ETV Bharat / state

ସରିଲା ତୃତୀୟ ପର୍ଯ୍ୟାୟ ଭୋଟିଂ, EVMରେ ସିଲ୍ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ - Third Phase Voting Ends

author img

By ETV Bharat Odisha Team

Published : May 25, 2024, 10:24 PM IST

Third Phase Voting Ends: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ହାଇପ୍ରୋଫାଇଲ ଆସନ ପାଇଁ ମତଦାନ ହୋଇଛି । କେଉଁଠି ହିଂସାର ଘଟଣା ସାମନାକୁ ଆସିଛି ତ କେଉଁଠି ଇଭିଏମ କାମ ନକରିବା ଯୋଗୁଁ ବିଳମ୍ବରେ ମତଦାନ ହୋଇଛି । ବହୁ ହେଭିୱେଟ୍ ବି ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି । କେମିତି ଥିଲା ଆଜିର ମତଦାନ ପ୍ରକ୍ରିୟା, ଜାଣନ୍ତୁ ।

Third Phase Voting Ends
Third Phase Voting Ends (ETV Bharat Odisha)

ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟର 6 ଲୋକସଭା ଆସନ ଭୁବନେଶ୍ବର, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ସମ୍ବଲପୁର ଲୋକସଭା ଆସନରେ ଭୋଟଗ୍ରହଣ ହୋଇଛି । ଏହି ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ, କଟକ ହେଉଛି ହାଇପ୍ରୋଫାଇଲ ଆସନ । ଏହି ପର୍ଯ୍ୟାୟରେ ମୋଟ ୩୮୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଶେଷ ସୂଚନା ସୁଦ୍ଧା ୬୦.୦୭% ମତଦାନ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ୫୩.୫୪%, କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭%, ସମ୍ବଲପୁରରେ ୬୮.୮୭% ମତଦାନ ହୋଇଛି ।

Third Phase Voting Ends
Third Phase Voting Ends (ETV Bharat Odisha)

EVM ଭାଙ୍ଗିଲେ ପ୍ରଶାନ୍ତ ଜଗଦ୍ଦେବ: ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର କାଉଁରୀପାଟଣା ଉନ୍ନିତ ମଧ୍ୟ ଇଂରାଜୀ ସ୍କୁଲରେ ମତଦାନ ଚାଲିଥିଲା । ଏହି ଘଟଣାରେ ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବୁଥରେ ପଶି ଇଭିଏମ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ପୋଲିସ ତାଙ୍କୁ ଅଟକ ରଖିଥିଲା ।

BLOଙ୍କ କାର୍ଯ୍ୟକଳାପକୁ ପ୍ରତିବାଦ: ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନ ପାଇଁ ବାଲିଅନ୍ତା ଥାନା ବାଳକାଟି ପ୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମତଦାନ ସମୟରେ ବୁଥରେ ଥିଲେ ବି.ଏଲ.ଓ । ଭୁବନେଶ୍ବର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହାକୁ ବିରୋଧ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।

ପୁରୀରେ ନିର୍ବାଚନୀ ହିଂସା ଅଭିଯୋଗ: ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଦୁଇ କର୍ମୀ ଆହତ ହେଇଥିବା ଅଭିଯୋଗ ହୋଇଥିଲା । ଆହତ ଦୁଇ କର୍ମୀ ହେଲେ ବିଶ୍ଵ ରଞ୍ଜନ ରାଉଳ ଏବଂ ସଂଗ୍ରାମ ପରିଡ଼ା ।

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଗଣ୍ଡଗୋଳ: ସିମିଳିସାହିରେ ବିଜେଡି ବିଧାୟକ ସୁଶାନ୍ତ ବେହେରା ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ଓ ପରେ ଗଣ୍ଡଗୋଳ ହୋଇଥିଲା । ପୋଲିସ ସେଠାରେ ବୁଝାସୁଝା କରିଥିଲା ।

Third Phase Voting Ends
Third Phase Voting Ends (ETV Bharat Odisha)

ଢେଙ୍କାନାଳରେ ଭୋଟରଙ୍କ ଅସନ୍ତୋଷ: ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ୧୩୧ ନମ୍ବର ବୁଥରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ମତଦାନରେ ପାତରଅନ୍ତରକୁ ନେଇ ଅଞ୍ଚଳବାସୀଙ୍କ କ୍ଷୋଭ ପ୍ରକାଶ ପାଇଥିଲା । ଏହାସହ ଜଣେ ମହିଳା ଭୋଟରଙ୍କ ନାଁରେ ଅନ୍ୟ କେହି ଭୋଟ ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅଞ୍ଚଳବାସୀ ପ୍ରିଜାଡିଂ ଅଫିସରଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ମନ୍ତ୍ରୀଙ୍କ ଉପସ୍ଥିତିରେ ହାତାହାତି: କଟକ ଲୋକସଭା ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ନିର୍ବାଚନୀ ହିଂସା ଦେଖାଦେଇଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ରାଧାଗୋବିନ୍ଦପୁର ବୁଥରେ ଭୋଟ ଦେବାକୁ ଆସିଥିବା ସମୟରେ ଶାସକ ଓ ବିରୋଧୀ ଦଳର କର୍ମୀମାନେ ହାତାହାତି ହୋଇଥଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ବ୍ରହ୍ମଗିରିରେ ମତଦାନ ବିଳମ୍ବ: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଗଡ଼ରୋଢଙ୍ଗର 127 ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଥିଲା । ବାରମ୍ବାର EVM ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ହୋଇଥିଲା ।

ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ସାଙ୍ଘାତିକ ଅଭିଯୋଗ ଆଣିଥିଲେ । 119 ନମ୍ବର ବୁଥରେ ବିଜେଡି ଏଜେଣ୍ଟ ଭୋଟରଙ୍କୁ ପ୍ରଭାବିତ କରୁଥିବାବେଳେ ପ୍ରିଜାଇଡିଂ ଅଫିସର ସହଯୋଗ କରୁଥିବା ନେଇ ଅଭିଯୋଗ କରିଥିଲେ ଉପାସନା । ଏହାକୁ ବିରୋଧ କରିବାରୁ ତାଙ୍କ ପ୍ରତି ବିଜେଡି କର୍ମୀ ଅପଶବ୍ଦ ପ୍ରୟୋଗ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

Third Phase Voting Ends
Third Phase Voting Ends (ETV Bharat Odisha)

ମତଦାନ କେନ୍ଦ୍ରରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ: ଢେଙ୍କାନାଳର ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନଂ. ୬୫ରେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ । ମୃତକ ହେଲେ ହିନ୍ଦୋଳ ନୂଆବଗ ପଞ୍ଚାୟତ ଅନ୍ତର୍ଗତ ବାହଲୁଣ୍ଡା ଗ୍ରାମର ଶୁକ ଦେବ ପଟ୍ଟନାୟକ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଗ୍ରାମବାସୀଙ୍କ ଭୋଟ ବର୍ଜନ: ପରଜଙ୍ଗ ବାଘମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବୁଥ ନଂ.୬୫ରେ ଭୋଟ ବର୍ଜନ କରିଛନ୍ତି ଲୋକେ । ରାସ୍ତା ଘାଟ ଓ ପାନୀୟ ଜଳ ସମସ୍ୟା ନେଇ ସେମାନେ ଭୋଟ ବର୍ଜନ କରିଛନ୍ତି ।

ଭୋଟ ଦେଇନପାରି ମତଦାତା ନିରାଶ: ଭୁବନେଶ୍ବରର କିଛି ସ୍ଥାନରେ ଭୋଟର ତାଲିକାରେ ନାଁ ନଥିବାରୁ ବୁଥକୁ ଆସି ଶେଷରେ ନିରାଶ ହୋଇ ଫେରିଛନ୍ତି ଭୋଟର । ପୂର୍ବରୁ ସେମାନେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଆସୁଥିବାବେଳେ ଏଥର ନାଁ ନଥିବାରୁ ପ୍ରଶ୍ନ ଉଠାଇଛନ୍ତି ଭୋଟର ।

EVM ଅଚଳ: କଟକ, କାମାକ୍ଷାନଗର, ବାଙ୍କୀ, କେନ୍ଦୁଝରର ଗୋଟିଏ ଗୋଟିଏ ବୁଥରେ ଇଭିଏମ ଅଚଳ ନେଇ ଅଭିଯୋଗ ଆସିଥିଲା ।

ସଖୀ ବୁଥ୍ ଓ ସେଲଫି ଜୋନ: ଚଳିତ ନିର୍ବାଚନରେ ସଖୀ ବୁଥ୍ ସଂଖ୍ୟା ଢେର ଅଧିକ ରହିଥିଲା । ଯେଉଁଠାରେ ମହିଳାମାନେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟ ସମ୍ପାଦିତ କରିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହୋଇଥିବା ସେଲଫି ଜୋନକୁ ନେଇ ଉତ୍ସାହ ଦେଖାଦେଇଥିଲା ।

ଭୋଟ ଦେଲେ ରାଜ ପରିବାର: ପୁରୀରେ ମତାଧିକାର ସାବ୍ୟସ୍ତ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟ ସିଂହଦେବ । ପତ୍ନୀ ତଥା ମହାରାଣୀ ଲୀଳାବତୀ ପାଟମହାଦେଇଙ୍କ ସହ ମହାରାଜ ୧୫ ନମ୍ବର ୱାର୍ଡର ଦୋଳମଣ୍ଡପ ସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟର 114 ନମ୍ବର ବୁଥରେ ଭୋଟ ଦେଇଛନ୍ତି ।

Third Phase Voting Ends
Third Phase Voting Ends (ETV Bharat Odisha)

ଭୋଟ ଦେଲେ ନୂଆ ପ୍ରାର୍ଥୀ: ଚଳିତ ନିର୍ବାଚନରେ ରାଜନୀତିରେ ଡେବ୍ୟୁ କରିଛନ୍ତି ନବାଗତ । ସେମାନଙ୍କ ମଧ୍ୟରେ ଫୋକସରେ ରହିଛନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ । ସେ ବାରବାଟୀ-କଟକରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିପରି ପ୍ରଥମ ଥର ନିର୍ବାଚନ ଲଢୁଥିବା କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ଭୋଟ ଦେଇଛନ୍ତି । ଏହାସହ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବେ ବିଜେଡି ଟିକଟରୁ ଲଢୁଥିବା ମନ୍ମଥ ମଧ୍ୟ ମତାଧିକାର ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ଟିକଟରୁ ପ୍ରଥମ ଥର ନିର୍ବାଚନ ଲଢୁଥିବା ୟାଶୀର ନୱାଜ ମଧ୍ୟ ଭୋଟ୍ ଦେଇଛନ୍ତି ।

ଏହା ବି ପଢନ୍ତୁ...ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ସିଟ; ମଇଦାନରେ ବହୁ ହେଭିୱେଟ, ତ୍ରିମୁଖୀ ଲଢେଇରେ କିଏ ହେବ ବାଜିଗର ?

ଭୋଟ ଦେଲେ ହେଭିୱେଟ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍ ଦେଇଛନ୍ତି । ରୋଡ୍ରମ କୋଲନିର ୟୁପି ସ୍କୁଲରେ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିପରି ବିଜେଡି ନେତା ଭିକେ ପାଣ୍ଡିଆନ ଅଟୋ ୟୋଗେ ଆସି ଭୋଟ ଦେଇଛନ୍ତି । ସେହିପରି ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଭୁବନେଶ୍ବରରେ ମତ ସାବ୍ୟସ୍ତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ସାସଂଦ ପ୍ରାର୍ଥୀ ସମ୍ବିତ ପାତ୍ର । କଟକ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମଧ୍ୟ ପରିବାର ସହ ଆସି ମତଦାନ କରିଛନ୍ତି । ସେହିପରି କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବି ଭୁବନେଶ୍ବରରେ ମତ ସାବ୍ୟସ୍ତ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ମଧ୍ୟ ଆଜି ମତଦାନ କରିଛନ୍ତି ।

Third Phase Voting Ends
Third Phase Voting Ends (ETV Bharat Odisha)

ଭୋଟ ଦେଲେ ଓଲିଉଡ ତାରକା: ଓଲିଉଡ ଅଭିନେତା ତଥା ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଭୁବନେଶ୍ୱରର ଏକ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି । ସେହିପରି ବାବୁସାନ, ଅର୍ଚ୍ଚିତା, ଶିବାନୀ ଓ ଅନୁ ଚୌଧୁରୀ ଆଜି ଭୋଟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.