ETV Bharat / bharat

ଲୋକସଭା ନିର୍ବାଚନ ୨୦୨୪: ୬ଷ୍ଠ ପର୍ଯ୍ୟାୟ ମତଦାନ ଶେଷ, EVMରେ ସିଲ୍‌ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ - Lok Sabha Election 2024 Phase 6

author img

By ETV Bharat Odisha Team

Published : May 25, 2024, 11:01 PM IST

Lok Sabha Election 2024 Phase 6: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ କେଉଁଠି କିପରି ଥିଲା, କେଉଁସବୁ ବଡ଼ ଚେହେରା ମୈଦାନରେ ଥିଲେ, କଣ ବଡ଼ ଘଟଣା ଘଟିଥିଲା ବିସ୍ତୃତ ଭାବରେ ଜାଣନ୍ତୁ

Lok Sabha Election 2024 Phase 6
Lok Sabha Election 2024 Phase 6 (ETV Bharat Odisha)

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ୭ଟି ପର୍ଯ୍ୟାୟରେ ଚଳିତ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଆଜି ଶେଷ ହୋଇଛି ୨୦୨୪ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ । ୬ଷ୍ଠ ପର୍ଯ୍ୟାୟରେ ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନରେ ମତଦାନ ହୋଇଥିଲା । ମୈଦାନରେ ଥିଲେ ମୋଟ ୮୮୯ ପ୍ରାର୍ଥୀ । କେଉଁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଥିବାବେଳେ କିଛି ସ୍ଥାନରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଏହା ସହିତ ଏହି ୫୮ ଆସନରେ ହାରାହାରି ୫୮.୯୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୭.୯୯ ପ୍ରତିଶତ ମତଦାନ ହୋଇଥିବାବେଳେ ସର୍ବନିମ୍ନ ୫୨.୦୭ ପ୍ରତିଶତ ମତଦାନ ଜମ୍ମୁ ଓ କାଶ୍ମୀରରେ ରେକର୍ଡ ହୋଇଛି ।

Lok Sabha Election 2024 Phase 6
Lok Sabha Election 2024 Phase 6 (ETV Bharat Odisha)

ମୈଦାନରେ ଥିଲେ ୮୮୯ ପ୍ରାର୍ଥୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ମୋଟ ୮୮୯ ପ୍ରାର୍ଥୀ ରହିଥିଲେ । ସେଥିମଧ୍ୟରୁ ୭୯୧ ଜଣ ପୁରୁଷ, ୯୫ ଜଣ ମହିଳା ଓ ତୃତୀୟ ଲିଙ୍ଗୀ ୩ ଜଣ ପ୍ରାର୍ଥୀ ରହିଥିଲେ । ଏହି ପର୍ଯ୍ୟାୟରେ ମୋଟ ୨୦୨୫ ପ୍ରାର୍ଥୀ ନାମାଙ୍କନ ଭରିଥିବାବେଳେ ୧୩୯୯ଙ୍କ ପ୍ରାର୍ଥୀପତ୍ର ଗ୍ରହଣ କରାଯାଇଥିଲା । ଯାଞ୍ଚ ପରେ ୫୭୭ଜଣଙ୍କର ପ୍ରତ୍ୟାଖ୍ୟାନ କରାଯାଇଥିବାବେଳେ ୪୮ ଜଣ ପ୍ରାର୍ଥୀ ନିଜଆଡ଼ୁ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ମୋଟ ୧୮୮ ରାଜନୈତିକ ଦଳର ପ୍ରାର୍ଥୀ ଷଷ୍ଠ ପର୍ଯ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରୁ ହରିୟାଣା କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ରହିଥିବାବେଳେ ବିହାରର ମହାରାଜଗଞ୍ଜରେ ସର୍ବନିମ୍ନ ୫ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ ହୋଇଛି ।

Lok Sabha Election 2024 Phase 6
Lok Sabha Election 2024 Phase 6 (ETV Bharat Odisha)

ପ୍ରମୁଖ ଆସନ: ଷଷ୍ଠ ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ କୁରୁକ୍ଷେତ୍ର, ଶିବହର, ନୂଆଦିଲ୍ଲୀ, କର୍ଣ୍ଣଲ, ହିସାର, ଉତ୍ତର-ପୂର୍ବ ଦିଲ୍ଲୀ, ସମ୍ବଲପୁର, କଟକ, ପୁରୀ, ଭୁବନେଶ୍ବର, ଜୌନପୁର, ମଛଲିସହର, ତାମଲୁକ, ଘଟଲ, ମେଦିନପୁର, ବିଷ୍ଣୁପୁର, ଅନନ୍ତନାଗ-ରଜୋରି, ପୂର୍ବ ଚମ୍ପାରଣ ଭଳି ହାଇପ୍ରୋଫାଇଲ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।

Lok Sabha Election 2024 Phase 6
Lok Sabha Election 2024 Phase 6 (ETV Bharat Odisha)

ଚର୍ଚ୍ଚିତ ଚେହେରା: ଷଷ୍ଠ ପର୍ଯ୍ୟାୟ ମତଦାନରେ ବହୁ ଚର୍ଚ୍ଚିତ ଓ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବ ଚମ୍ପାରଣ ବିଜେପି ପ୍ରାର୍ଥୀ ରାଧା ମୋହନ ସିଂ, ନୂଆଦିଲ୍ଲୀ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ, ଆପ୍‌ ନୂଆଦିଲ୍ଲୀ ପ୍ରାର୍ଥୀ ସୋମନାଥ ଭାରତୀ, ଉତ୍ତର-ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ, ଉତ୍ତର-ପୂର୍ବ ଦିଲ୍ଲୀ କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାର, ଅନନ୍ତନାଗରୁ JKPDP ପ୍ରାର୍ଥୀ ମେହବୁବା ମୁଫ୍‌ତି, ସମ୍ବଲପୁର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣଲ ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର, ସୁଲତାନପୁର ବିଜେପି ପ୍ରାର୍ଥୀ ମେନକା ଗାନ୍ଧୀ, କୁରୁକ୍ଷେତ୍ର ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ, କଟକ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର, ପୁରୀ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ତାମଲୁକ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ । ଏଭଳି ବହୁ ଚର୍ଚ୍ଚିତ ଚେହେରାଙ୍କର ୬ଷ୍ଠ ପର୍ଯ୍ୟାୟରେ ହୋଇଛି ଭାଗ୍ୟ ପରୀକ୍ଷା ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ତୃତୀୟ ପର୍ଯ୍ୟାୟ ଭୋଟିଂ, EVMରେ ସିଲ୍ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ - Third Phase Voting Ends

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ: ୬ଷ୍ଠ ପର୍ଯ୍ୟାୟ ମତଦାନ ଦେଶରେ ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଥିଲେ । କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ଝରଗ୍ରାମ ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଣତ ଟୁଡୁ ଆକ୍ରମଣର ଶିକାର ହୋଇଥିବା ଖବର ଆସି ପହଞ୍ଚିଥିଲା । ସେ ମୋଙ୍ଗଲାପୋଟା ୨୦୦ ନଂ ବୁଥ ଭ୍ରମଣରେ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାପରେ ସେ ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲ ଯାଇଥିଲେ । ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ରଖି ସେ କହିଥିଲେ, "ଗତକାଲି ଆମେ ଖବର ପାଇଲୁ ଯେ ଏଠାରେ ବିଜେପି ଭୋଟରଙ୍କୁ ମତଦାନ କରିବାକୁ ସୁଯୋଗ ଦିଆଯାଉନାହିଁ । ଏହା ଶୁଣି ଆମେ ଆଜି ପରିସ୍ଥିତି ଦେଖିବାକୁ ଆସିଥିଲୁ । ହେଲେ ଏଠାରେ ପ୍ରାୟ ୨୦୦ ଲୋକ ଆମକୁ ଠେଙ୍ଗା ଓ ପଥର ମାଡ଼ କରିଥିଲେ । ଏଠାରେ କେନ୍ଦ୍ରୀୟ ବଳ ନଥିଲେ ହୁଏତ ଆମର ଆଜି ହତ୍ୟା ହୋଇଯାଇଥାଆନ୍ତା ।"

ଓଡ଼ିଶାରେ ନିର୍ବାଚନୀ ହିଂସା: ଓଡ଼ିଶାରେ ଆଜି ୬ ଲୋକସଭା ଓ ଏହା ଅଧିନରେ ଥିବା ୪୨ ବିଧାନସଭା କ୍ଷେତ୍ରରେ ଭୋଟ ପଡ଼ିଥିଲା । ରାଜ୍ୟରେ କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଦୁଇ କର୍ମୀ ଆହତ ହେଇଥିବା ଅଭିଯୋଗ ହେଇଛି । ସେହିଭଳି ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗଡ଼ରୋଢଙ୍ଗର 127 ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର EVM ତ୍ରୁଟି ଯୋଗୁ ଉତ୍ତେଜନା ହେବା ସହ ବିଳମ୍ବରେ ମତଦାନ ହୋଇଥିଲା । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ । ସେହିଭଳି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ମତଦାନରେ ପାତରଅନ୍ତରକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ଦେଖିବାକୁ ମିଳିଥିଲା । ଏହାସହ ଜଣେ ମହିଳା ଭୋଟରଙ୍କ ନାଁରେ ଅନ୍ୟ କେହି ଭୋଟ ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଥରେ ଉତ୍ତେଜନା, କାମାକ୍ଷାନଗରରେ ପ୍ରିଜାଡିଙ୍ଗ ଅଫିସରଙ୍କୁ ବିରୋଧ - Poll Violence In 3rd Phase Election

ଭୋଟ ଦେଲେ ରାଷ୍ଟ୍ରପତି-ପ୍ରଧାନ ବିଚାରପତି: ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନରେ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ଥିବା ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ମହିଳା ପରିଚାଳିତ ପିଙ୍କ୍‌ ବୁଥରେ ଭୋଟ ଦେଇଥିଲେ ରାଷ୍ଟ୍ରପତି । ସମ୍ପୂର୍ଣ୍ଣ ଭୋଟିଂ ପ୍ରକ୍ରିୟା ଅନୁସାରେ, ରାଷ୍ଟ୍ରପତି ଭୋଟ ଦେବା ସହ ବୁଥରେ କରାଯାଇଥିବା 'ଭୋଟିଂ ସେଲ୍ଫିଂ ପଏଣ୍ଟ'ରେ ଫଟୋ ଉଠାଇ ମତଦାତାଙ୍କୁ ଉତ୍ସାହିତ କରିଥିଲେ । ସମାନ ଭାବରେ ଦିଲ୍ଲୀର ଏକ ବୁଥରେ ନିଜର ମତ ସାବ୍ୟସ୍ତ କରିଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ଭୋଟ ଦେବା ପରେ ସେ ଭୋଟ ଦେଇ ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପୂରଣ କରିଥିବା କହିଥିଲେ । ଏହାସହିତ ଦେଶବାସୀ ଭୋଟ ଦେଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ସେ ଅପିଲ୍‌ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ, ଭୋଟ ଦେଲେ ପ୍ରଧାନ ବିଚାରପତି - CJI DY Chandrachud cast his vote

ଓଡ଼ିଶାରେ ଭୋଟ ବର୍ଜନ କଲେ ଭୋଟର: ଓଡ଼ିଶାରେ ଆଜି ଢେଙ୍କାନାଳ ସମେତ ୬ ଲୋକସଭା ଓ ଏହା ଅଧିନରେ ଥିବା ୪୨ ବିଧାନସଭା କ୍ଷେତ୍ରରେ ଭୋଟ ପଡ଼ିଥିଲା । ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି । ବାଘମୁଣ୍ଡା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ସ୍ତରରେ କେହି ସେମାନଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇ ଭୋଟ ବର୍ଜନ କରିଛନ୍ତି । ଗ୍ରାମର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କ ଗ୍ରାମକୁ ସ୍ଥାୟୀ ରାସ୍ତାଟିଏ ନାହିଁ, ପାନୀୟଜଳର ସମସ୍ୟା ଅତି ଜଟିଳ ସ୍ଥିତି । ଏପରିକି ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଆଦି ମୌଳିକ ସମସ୍ୟାକୁ ନେଇ ଦୀର୍ଘ ବର୍ଷ ହେଲା ଗ୍ରାମବାସୀମାନେ ଅବହେଳିତ ହୋଇ ରହିଛନ୍ତି । ଏନେଇ ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରି ଆସୁଛନ୍ତି ଗ୍ରାମବାସୀ । ହେଲେ ଗ୍ରାମବାବୀଙ୍କ ସମସ୍ୟାର ସମାଧାନ କରିବାକୁ କେହି ଆଗ୍ରହ ଦେଖାଇନାହାନ୍ତି । ଫଳରେ ଗ୍ରାମର ସମସ୍ତେ ଏକାଠି ହୋଇ ଭୋଟ କେନ୍ଦ୍ରକୁ ନଯିବାକୁ ନିଷ୍ପତି ନେଇ ଭୋଟ ବର୍ଜନ କରିଥିଲେ । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘୁମୁଣ୍ଡା ଗ୍ରାମର ୬୫ ନମ୍ବର ବୁଥ ସମ୍ପୂର୍ଣ୍ଣ ଖାଲି ରହିଥିବା ଜଣାପଡିଛି । ଏହି ବୁଥରେ ୫୪୦ଜଣ ଭୋଟର ରହିଥିବା ବେଳେ କେହି ଜଣେ ମଧ୍ୟ ଭୋଟ ଦେଇନଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.