ETV Bharat / state

ମହିମା ଧର୍ମପୀଠ କନ୍ଧରାରେ ରାଷ୍ଟ୍ରପତି, ସନ୍ଥକବି ଭୀମଭୋଇଙ୍କୁ କଲେ ସ୍ମରଣ

author img

By ETV Bharat Odisha Team

Published : Mar 2, 2024, 6:09 PM IST

Updated : Mar 2, 2024, 7:04 PM IST

President Visits Kandhara Ashram
President Visits Kandhara Ashram

President Visits Kandhara Ashram: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ୪ଟି ଜିଲ୍ଲାର ସଙ୍ଗମ ସ୍ଥଳ ମହିମା ଧର୍ମପୀଠ କନ୍ଧରା ଗସ୍ତ କରିଛନ୍ତି । ଏହି ପୀଠକୁ ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠ ବି କୁହାଯାଏ । ଅଧିକ ପଢନ୍ତୁ

ମହିମା ଧର୍ମପୀଠ କନ୍ଧରାରେ ରାଷ୍ଟ୍ରପତି, ସନ୍ଥକବି ଭୀମଭୋଇଙ୍କୁ କଲେ ସ୍ମରଣ

ବୌଦ୍ଧ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି (ଶନିବାର) ଚତୁର୍ଥ ଦିନ । ଜିଲ୍ଲା ସ୍ଥିତ ମହିମା ଧର୍ମର ଅନନ୍ୟ ପୀଠ କନ୍ଧରାଠାରେ ପହଞ୍ଚିଲେ ରାଷ୍ଟ୍ରପତି । ପବିତ୍ର ଜ୍ଞାନକୂପ ବେଢ଼ା ପରିକ୍ରମା ସହିତ ଧୂନି ମଣ୍ଡପରେ ମହିମା ଗୋସାଇଁଙ୍କୁ ଆରାଧନା କରିବା ସହ ସନ୍ଥକବି ଭୀମଭୋଇଙ୍କୁ ସ୍ମରଣ କଲେ ମହାମହିମ ରାଷ୍ଟ୍ରପତି । ଏହି ଅବସରରେ ଭୀମଭୋଇଙ୍କ ରଚିତ ବିଭିନ୍ନ ରଚନାବଳୀକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ପ୍ରକାଶ ପାଇଁ ରାଷ୍ଟ୍ରପତିଙ୍କୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଛି ।

ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟରରେ ମହାମହିମ ରାଷ୍ଟ୍ରପତି କନ୍ଧରା ଠାରେ ପହଞ୍ଚିଥିଲେ । ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ପକ୍ଷରୁ ରୀତା ସାହୁଙ୍କ ସମେତ ବହୁ କେନ୍ଦ୍ରୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ସନ୍ଥକବି ଭୀମଭୋଇଙ୍କ ଏହି ପବିତ୍ର ପୀଠକୁ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ହୋଇଥିବା ଯୋଗୁଁ ସ୍ଥାନୀୟ ଅଧିବାସୀ ତଥା ମହିମା ଧର୍ମର ସାଧୁସନ୍ଥମାନେ ବେଶ ଆନନ୍ଦ ପ୍ରକାଶ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ କନ୍ଧରା ଆଶ୍ରମଠାରେ ସୁରକ୍ଷିତ ଥିବା ଜ୍ଞାନକୂପରେ ପହଞ୍ଚି ବେଢା ବୁଲିବା ସହିତ ମଠ ପରିସରରେ ଥିବା ଯଜ୍ଞ ମଣ୍ଡପକୁ ଯାଇ ସେଠାରେ ଧୂନି ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଚତୁର୍ଥ ଦିନ, ସମ୍ବଲପୁରରେ ପହଞ୍ଚିଲେ ମହାମହିମ

ଏହି ଅବସରରେ ଭୀମଭୋଇଙ୍କ ରଚିତ ବିଭିନ୍ନ ରଚନାବଳୀକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ପ୍ରକାଶ ପାଇଁ ରାଷ୍ଟ୍ରପତିଙ୍କୁ ଆଶ୍ରମ ପକ୍ଷରୁ ଅନୁରୋଧ କରାଯାଇଥିଲା । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମ୍ବଲପୁର ଜିଲ୍ଲା ସହିତ ସୋନପୁର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଚାରି ଗୋଟି ଜିଲ୍ଲାର ସଙ୍ଗମ ସ୍ଥଳରେ ରହିଛି ମହିମା ଧର୍ମର ଅନନ୍ୟ ପୀଠ କନ୍ଧରା । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ଅବସ୍ଥିତ କନ୍ଧରା ଗ୍ରାମ । ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାର ସୀମାକୁ ଏହା ସଂଲଗ୍ନ ରହିଛି ।

ଏହା ବି ପଢନ୍ତୁ- କନ୍ଧରା ଆଶ୍ରମ ଆସିବେ ରାଷ୍ଟ୍ରପତି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

ଏହି କନ୍ଧରା ଗ୍ରାମର ଉପକଣ୍ଠରେ ଥିବା ମହିମା ଧର୍ମର ଆଶ୍ରମ ତଥା ପବିତ୍ର କୂଅ କନ୍ଧରା ଗ୍ରାମକୁ ଦେଇଛି ସ୍ବତନ୍ତ୍ର ପରିଚୟ । ପବିତ୍ର କୂଅରେ ଦିନେ ସନ୍ଥକବି ଭୀମଭୋଇ ପଡିଯିବା ପରେ ଜ୍ଞାନର ଉଦୟ ହୋଇଥିବା ଜଣାଯାଏ । କନ୍ଧରା ଆଶ୍ରମରେ ମହିମା ଧର୍ମର ଅନନ୍ୟ ସାଧକ ସନ୍ଥ କବି ଭୀମ ଭୋଇ ନିଜ ଜୀବନର ୧୬ ବର୍ଷ ଅତିବାହିତ କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପରେ ଏହି ଧର୍ମପୀଠକୁ ନୂଆ ସ୍ଥାନ ମିଳିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବୌଦ୍ଧ

Last Updated :Mar 2, 2024, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.