ETV Bharat / bharat

ଛତିଶଗଡ଼ ପୋଲିସକୁ ସଫଳତା; ବିଜାପୁରରେ 33 ନକ୍ସଲଙ୍କ ଆତ୍ମସମର୍ପଣ, ସୁକମାରେ 2 ନିହତ - Naxalites surrendered in Bijapur

author img

By ETV Bharat Odisha Team

Published : May 25, 2024, 7:21 PM IST

NAXALITES SURRENDERED IN BIJAPUR: ଛତିଶଗଡ଼ ପୋଲିସକୁ ସଫଳତା । ବିଜାପୁରରେ 33 ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ସୁକମାରେ ନିହତ ହେଲେ 2 ନକ୍ସଲ । ଅଧିକ ପଢନ୍ତୁ

NAXALITES SURRENDERED IN BIJAPUR
NAXALITES SURRENDERED IN BIJAPUR (ETV Bharat)

ରାୟପୁର: ନକ୍ସଲ ନିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ଆଜି (ଶନିବାର) ଛତିଶଗଡ଼ ବିଜାପୁରରେ 33 ଜଣ ନକ୍ସଲ ଅପରାଧିକ କାର୍ଯ୍ୟକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସେପଟେ ସୁକମାରେ ପୋଲିସ ଓ ନକ୍ସଲ ଏନକାଉଣ୍ଟରେ 2 ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି ।

ନକ୍ସଲମାନେ ଆତ୍ମସମର୍ପଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, "ନକ୍ସଲମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିଲେ । ପୋଲିସ ରାଜ୍ୟରେ ଲାଲ ବାହିନୀର ମୂଳପୋଛ କରିବା ଲାଗି ନକ୍ସଲ ପ୍ରବଣ ଅଞ୍ଚଳରେ କ୍ୟାମ୍ପ ଖୋଲିଛି । ଫଳରେ ରାଜ୍ୟରେ ଏହି ଅଭିଯାନ ସକ୍ରିୟ ରହିଥିବା ବେଳେ ପୋଲିସକୁ ସଫଳତା ମଧ୍ୟ ମିଳୁଛି । ଗଙ୍ଗାଲୁରକୁ ନକ୍ସଲ ଗଡ଼ କୁହାଯାଉଥିବା ବେଳେ ଏଠାରୁ ଏବେ ଅନେକ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରୁଛନ୍ତି । କିଛି ଗିରଫ ମଧ୍ୟ ହେଉଛନ୍ତି । ଏହି କ୍ରମରେ ଆଜି 33 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।"

ଏହା ବି ପଢନ୍ତୁ- ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, 7 ନିପାତ; ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ବିଜାପୁର ପୋଲିସର ରଣନୀତି ସଫଳ ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ଏଯାବତ 109ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ଏହି ନକ୍ସଲମାନଙ୍କ ମଧ୍ୟରେ ରାଜୁ ହମେଲା, ସାମୋ କର୍ମା, ସୁଦରୁ ପୁନେମ, ସୁଖରାମ ମାଡବି ପ୍ରମୁଖ ସାମିଲ ଅଛନ୍ତି । ଏମାନେ ରାସ୍ତାରେ ବୋମା ଖଞ୍ଜିବା ବଳି କାମ କରୁଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପୋଲିସ ପୁନର୍ବାସ ନୀତି ଅନୁସାରେ 25 ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବ ।

ସୁକମାରେ 2 ନକ୍ସଲ ନିହତ: ଅନ୍ୟପଟେ ସୁକମାରେ ଶନିବାର ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ଆହତ ହୋଇଥିବା ବେଳେ 2 ଜଣ ନକ୍ସଲ ନିହତ ହୋଇଛନ୍ତି । ମେ 26ରେ ନକ୍ସଲମାନେ ବନ୍ଦ ଡାକରା ଦେଇଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ସମ୍ପର୍କରେ ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ମେ 23 ତାରିଖରେ ଦନ୍ତେୱାଡା, ନାରାୟଣପୁର ଓ ବିଜାପୁର ଜିଲ୍ଲାରେ ମିଳିତ ସର୍ଚ୍ଚ ଅପରେସନରେ 7 ଜଣ ନକ୍ସଲ ନିପାତ ହୋଇଥିଲେ । ନାରାୟଣପୁରରେ 2ଜଣ ନକ୍ସଲ ଓ ଦନ୍ତେୱାଡାରେ 5ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.