ETV Bharat / opinion

କଳା ଟଙ୍କା ପାଇଁ ଆଶ୍ରୟସ୍ଥଳ ପାଲଟିଛି ସମବାୟ ବ୍ୟାଙ୍କ !

author img

By ETV Bharat Odisha Team

Published : Dec 25, 2023, 10:10 PM IST

need for cleansing the Cooperative banks
need for cleansing the Cooperative banks

Need for cleansing the Cooperative banks: ସମବାୟ ବ୍ୟାଙ୍କଗୁଡିକ ବୃଦ୍ଧି ପାଉଛି ଅର୍ଥ ହେରଫେର । କଳା ଟଙ୍କା ପାଇଁ ଆଶ୍ରୟସ୍ଥଳ ପାଲଟିଛି ଏହି ବ୍ୟାଙ୍କ । କଳା ଅର୍ଥକୁ ଧଳା ଟଙ୍କାରେ ରୂପାନ୍ତର କରିବା ପାଇଁ ବ୍ୟାକ୍ ଅଫିସ ଭାବରେ କାର୍ଯ୍ୟ କରୁଛି ସମବାୟ ବ୍ୟାଙ୍କ । ତେବେ ଏହି ଧାରାରେ କିପରି ଆସିବ ପରିବର୍ତ୍ତନ ? ଏଥିରେ ଇଡିର ଭୂମିକା କଣ ? ପଢନ୍ତୁ ଲେଖକ ପରିତାଲା ପୁରୁଷୋତ୍ତମଙ୍କ ଏହି ଆଲେଖ୍ୟ

ଲେଖକ- ପରିତାଲା ପୁରୁଷୋତ୍ତମ

ହାଇଦ୍ରାବାଦ: ସମବାୟ ବ୍ୟାଙ୍କଗୁଡିକରେ ଅର୍ଥ ହେରଫେର ତଥା କଳା ଟଙ୍କା ପାଇଁ ଏହା ଆଶ୍ରୟସ୍ଥଳ ପାଲଟିଥିବା ଅଭିଯୋଗ ହୋଇଛି । ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ଅଧୀନରେ ଥିବା ସମସ୍ତ ଆର୍ଥିକ ଅନୁଷ୍ଠାନକୁ ଆଣିବା, ଡିଜିଟାଇଜେସନ, ସ୍ବଚ୍ଛତା ଏବଂ ଶାସନ ପ୍ରଣାଳୀରେ ଉନ୍ନତି ଆଣିବା ପାଇଁ ସମବାୟ ବ୍ୟାଙ୍କଗୁଡିକର ନିୟମକୁ ସଂଶୋଧନ କରାଯିବା ଉଚିତ । ଶାସକ ଦଳର ଅନେକ ନେତା ଗଭର୍ଣ୍ଣିଂ ବଡିର ଅଂଶ ହୋଇଥିବାରୁ ଏଥିଲାଗି ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ । ଏହି ଗୋଟିଏ ପରିବର୍ତ୍ତନ କଳା ଅର୍ଥକୁ ବାହାର କରିବା ଏବଂ ଟିକସ ଅନୁପାତରେ ଉନ୍ନତି ଆଣିବାରେ ଏକ ବଡ ପ୍ରଭାବ ପକାଇପାରେ ।

ଅନେକ ସୂତ୍ରରୁ ଜଣାପଡ଼ିଛି ଯେ କିଛି ସମବାୟ ବ୍ୟାଙ୍କଗୁଡିକ କଳା ଅର୍ଥକୁ ଧଳା ଟଙ୍କାରେ ରୂପାନ୍ତର କରିବା ପାଇଁ ବ୍ୟାକ୍ ଅଫିସ ଭାବରେ କାର୍ଯ୍ୟ କରେ । ସେମାନେ ଅତି ସହଜରେ ନକଲି ପ୍ୟାନ କାର୍ଡକୁ ଗ୍ରହଣ କରନ୍ତି । KYC ନିୟମ ଅନୁଯାୟୀ ଜଣେ ଜମାକାରୀ ୫୦ ହଜାର ଟଙ୍କାରୁ କମ ଅର୍ଥ ଜମା କରିପାରିବ । ହେଲେ ଏହି ନିୟମକୁ ବେଖାତିର କରି ସମବାୟ ବ୍ୟାଙ୍କର ଶହ ଶହ ଆକାଉଣ୍ଟ ଖୋଲାଯାଉଛି । ଏହି ଅର୍ଥ ପରେ ବୃହତ ବେସରକାରୀ ବ୍ୟାଙ୍କଗୁଡିକୁ ସ୍ଥାନାନ୍ତରିତ କରାଯାଇଥାଏ । ଏପରି ଭାବରେ ଅନେକ ଭାରତୀୟ ଘରୋଇ ବ୍ୟାଙ୍କଗୁଡ଼ିକୁ ଏକ ସ୍ବଚ୍ଛ ଭାବମୂର୍ତ୍ତି ବଜାୟ ରଖିବାରେ ସକ୍ଷମ ହୋଇଥାନ୍ତି ।

ଗତ ୨ ଦଶନ୍ଧି ଧରି ସମବାୟ ବ୍ୟାଙ୍କ ଜରିଆରେ ଅନେକ କଳା ଧନ୍ଦା ଚାଲିଛି । ୧୯୯୨ ସିକ୍ୟୁରିଟି ସ୍କାମ ଏହି ସମବାୟ ବ୍ୟାଙ୍କର ପର୍ଦ୍ଦାଫାସ କରିଥିଲା । ଯେଉଁଥିରେ ଜଣାପଡ଼ିଥିଲା ଯେ ମର୍ସାଣ୍ଟାଇଲ କୋପରେଟିଭ ଆଣ୍ଡ ବ୍ୟାଙ୍କ ଅଫ କରଦ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ । ପରବର୍ତ୍ତୀ ସମୟରେ ଏହି ବ୍ୟାଙ୍କଗୁଡ଼ିକରେ ତାଲା ଝୁଲିଥିଲା । ଏପରିକି ଆଇନ ଆଖିରୁ ବର୍ତ୍ତିବା ଲାଗି ନକଲି ବ୍ୟାଙ୍କ ରସିଦର ମଧ୍ୟ ବ୍ୟବହାର ହୁଏ । ୨୦୦୦ ଦୁର୍ନୀତିରେ ଜଣାପଡ଼ିଥିଲା ଯେ କେଟାନ ପରେଖ ମାଧବପୁରା ସମବାୟ ବ୍ୟାଙ୍କକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବରେ ବ୍ୟବହାର କରିଥିଲେ । ନିଜ ବ୍ୟକ୍ତିଗତ ଫାଇଦା ଲାଗି ବ୍ୟାଙ୍କରୁ ସେ ୮୦୦ କୋଟି ଟଙ୍କା ବିନିଯୋଗ କରିଥିଲେ । ଫଳରେ ହଜାର ହଜାର ଜମାକାରୀଙ୍କ ଟଙ୍କା ଲୁଟ ହୋଇଥିବା ବେଳେ ଶେଷରେ ବ୍ୟାଙ୍କ ଭୁଶୁଡି ପଡିଥିଲା ।

ଏହା ବି ପଢନ୍ତୁ- କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ

ସମବାୟ ବ୍ୟାଙ୍କଗୁଡିକ ହୋମ ଟ୍ରେଡ୍ ସ୍କାମ ଫୋକସରେ ମଧ୍ୟ ରହିଥିଲେ । ୨୦୦୧ ମସିହାରେ ଦେଶର ପ୍ରାୟ ୨୫ରୁ ଅଧିକ ସମବାୟ ବ୍ୟାଙ୍କରୁ ୬୦୦ କୋଟି ଟଙ୍କା ଠକେଇ ହୋଇଥିଲା, ତନ୍ମଧ୍ୟରୁ ୧୩ଟି ବ୍ୟାଙ୍କ ମହାରାଷ୍ଟ୍ରର ଥିବା ବେଳେ ୧୨ଟି ଗୁଜୁରାଟର ସମବାୟ ବ୍ୟାଙ୍କ ରହିଥିଲା । ସମବାୟ ବ୍ୟାଙ୍କଗୁଡ଼ିକରେ ଅର୍ଥ ହେରଫେର ସମସ୍ୟା ଆର୍ଥିକ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ବିପଦ ସୃଷ୍ଟି କରିଥାଏ । କାରଣ ଏହା ଅବୈଧ ପାଣ୍ଠିକୁ ବୈଧ ଅର୍ଥନୀତିରେ ଏକୀକରଣକୁ ସହଜ କରିଥାଏ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୂମିକା:- ଏହି ଦିଗରେ ଆର୍ଥିକ ଅପରାଧର ପର୍ଦ୍ଦାଫାସ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଧରଣର ଯାଞ୍ଚ ଆରମ୍ଭ କରିଛି । ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ବ୍ୟତୀତ ସତରା ଜିଲ୍ଲା ସମବାୟ ବ୍ୟାଙ୍କ, ପୁଣେ ଜିଲ୍ଲା ସମବାୟ ବ୍ୟାଙ୍କ, ସିନ୍ଧୁଦୁର୍ଗ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ରତ୍ନାଗିରି ଜିଲ୍ଲା ସମବାୟ ବ୍ୟାଙ୍କଗୁଡି଼କୁ ଇଡି ନୋଟିସ ଜାରି କରିଛି । ମହାରାଷ୍ଟ୍ରର ଏହି ଜିଲ୍ଲା ସମବାୟ ବ୍ୟାଙ୍କଗୁଡିକ ବ୍ୟତୀତ ଇଡି ଆଦର୍ଶ କ୍ରେଡିଟ୍ କୋପରେଟିଭ ସୋସାଇଟିର ଯାଞ୍ଚ କରିଥିଲା । ଏହି ଯାଞ୍ଚରୁ ଜଣାପଡିଛି ଯେ ପ୍ରାୟ ୧୪୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହେରଫେରରେ ଏକ ୱେବ କାମ କରୁଛି । ଅସ୍ଥାବର ସମ୍ପତ୍ତି ଜବତ କରିବା ସହ ଇଡି ଅନେକ ଜାଲିଆତି କାର୍ଯ୍ୟକଳାପରେ ଲାଗିଥିବା ବ୍ୟାଙ୍କ ବାଲାନ୍ସକୁ ଫ୍ରିଜ୍ କରିଛି । ଏହି କାର୍ଯ୍ୟଗୁଡିକ ମନି ଲଣ୍ଡରିଂ ଆକ୍ଟ (PMLA) ର ନିୟମାବଳୀ ସହିତ ସମାନ । ଯାହାକି ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କ୍ଷମତା ପ୍ରଦାନ କରିଥାଏ ।

ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ (FIU)ର ଭୂମିକା:- ଏହି ଅର୍ଥ ହେରଫେର ବିରୁଦ୍ଧ ଲଢେଇରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ଏଜେନ୍ସି ସନ୍ଦିଗ୍ଧ ଟଙ୍କା ନେଣଦେଣ ଉପରେ ନଜର ରଖିଥାଏ । ଏଭଳି ଅପରାଧିକ କାର୍ଯ୍ୟର ପର୍ଦ୍ଦାଫାସ ପାଇଁ ଇଡି ଓ ଏଫଆଇୟୁ ମିଳିତ ଭାବେ କାର୍ଯ୍ୟ କରିଥାଏ । ସମବାୟ ବ୍ୟାଙ୍କଗୁଡ଼ିକ KYC ନିୟମକୁ ପାଳନ କରିଛି କି ନାହିଁ ସେ ଦିଗରେ ମଧ୍ୟ ଯାଞ୍ଚ ସମୟରେ ନଜର ରଖାଯାଏ ।

ଏହା ବି ପଢନ୍ତୁ- ସମବାୟ ବ୍ୟାଙ୍କ ଜାଲିଆତି ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ !

ପରିଶେଷରେ, ଏଭଳି ଠକେଇରୁ ବର୍ତ୍ତିବା ଲାଗି ସମସ୍ତ ହିତାଧିକାରୀଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ । ସମବାୟ କ୍ଷେତ୍ରରେ ଅର୍ଥ ହେରଫେର ଦୂର କରିବା ଏବଂ ଆର୍ଥିକ ବ୍ୟବସ୍ଥାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସରକାରୀ କର୍ତ୍ତୃପକ୍ଷ, ଆର୍ଥିକ ପ୍ରତିଷ୍ଠାନ ଏବଂ ସାଧାରଣ ଜନତା ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ । ଅର୍ଥ ହେରଫେର ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ବିଷୟରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଅର୍ଥ ହେରଫେର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଆର୍ଥିକ କାରବାରରେ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିଳିତ ଉଦ୍ୟମ ଆମର ସମବାୟ କ୍ଷେତ୍ରର ସୁରକ୍ଷା ତଥା ସ୍ଥିର ଅର୍ଥନୀତି ଗଠନରେ ସହାୟକ ହୋଇପାରିବ ।

(ଇନାଡୁ ସମ୍ପାଦକୀୟର ଓଡ଼ିଆ ଅନୁବାଦ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.