ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଫେରାଇ ଆଣିବାକୁ ଲଢ଼େଇ ଜାରି ରହିବ: ଉମାବଲ୍ଲଭ ରଥ - Odisha Assemby Election 2024

By ETV Bharat Odisha Team

Published : May 5, 2024, 8:26 PM IST

thumbnail
Uma Ballav Rath Congress Candidate (ETV BHARAT ODISHA)

Uma Ballav Rath Congress Candidate: ପୁରୀ: ପୁରୀ ସଦର‌ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ‌ ପାଇଁ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ଟିକଟ ଦେଇଥିବା ଯୁବନେତା ସୁଜିତ ମହାପାତ୍ରଙ୍କୁ ପରିବର୍ତ୍ତନ କରି ଏଠାରୁ ବରିଷ୍ଠ ନେତା ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏହାପରେ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉମାବଲ୍ଲଭ । ସେ ପୁରୀବାସୀଙ୍କ ମୌଳିକ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବା ନେଇ ଆଶା ରଖିଛନ୍ତି ।

ଗତକାଲି ପୁରୀ ବିଧାନସଭା ଆସନ ପାଇଁ ସୁଜିତ ମହାପାତ୍ର କଂଗ୍ରେସ ଦଳ ପକ୍ଷରୁ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ କଂଗ୍ରେସ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି । କେବଳ ସେତିକି ନୁହେଁ, ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଟିକଟ ଫେରାଇବା ପରେ ତାଙ୍କ ସ୍ଥାନରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ପକ୍ଷରୁ ପୁରୀ ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉମାବଲ୍ଲଭ । ସେ କହିଛନ୍ତି, "କଂଗ୍ରେସ ପକ୍ଷରୁ ସର୍ଭେ କରାଯାଇଥିବାବେଳେ ଦଳର ନେତୃବୃନ୍ଦ ସେହି ଆଧାରରେ ମୋତେ ପ୍ରାର୍ଥୀ ଘୋଷଣା କରିଛନ୍ତି । ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି କିଭଳି କୃଷକମାନଙ୍କ ହାତକୁ ଫେରିବ, ସେ ଦିଗରେ ଲଢ଼େଇ ଜାରି ରଖିବି । ପୁରୀ ସଦର ବିଧାନସଭାବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିବି ।"

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ଜିଲ୍ଲା କଂଗ୍ରେସ ଅଫିସରେ ବ୍ୟାପକ ଭଙ୍ଗାରୁଜା, ସୁଜିତଙ୍କ ଟିକଟ କାଟି ଉମାବଲ୍ଲଭଙ୍କ ପ୍ରାର୍ଥିତ୍ବକୁ ବିରୋଧ - Congress Candidate Change

ସେପଟେ ସୁଜିତ ମହାପାତ୍ରଙ୍କ ଟିକେଟ କଟାଯିବା ପ୍ରସଙ୍ଗରେ ଉମାବଲ୍ଲଭ କହିଛନ୍ତି, "ଦଳରେ କୌଣସି ବିଶୃଙ୍ଖଳା ନାହିଁ ଏବଂ ମୋର କାହା ସହିତ ଶତୃତା ନାହିଁ । ସମସ୍ତଙ୍କୁ ନେଇ ନିର୍ବାଚନ ଲଢିବି । ଜନତା ହିଁ ନେତାଙ୍କ ଭାଗ୍ୟ ବିଧାତା । ମୁଁ ଯଦି ନିର୍ବାଚିତ ହୁଏ, ତେବେ ପୁରୀବାସୀଙ୍କ ସ୍ବାର୍ଥ ଏବଂ ଉନ୍ନତି ପ୍ରସଙ୍ଗରେ ଲଢେଇ କରିବି ।" ପୁରୀ ସଦର ବିଧାନସଭା ଭୋଟର ଆଗାମୀ ଦିନରେ ଉପଯୁକ୍ତ ପ୍ରାର୍ଥୀ ବାଛିବେ ବୋଲି ଉମାବଲ୍ଲଭ ରଥ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.