ETV Bharat / state

ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ - Mutyaluma Ghata Yatra

author img

By ETV Bharat Odisha Team

Published : May 1, 2024, 1:07 PM IST

ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ
ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ

Mutyaluma Ghata Yatra Celebrated: କୋରାପୁଟ ସହରର ଗ୍ରାମଦେବୀ ମା’ ମୂତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ ହୋଇଛି । ଗତ ନଅ ଦିନ ଧରି ସହରର ଏକ ଅସ୍ଥାୟୀ ମଣ୍ଡପରେ ମା’ ମୁତ୍ୟାଲୁମାଙ୍କୁ ସ୍ଥାପନା କରି ଲୋକେ ହର୍ଷ ଉଲ୍ଲାସର ସହ ଘଟଯାତ୍ରା ଅନୁଷ୍ଠିତ ହେବ ।

ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ

କୋରାପୁଟ: ପ୍ରସିଦ୍ଧ ମା' ମୁତ୍ୟାଲୁମାଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ ହୋଇଯାଇଛି । ସହରର ଟିକିରା ସାହିରେ ୧୮୬୫ ମସିହାରୁ ପୂଜା ପାଇଆସୁଥିବା ମନ୍ଦିର ମଧ୍ଯରୁ ମାଆଙ୍କୁ ବାହାରକୁ ଅଣାଯାଇ ସହରର ଏକ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କୁ ସ୍ଥାପନ କରାଯାଇଛି । ଗତ ନଅ ଦିନ ଧରି ମା’ ମୁତ୍ୟାଲୁମାଙ୍କ ଏହି ଯାତ୍ରା ହେବ । ବର୍ତ୍ତମାନ ମାଆଙ୍କ ଦର୍ଶନ ନେଉଛନ୍ତି ଭକ୍ତ ।

ଚଳିତ ବର୍ଷ ଯୁବପିଢି ମା' ମୁତ୍ୟାଲୁମା ପୂଜା କମିଟିରେ ନବାଗତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଯାତ୍ରାରେ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କମିଟିର ନୂତନ ସମ୍ପାଦକ ଗୋପୀନାଥ ମୂର୍ତ୍ତି ଜଣାଇଛନ୍ତି । ମା' ମୁତ୍ୟାଲୁମାଙ୍କ ଶୋଭାଯାତ୍ରାରେ ଭାଗ ନେବା ପାଇଁ କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ସାଙ୍ଗକୁ ବିଜୟନଗରର ବାଘନାଚ, ରାମଭଦ୍ରପୁରମର କାଳି ନୃତ୍ୟ ଏବଂ ସୁଦୂର କାକିନାଡ଼ାରୁ ଆସିଥିବା କାନ୍ତାର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା ।

ପୂଜା ମଣ୍ଡପ ଠାରେ ବିଶେଷ ପୂଜାର୍ଚ୍ଚନା ପରେ ମା' ମୁତ୍ୟାଲୁମାଙ୍କ ଘଟ ଗୁଡିକୁ ନେଇ ମାଳିଗୁଡା ଓ ଗୌଡ଼ଗୁଡାର ଯୁବତୀ ମାନେ କୋରାପୁଟର ଗଳି କନ୍ଦିରେ ବାସ କରୁଥିବା ଜନସାଧାରଣଙ୍କ ପାଖକୁ ଯିବାର ଯାତ୍ରା ଆରମ୍ଭ କରିଥିଲେ । ସନ୍ଧ୍ୟାରେ ବାହାରି ମଧ୍ୟରାତ୍ରୀ ପର୍ଜ୍ୟନ୍ତ ଚାଲୁଥିବା ଏହି ପଦ ଯାତ୍ରାରେ ଦୈବୀ କୃପା ଯୋଗୁଁ କେହି ବି ହାଲିଆ ହେଉନଥିବା ଗତ 20-25 ବର୍ଷ ଧରି ଘଟାଯାତ୍ରାରେ ସମ୍ପୃକ୍ତ ରହିଥିବା ଡମ୍ବରୁଧର ନାୟକ ଜଣାଇଛନ୍ତି । ଏହି ନବଦିନାତ୍ମକ ଯାତ୍ରାରେ ଯୋଗ ଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ପୀଠର ଦେବୀ ତଥା ସିଂହାଚଳ ର ଅଧୀଶ୍ଵର ସ୍ୱାମୀ ନୃସିଂହ ଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ମୁତ୍ୟାଲୁମା ମନ୍ଦିରର ପୂଜକ ବାଲକ୍ରିଷ୍ଣା ଜଣାଇଛନ୍ତି ।

ସେପଟେ ମା' ବନ ଦୁର୍ଗାଙ୍କ ସମେତ ସେହି ସମସ୍ତ ଦେବା ଦେବୀଙ୍କ ଚିତ୍ରକୁ ପୂଜା ମଣ୍ଡପରେ ସ୍ଥାନ ଦେଇ ସେମାନଙ୍କ ସକ୍ରିୟ ଉପସ୍ଥିତିର ପରିବେଶ ପ୍ରସ୍ତୁତ କରାଯାଇଥିବା ବିଶିଷ୍ଟ ଚିତ୍ରକର ଜଗା ରାଓ ଜଣାଇଛନ୍ତି । ତେବେ ଆସନ୍ତା ନଅ ଦିନ ଧରି ଓଡିଶା , ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଭକ୍ତ ହଜାର ହଜାର ସଂଖ୍ୟାରେ ଆସିବାର ସମ୍ଭାବନାକୁ ଦେଖି ସେମାନଙ୍କ ପାଇଁ ମାଙ୍କ ଦର୍ଶନ କିପରି ଠିକ ଭାବେ ହୋଇପାରିବ ସେ ଦିଗରେ ବିଶେଷ ପଦକ୍ଷେପ ନିଆଯାଇଥିବା ଶ୍ରୀ ମୂର୍ତି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବରଙ୍ଗପୁର ବୁଢ଼ୀ ଠାକୁରାଣୀ ଯାତ୍ରା: ବୁଲି ବୁଲି ପୂଜା ପାଇଲା ମା'ଙ୍କ ଘଟ
ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.