ETV Bharat / state

ମେ’ 10ରୁ ଶାରଳାଙ୍କ ଚନ୍ଦନ ଯାତ୍ରା, ପ୍ରସ୍ତୁତି ବୈଠକ ଶେଷ - CHANDAN YATRA of MAA SARALA

author img

By ETV Bharat Odisha Team

Published : May 1, 2024, 7:12 PM IST

Chandan Yatra 2024
Chandan Yatra 2024

Chandan Yatra 2024: ଆସନ୍ତା ମେ 10 ତାରିଖ ଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ମା’ ଶାରଳାଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଅଧିକ ପଢ଼ନ୍ତୁ,

Chandan Yatra 2024

ଜଗତସିଂହପୁର: ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ହେଉଛି ମା’ ଶାରଳାଙ୍କ ପୀଠ । ମା’ଙ୍କ ପୀଠରେ ଆସନ୍ତା ମେ ମାସ 10 ତାରିଖ ଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଚନ୍ଦନ ଯାତ୍ରାରେ ମା’ ଶାରଳାଙ୍କ ଚଳନ୍ତି ବିଗ୍ରହ ସୁଳି ଦୁର୍ଗା ମଣିମୟ ବିମାନରେ ଆରୋହଣ କରି ଚନ୍ଦନ ପୁଷ୍କରିଣୀକୁ ଯିବେ । ସେଠାରେ ଏକ ସୁସଜ୍ଜିତ ଡଙ୍ଗାରେ ଏକୋଇଶ ଘେରା ବୁଲିବା ପରେ ଚନ୍ଦନ ପୁଷ୍କରିଣୀ ମଧ୍ୟ ଭାଗରେ ଥିବା ଚନ୍ଦନ କୁଣ୍ଡରେ ସ୍ନାନ କରିବାର ପରମ୍ପରା ରହିଛି । ତେବେ ଆଗକୁ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ଗତକାଲି(ମଙ୍ଗଳବାର) ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ତଥା ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀଙ୍କ ଚନ୍ଦନଯାତ୍ରା ଉପଲକ୍ଷେ, ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଏହି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମେ ମାସ ୧୦ ତାରିଖ, ପବିତ୍ର ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଏହି ଆକର୍ଷଣୀୟ, ମନୋରମ ଚନ୍ଦନ ଯାତ୍ରାର ସମସ୍ତ ନୀତି କାନ୍ତି, ପଟୁଆର ଓ ଚାପଖେଳ ଆଦି ଯଥା ବିଧିବିଧାନରେ କରାଯିବା ନେଇ ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ତେବେ ଶାରଳାଙ୍କ ପୀଠ ଶକ୍ତିପୀଠ ହୋଇଥିଲେ ମଧ୍ୟ ବୈଷ୍ଣବୀୟ ପରମ୍ପରା ଅନୁଯାୟୀ ବିଧି ପାଳନ ହୋଇ ଆସୁଛି । ସେହିକ୍ରମରେ ଏଠାରେ ପୁରୀ ଶ୍ରୀମନ୍ଦିରରେ ପ୍ରଚଳିତ ପ୍ରଥା ଅନୁସାରେ ମା’ ଶାରଳାଙ୍କ ନୀତିକାନ୍ତି କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ.. ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ - Mutyaluma Ghata Yatra

ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର, ଶାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପରିଜା, ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକଙ୍କ ସମେତ ମନ୍ଦିର ପୂଜକ ଓ ବରିଷ୍ଠ ସେବାୟତ ମାନେ ଉପସ୍ଥିତ ଥିଲେ । ସେମାନେ ନିଜ ନିଜର ସୁଚିନ୍ତା ତଥା ମତାମତ ଉପସ୍ଥାପନ ମଧ୍ୟ କରିଥିଲେ ।

ବିଗତ ଚନ୍ଦନଯାତ୍ରାରେ ବାଣ ଫୁଟା ବିସ୍ଫୋରଣ ଯୋଗୁ ଅଘଟଣ ଘଟିଥିବାରୁ, ଚଳିତ ବର୍ଷ ଚନ୍ଦନଯାତ୍ରାରେ ଆଦୌ ବାଣ ଫୁଟାଯିବ ନାହିଁ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ଚନ୍ଦନ ଯାତ୍ରା ପାଇଁ ଜିଲ୍ଲା କୈବର୍ତ୍ତ ମହାସଂଘ ପକ୍ଷରୁ ଏକ ନୂତନ ଡ଼ଙ୍ଗା ସମର୍ପଣ କରାଯିବ । ଆସନ୍ତା ମେ’ ୩୦ ତାରିଖରେ ଲଟାଭଉଁରୀ ଚାପଖେଳ ଓ ୩୧ ତାରିଖରେ ହଳଦୀଖେଳ କରାଯାଇ ଚନ୍ଦନ ଯାତ୍ରା ଉଦଯାପିତ ହେବ ବୋଲି, ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.