ETV Bharat / politics

ବାଲେଶ୍ବରରେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଲେ ପାଇଲଟ, ବିଜେପିର ହେଭିୱେଟଙ୍କ ପ୍ରଚାର - SACHIN PILOT IN BALASORE

author img

By ETV Bharat Odisha Team

Published : May 18, 2024, 10:05 PM IST

Campaign In Balasore: ବାଲେଶ୍ବରରେ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସେପଟେ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ପଢନ୍ତୁ ପୁରା ଖବର ।

Campaign In Balasore
Campaign In Balasore (ETV Bharat Odisha)

Campaign In Balasore (ETV Bharat Odisha)

ବାଲେଶ୍ବର: କଂଗ୍ରେସ ପାଇଁ ବାଲେଶ୍ବରରେ ପ୍ରଚାର କରିଛନ୍ତି ଦଳର ଷ୍ଟାର ପ୍ରଚାରକ ସଚିନ ପାଇଲଟ । କଂଗ୍ରେସ ଏବଂ ବିଜେପିର ବରିଷ୍ଠ ନେତାମାନେ ନିଜ ଦଳର ସାଂସଦ ପ୍ରାର୍ଥୀମାନଙ୍କ ପାଇଁ କରିଛନ୍ତି ଜୋରଦାର ପ୍ରଚାର । ବିଜେପି ପକ୍ଷରୁ ବାଇକ ଶୋଭାଯାତ୍ରା ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଇଥିବାବେଳେ କଂଗ୍ରେସ ପକ୍ଷରୁ ସମାବେଶ କରାଯାଇଛି । ନିଜ ନିଜ ସାଂସଦ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛନ୍ତି ସମସ୍ତ ଦଳ । ବାଲେଶ୍ଵର ସହରର ମିଶନ ପଡ଼ିଆରେ କଂଗ୍ରେସର ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ସଚିନ ପାଇଲଟ ପ୍ରଚାର କରିଛନ୍ତି । ବାଲେଶ୍ଵର ଲୋକସଭା କ୍ଷେତ୍ର ଅଧୀନସ୍ଥ ସମସ୍ତ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଯୋଗ ଦେଇଥିଲେ ।

ପାଇଲଟ କହିଛନ୍ତି, "10 ବର୍ଷ ହେବ କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି । ମାତ୍ର ପୂର୍ବ ପ୍ରତିଶ୍ରୁତି ଅନୁସାରେ କୌଣସି କାର୍ଯ୍ୟ ହୋଇନାହିଁ। ବେରୋଜଗାର, କଳାଧନ,ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନବେଳେ କୁହାଯାଇଥିଲା । କିନ୍ତୁ ଲୋକଙ୍କୁ ଦେଖାଇବା ପାଇଁ ଏବେ ସେମାନଙ୍କ ପାଖରେ କୌଣସି ରିପୋର୍ଟ କାର୍ଡ ନାହିଁ । 10 ବର୍ଷ ହେବ କେନ୍ଦ୍ରରେ ଏନଡିଏ ସରକାର ଅଛି । ଓଡ଼ିଶା ପାଇଁ ବିଶେଷ ପଦକ୍ଷେପ ନିଆଯାଇନାହିଁ । ଯେତେବେଳେ କଂଗ୍ରେସ ସରକାର ଥିଲା ବଡ଼ ବଡ଼ ଶିଳ୍ପ , କାରଖାନା ଓ ଉଦ୍ୟୋଗ କରାଯାଇଥିଲା। ଓଡ଼ିଶା ଭଳି ଏକ ରାଜ୍ୟ ଖଣିଜ ସମ୍ପଦରେ ଭରପୁର ଥିବାବେଳେ ଏଠାକାର ଲୋକେ ଗରିବ । ଶାସନ ନାଁରେ ପ୍ରତାରିତ କରାଯାଇଛି । ଏଥିପାଇଁ ଏଥର ପରିବର୍ତ୍ତନ ସୁନିଶ୍ଚିତ । ଲୋକମାନେ ଏଥର କଂଗ୍ରେସକୁ ବାଛିବାକୁ ଯାଉଛନ୍ତି । କଂଗ୍ରେସର ପ୍ରାର୍ଥୀମାନେ ବହୁଳ ବ୍ୟବଧାନରେ ଜିତିବେ ।"

ଅନ୍ୟପଟେ ବିଜେପି ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ସହ ସମସ୍ତ ବିଧାନସଭାର କାର୍ଯ୍ୟକର୍ତ୍ତାଙ୍କୁ ନେଇ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ । ବିଧାନସଭା ଆସନ ହାତେଇବା ପାଇଁ କର୍ମୀ ମାନଙ୍କୁ କର୍ମୀଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା । ନୋସି ବିଜିନେସ ପାର୍କରେ ହେଲିକପ୍ଟରରେ ଅବତରଣ ପରେ ସେଠାରୁ ବାଇକ ଶୋଭାଯାତ୍ରା ବାହାରି ମାହେଶ୍ଵରୀ ଭବନ ନିକଟରେ ପହଞ୍ଚିଥିଲା । ସେଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏହା ବି ପଢନ୍ତୁ...ପାଲଲହଡା ପ୍ରଚାର କଲେ ହେମା ମାଳିନୀ, ଅଶୋକ ଓ ରୁଦ୍ରଙ୍କ ପାଇଁ ମାଗିଲେ ଭୋଟ୍ - HEMA MALINI IN PALLAHARA

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜେପି ଲୋକସଭାରେ 21 ରୁ 21 ସିଟରେ ଜିତିବ । ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ସିଟରେ ଜିତିବୁ, ଏହାସହ 18 ଟି ବିଧାନସଭା ମଧ୍ୟ ଜିତିବୁ । ଓଡିଶା ପାଇଁ ବିଜେପି କିଛି କରିନାହିଁ ବୋଲି ସଚିନ ପାଇଲଟଙ୍କ କଥାର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି,"କଂଗ୍ରେସ ଦଳର ହତାଶ ଭାବକୁ ମୁଁ ବୁଝିପାରୁଛି । ଓଡ଼ିଶାକୁ ନରେନ୍ଦ୍ର ମୋଦି ଗତ 10 ବର୍ଷ ଭିତରେ 18 ଲକ୍ଷ କୋଟି ଟଙ୍କା ଦେଇ ସାରିଛନ୍ତି । ଯେତେବେଳେ ସଚିନ ପାଇଲଟଙ୍କ ଦଳର ସରକାର ଥିଲା ସେତେବେଳେ 10 ବର୍ଷ ଭିତରେ 3ଲକ୍ଷ କୋଟି ଟଙ୍କା ଦେଇଥିଲେ । ଏବେ କିନ୍ତୁ ମୋଦି ସରକାର ଓଡ଼ିଶାରେ 34 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସରେ ଘର ଆସିଛି, 55 ଲକ୍ଷ ମହିଳାମାନଙ୍କୁ ଉଜ୍ଵଳା ଯୋଜନାରେ ସାମିଲ କରାଯାଇଛି । ଲୋକମାନଙ୍କ ପାଖରେ ପିଇବା ପାଣି ପହଞ୍ଚିଛି । ରେଲୱେ, ଏନଏଚ ଓ ରାସ ଗୋବିନ୍ଦପୁର ଏୟାରପୋର୍ଟ କାମ ମୋଦି ସରକାର ସମୟ ରେ ଆରମ୍ଭ ହୋଇଛି।" ଏହାସହ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ବିଜେଡି ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.