ETV Bharat / bharat

Delhi liquor Policy: 30ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

author img

By ETV Bharat Odisha Team

Published : Oct 28, 2023, 8:53 PM IST

30 ତାରିଖରେ ସିସୋଦିଆଙ୍କ ବେଲ ଆବେଦନର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ଚଳିତ ବର୍ଷ ଫେବୃଆରୀରେ ଗିରଫ ହେବା ପରେ ବେଲ ପାଇନାହାନ୍ତି ସିସୋଦିଆ । ଅଧିକ ପଢନ୍ତୁ

Delhi liquor policy: 30 ରେ ସିସୋଦିଆଙ୍କ ବେଲ ଆବେଦନର ରାୟ
Delhi liquor policy: 30 ରେ ସିସୋଦିଆଙ୍କ ବେଲ ଆବେଦନର ରାୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବେଲ ଆବେଦନର ରାୟ ଚଳିତ 30 ତାରିଖରେ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବାକୁ ଯାଉଛନ୍ତି । ଉଭୟ କେନ୍ଦ୍ରୀୟ ସଂସ୍ଥା ଇଡି ଓ ସିବିଆଇ ଦ୍ବାରା ଗିରଫ ହୋଇ ସିସୋଦିଆ ଏବେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ତେବେ ତଳ କୋର୍ଟରୁ ଏକାଧିକ ଥର ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ଏକାଧିକ ଶୁଣାଣି ପରେ ସର୍ବୋଚ୍ଚ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଯାହା 30 ରେ ପ୍ରକାଶ ପାଇବାକୁ ଯାଉଛି ।

ଚଳିତ ବର୍ଷ ଫେବୃଆରୀରେ ଏହି ବହୁଚର୍ଚ୍ଚିତ ମାମଲାରେ ଗିରଫ ହୋଇଥିଲେ ସିସୋଦିଆ । ସେତେବେଳେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ । ଏକାଧିକ ରାଉଣ୍ଡର ସମନ, କାର୍ଯ୍ୟାଳୟ ଓ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏବେ ସେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।

ଚଳିତ ମାସରେ ଏହି ମାମଲାରେ ଦଳର ଅନ୍ୟତନ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି । ଏବେ ଆମ ଆଦମୀ ପାର୍ଟିର ଅନ୍ୟ କିଛି ନେତା ମଧ୍ୟ ଏହି ଅବକାରୀ ନୀତି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥାର ସ୍କାନରରେ ରହିଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇ ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ: ଶରଦ

ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ତମାମ ଦଳୀୟ ନେତା ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କହି ଆସିଛନ୍ତି । ଏହା ବିଜେପି ସରକାରର ଏକଛତ୍ରବାଦ ବୋଲି ଦଳ କହିଛି । ଏବେ ମୁଖ୍ଯମନ୍ତ୍ରୀଙ୍କ ସରକାରୀ ବଙ୍ଗଳାର ନବୀକରଣରେ ଅନିୟମିତତା ମାମଲାରେ ମଧ୍ୟ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.