ETV Bharat / bharat

ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ସିସୋଦିଆ, ଦ୍ବିତୀୟ ଥର ଲାଗି ମିଳିଲା ଅନୁମତି

author img

By ETV Bharat Odisha Team

Published : Nov 10, 2023, 8:36 PM IST

ଆସନ୍ତାକାଲି (ଶନିବାର) ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ଗିରଫ ଆପ୍‌ ନେତା ମନୀଷ ସିସୋଦିଆ । ଦ୍ବିତୀୟ ଥର ଲାଗି ତାଙ୍କୁ ଏହି ଅନୁମତି ମିଳିଛି । ଅଧିକ ପଢନ୍ତୁ

Manish Sisodia
Manish Sisodia

ନୂଆଦିଲ୍ଲୀ: ଆପ୍‌ ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଅନୁମତି ଦେଲେ କୋର୍ଟ । ଆସନ୍ତାକାଲି (ଶନିବାର) ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟିବା ଲାଗି ସିସୋଦିଆଙ୍କୁ ସେସନ ଜଜ୍‌ ଏମକେ ନାଗପାଲ ଅନୁମତି ଦେଇଛନ୍ତି । ସିସୋଦିଆ ଗୁରୁବାର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି କୋର୍ଟରେ ଆବେଦନ କରିଥିଲେ । ତେବେ ଶୁକ୍ରବାର କୋର୍ଟ ଏହି ଅନୁମତି ଦେଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବରରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ସିସୋଦିଆଙ୍କ ହେପାଜତକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେପଟେ ରାଉଜ ଆଭେନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ଆବେଦନ ଖାରଜ ହେବା ପରେ ସିସୋଦିଆ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହା ଉପରେ ଗତ ୨ ମାସ ଧରି ଶୁଣାଣି ଜାରି ରହିଛି । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ସୁପ୍ରିମକୋର୍ଟରେ ମଧ୍ୟ ସିସୋଦିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛନ୍ତି ।

ଏହା ବି ପଢନ୍ତୁ- Delhi liquor Policy: 30ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

ଏହାରି ମଧ୍ୟରେ ସେ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଗୁରୁବାର ରାଉଜ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କୁ କୋର୍ଟ ଆଜି ଅନୁମତି ଦେଇଛନ୍ତି । ଫଳରେ ସିସୋଦିଆ ଦ୍ବିତୀୟ ଥର ଲାଗି ପତ୍ନୀଙ୍କୁ ଭେଟିବାକୁ ଯାଉଛନ୍ତି । ଗତ ଜୁନ ୩ ତାରିଖରେ ଅସୁସ୍ଥ ପତ୍ନୀଙ୍କୁ ଭେଟିଥିଲେ ସିସୋଦିଆ । ତାଙ୍କୁ ପୋଲିସ ହେପାଜତରେ ପତ୍ନୀଙ୍କୁ ଭେଟିବା ଲାଗି ଅନୁମତି ଦିଆଯାଇଥିଲା । ତେବେ ପତ୍ନୀଙ୍କୁ ଭେଟିବା ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ନିଜ ପରିବାର ବ୍ୟତୀତ ଆଉ କାହାକୁ ଭେଟିପାରିବେ ନାହିଁ କି ଫୋନ କିମ୍ବା ଇଣ୍ଟରନେଟର ବ୍ୟବହାର କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- Delhi Liquor Scam: କାଲି ୭ଘଣ୍ଟା ପତ୍ନୀଙ୍କୁ ସାକ୍ଷାତ କରିବେ ସିସୋଦିଆ

ସୂଚନା ଥାଉ କି ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା । ଏହାପରେ ଇଡି ପୁଣି ସିସୋଦିଆଙ୍କୁ ତିହାର ଜେଲରୁ ମାର୍ଚ୍ଚ ୯ ତାରିଖରେ ଗିରଫ କରିଥିଲା । ଏହାପରେ ମନୀଷ ସିସୋଦିଆ ୨ଟି ମାମଲାରେ ତିହାର ଜେଲରେ ବନ୍ଦୀ ରହିଛନ୍ତି । ଏହାପରେ ସିସୋଦିଆ ଜାମିନ ଆବେଦନ ଲାଗି ନିମ୍ନ ଅଦାଲତରୁ ଉଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏହି ଦୁଇ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଜାମିନ ଲାଗି ସିସୋଦିଆ ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.