ETV Bharat / state

ବୌଦ୍ଧରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ-ବିଏସଏଫର ମିଳିତ ଫ୍ଲାଗ ମାର୍ଚ୍ଚ - Odisha Election 2024

author img

By ETV Bharat Odisha Team

Published : Apr 19, 2024, 1:50 PM IST

Etv Bharat
Etv Bharat

Police Flag March In Boudh: ପାଖେଇ ଆସୁଛି ନିର୍ବାଚନ । ବୌଦ୍ଧରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କଲା ପୋଲିସ ଓ ବିଏସଏଫ । ଅଧିକ ପଢନ୍ତୁ

ବୌଦ୍ଧରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପୋଲିସ-ବିଏସଏଫର ମିଳିତ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ: ଓଡ଼ିଶାରେ ଏକାସଙ୍ଗେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ତାରିଖ ପାଖେଇ ଆସୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ପୋଲିସ ପ୍ରଶାସନ ତତ୍ପର ରହିଛି । ଏହାରି ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏମିତିକି ଗତକାଲି (ଗୁରୁବାର) ପୁଣିଥରେ ଉପାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ତେଣୁ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ବିଏସଏଫ୍ ଓ ପୋଲିସ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ବୌଦ୍ଧ ଜିଲ୍ଲା ପୋଲିସ ବିଏସଏଫ୍ ସହାୟତାରେ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି । ବୌଦ୍ଧ ଏସଡିପିଓ, ଥାନା ଅଧିକାରୀ ଓ ବିଏସଏଫ ଟ୍ରୁପ ଲିଡରଙ୍କ ନେତୃତ୍ବରେ ସଦର ମହକୁମା ଅନ୍ତର୍ଗତ ସମସ୍ତ ବସ୍ତିରେ ଏହି ଫ୍ଲାଗ ମାର୍ଚ୍ଚ ହୋଇଛି । ସେପଟେ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାମ ନବମୀରେ ନାମ ସଂକୀର୍ତ୍ତନ ବେଳେ ଫୁଟିଲା ଗୁଳି, ଜଣେ ଗୁରୁତର - Firing In Boudh

ଏହା ମଧ୍ୟ ପଢନ୍ତୁ: ବୁଥ ବିଜୟ ଅଭିଯାନ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କଲା ବିଜେପି - BJP CAMPAIGN IN BOUDH

ଅନ୍ୟପଟେ ଅଶାନ୍ତ ହେବାରେ ଲାଗିଛି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ । ଦିନକ ତଳେ ଏଠାରେ ରାମ ନବମୀ ଯାତ୍ରା ଅବସରରେ ଅନୁଷ୍ଠିତ ନାମ ସଂକୀର୍ତ୍ତନ ମଣ୍ଡପରେ ଗୁଳିମାଡ ହୋଇଥିଲା । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେହି ଦୁର୍ବୃତ୍ତ କିମ୍ବା ବନ୍ଧୁକ ଠାବ ହୋଇପାରି ନାହିଁ । ସେହିପରି ଗତକାଲି ନାରାୟଣ ପ୍ରସାଦରେ ଲାଲ ବାହିନୀର ଆଉ ଏକ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । ନାରାୟଣ ପ୍ରସାଦ ଗ୍ରାମର ଜଣେ ଯୁବକଙ୍କ ଠାରୁ କୋଡ଼ିଏ ଲକ୍ଷ ଟଙ୍କା ଦାବିରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.