୁ ମ୍ୟାଚ୍‌ ଜିତାଇଲେ ବୋଲର । ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ କ୍ରମାଗତ ୫ ମ୍ୟାଚ୍‌ ଜିତି ଅପରାଜିତ ଥିବା ଭାରତ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଝୁଣ୍ଟିଥିଲା । ହେଲେ ଭାରତୀୟ ଇନ୍‌-ଫର୍ମ ବୋଲିଂ ଆଟାକ୍‌ ଆଜି ଦଳକୁ ମ୍ୟାଚ୍‌ ଜିତାଇଛି । ମହମ୍ମଦ ଶାମିଙ୍କ ସମେତ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଓ କୁଲଦୀପ ଯାଦବଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଶାମି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମ୍‌ରା ୩ଟି ଓ କୁଲଦୀପ ୨ଟି ୱିକେଟ ନେଇ ଭାରତକୁ ମ୍ୟାଚ୍‌ ଜିତାଇଛନ୍ତି । ଇଂଲଣ୍ଡ କେବଳ ୧୨୯ ରନରେ ଅଲ୍‌ଆଉଟ୍ ହେବା ସହ ଭାରତ ୧୦୦ ରନରେ ବିଜୟ ହାସଲ କରିଛି ।

ଭାରତ ବ୍ୟାଟିଂ: ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ କରିବା ପରେ ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ହେଲେ ଶୁଭମନ ଗିଲ୍‌ କେବଳ ୯ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ସମସ୍ତଙ୍କ ନଜର ଅଟକିଥିବା ବିରାଟ କୋହଲି ଆଜି ଖାତା ମଧ୍ୟ ଖୋଲିବାରେ ଅସଫଳ ହୋଇଥିଲେ । ଶ୍ରେୟସ ଆୟର ୪ ରନ କରି ଆଉଟ୍‌ ହେବାପରେ ରୋହିତଙ୍କ ସାଥ୍‌ ଦେଇଥିଲେ କେଏଲ୍‌ ରାହୁଲ । ଉଭୟ ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ । ରାହୁଲ ୫୮ ବଲରୁ ୩୯ ରନ କରି ଆଉଟ୍‌ ହୋଇଥିଲେ । ଆରମ୍ଭରୁ ଏକାକୀ ଇଂଲଣ୍ଡ ବୋଲରଙ୍କୁ ମୁହଁତୋଡ଼ ଜବାବ ଦେଉଥିବା ହିଟ୍‌ମ୍ୟାନ୍‌ ୮୭ ରନ କରି ଆଉଟ୍‌ ହୋଇଯାଇଥିଲେ । ତାଙ୍କର ପାଳିରେ ୧୦ ଚୌକା ଓ ୩ ଛକା ସାମିଲ ରହିଛି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ୪୯ ରନର ପାଳି ଖେଳି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା (୧୬)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୨୯ ରନ କରିଥିଲା ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅଧା ବ୍ୟାଟର ଆଣ୍ଠେଇଲେ, ଦମଦାର ଲଢ଼ିଲେ ରୋହିତ, ଇଂଲଣ୍ଡ ଆଗରେ ଟାର୍ଗେଟ୍‌ ୨୩୦

ଇଂଲଣ୍ଡ ବୋଲିଂ: ବେଶ ଶୃଙ୍ଖଳିତ ବୋଲିଂ କରି ଭାରତ ଭଳି ଇନ୍‌-ଫର୍ମ ବ୍ୟାଟିଂ ଲାଇନ୍‌-ଅପ୍‌କୁ ଧ୍ବସ୍ତ କରିବାରେ ଇଂଲଣ୍ଡ ସଫଳ ହୋଇଥିଲା । ଦଳ ପକ୍ଷରୁ ଡେଭିଡ୍‌ ୱିଲି ୧୦ ଓଭରରେ ୪୫ ରନ୍‌ ବ୍ୟୟରେ ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । କ୍ରିସ୍‌ ୱକ୍ସ ଓ ଆଦିଲ ରଶିଦ ୨ଟି ଲେଖାଏଁ ସଫଳତା ହାସଲ କରିଥିବାବେଳେ ମାର୍କ ଉଡ୍‌ଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

ଇଂଲଣ୍ଡ ବ୍ୟାଟିଂ: ଖରାପ ଫର୍ମ ଦେଇ ଗତି କରୁଥିବା ଡିଫେଣ୍ଡିଂ ଚମ୍ପିଆନ୍‌ ଆଗରେ ବିଜୟ ଟ୍ରାକ୍‌କୁ ଫେରିବା ପାଇଁ ସହଜ ଲକ୍ଷ୍ୟ ରହିଥିଲା । କେବଳ ୨୩୦ ରନ୍‌ର ଟାର୍ଗେଟ୍‌ ନେଇ ଓହ୍ଲାଇଥିବା ଇଂଲଣ୍ଡ ଦଳର କୌଣସି ବ୍ୟାଟର ୩୦ ରନ୍‌ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଲିଆମ୍‌ ଲିଭିଙ୍ଗଷ୍ଟୋନ ଦଳ ପାଇଁ ସର୍ବାଧିକ ୪୬ ବଲରୁ ସଙ୍ଘର୍ଷପୂର୍ଣ୍ଣ ୨୭ ରନ କରିଥିଲେ । ଜୋ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ପରି ଦମଦାର ବ୍ୟାଟର ଖାତା ଖୋଲିବାରେ ମଧ୍ୟ ସମର୍ଥ ହୋଇନଥିଲସେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରୁ କେହି ୨୦ ରନ ସ୍ପର୍ଶ ମଧ୍ୟ କରିପାରିନଥିଲେ । ଫଳରେ ୧୨୯ ରନରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଲକ୍ଷ୍ନୌରେ ହିଟ୍‌ମ୍ୟାନ୍‌ ଶୋ', ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପୂରଣ କଲେ ୧୮ ହଜାର ରନ

ଭାରତ ବୋଲିଂ: ସବୁ ମ୍ୟାଚ୍‌ ପରି ଆଜି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ବୋଲିଂ ବିଭାଗ ଦମଦାର ପ୍ରଦର୍ଶନ କରିଥିଲେ । ଅଭିଜ୍ଞ ମହମ୍ମଦ ଶାମି ଆଜି ଦଳ ପାଇଁ ୪ ୱିକେଟ୍‌ ସଫଳତା ହାସଲ କରିଥିଲେ । ସେ ୭ ଓଭରରୁ କେବଳ ୨୨ ରନ ଖର୍ଚ୍ଚ କରି ଏହି ସଫଳତା ହାସଲ କରିଥିଲେ । ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ୬.୫ ଓଭରରେ ୩୨ ରନ୍‌ ବ୍ୟୟ କରି ୩ଟି ୱିକେଟ୍‌ ହାସଲ କରିଥିବାବେଳେ କୁଲଦୀପ ଯାଦବ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 29, 2023, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.