ETV Bharat / state

ବଣ୍ଡା ଘାଟିରେ ଜଳକଷ୍ଟ: ମିଳୁନି ପିଇବା ପାଣି, ଚୁଆ ଏକମାତ୍ର ଭରସା

author img

By ETV Bharat Odisha Team

Published : Feb 19, 2024, 4:11 PM IST

Drinking Water problem
ବଣ୍ଡା ଘାଟିରେ ମିଳୁନି ପାଣି !

Drinking Water problem in Malkangiri: ପାନୀୟ ଜଳ ସମସ୍ୟା ମଧ୍ୟରେ ଜୁଝି ହେଉଛନ୍ତି ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ଆଦିମ ବଣ୍ଡା ଜନଜାତି । ପ୍ରତିଦିନ କିଲୋମିଟର ପାହାଡ଼ି ରାସ୍ତା ଅତିକ୍ରମ କରି ଚୁଆରୁ ସଂଗ୍ରହ କରୁଛନ୍ତି ଜଳ । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ବଣ୍ଡା ଘାଟିରେ ମିଳୁନି ପାଣି ! ଚୁଆକୁ ଭରସା

ମାଲକାନଗିରି: ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମୁନ୍ଦାଏ ପିଇବା ପାଣି ପାଇଁ ପ୍ରତିଦିନ କିଲୋମିଟର ପାହାଡ ରାସ୍ତା ଅତିକ୍ରମ କରିବାକୁ ପଡୁଛି ଏହି ବଣ୍ଡା ଜନଜାତିମାନଙ୍କୁ । ପାଣି ଟିକେ ପାଇଁ କେତେବେଳେ ପାହାଡ଼ ଉପରେ ଥିବା ଚୁଆ ତ ଆଉ କେତେବେଳେ ସୀତାକୁଣ୍ଡ ପାଲଟିଛି ଭରସା । ତେବେ ଏଭଳି ଚିତ୍ର ମାଲନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ବଣ୍ଡାବାସୀ ।

ମାଲକାନଗିରିର ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ଦୁଇଟି ପଞ୍ଚାୟତର 31ଟି ଗାଁରେ ରହିଆସୁଛନ୍ତି ବଣ୍ଡା ଜନଜାତି । ଏମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଛି । ବଣ୍ଡା ଘାଟି ମୁଦଲିପଡ଼ାରେ ଖୋଲାଯାଇଛି ବଣ୍ଡା ଉନ୍ନୟନ ସଂସ୍ଥା । ବଣ୍ଡା ଜାତିଙ୍କ ବିକାଶ ପାଇଁ ଏହି ସଂସ୍ଥା ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ । କିନ୍ତୁ ଏତେ ପରେ ସୁଦ୍ଧା ପାନୀୟ ଜଳ ସଙ୍କଟ ମଧ୍ୟରେ ଜୁଝି ହେଉଛନ୍ତି ବଣ୍ଡା ଜନଜାତି ।

ଏହାମଧ୍ୟ ପଢନ୍ତୁ..ପାନୀୟ ଜଳ ପାଇଁ ହିନସ୍ତା ପଞ୍ଚାୟତବାସୀ, କେବେ ସମସ୍ୟାର ସମାଧାନ କରିବ ପ୍ରଶାସନ?

କିର୍ଷାନିପଡା, କିଚିପଡା, ପିଣ୍ଡା ଡଙ୍ଗର, ଗୋବରପଡା ଭଳି ବଣ୍ଡାଘାଟିର ଅଧାରୁ ଅଧିକ ଗାଁର ଲୋକେ ପାଉନାହାନ୍ତି ଶୁଦ୍ଧ ପାନୀୟ ଜଳ । ପାଣି ଆଣିବା ପାଇଁ ଏମାନେ ପ୍ରତିଦିନ କିଲୋମିଟର ପାହାଡ଼ି ରାସ୍ତା ଅତିକ୍ରମ କରି ଚୁଆରୁ ପାଣି ବୋହି ଆଣିଥାନ୍ତି । ମୁଦୁଲିପଡା ଗାଁର ୫୦ ପରିବାର ଓ ପଡେଇଗୁଡା ଗାଁର ୭୦ ପରିବାର ମଧ୍ୟ ପିଇବା ପାଣି ପାଇଁ ସୀତାକୁଣ୍ଡ ଚୁଆ ଉପରେ ନିର୍ଭର କରନ୍ତି । ସୀତାକୁଣ୍ଡ ମନ୍ଦିର ନିକଟରେ ଗୋଟିଏ ନଳକୂଅ ରହିଥିଲେ ମଧ୍ୟ ଏଥିରୁ ୨୫ ରୁ ୩୦ ଗରିଆ ପାଣି ବାହାରିବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ଆଉ ପାଣି ବାହାରିନଥାଏ । ପାନୀୟ ସମସ୍ୟା ମଧ୍ୟରେ ଗତି କରୁଥିବା ଏହି ଆଦିମ ବଣ୍ଡା ଜନଜାତି ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ମାଘ ମାସରେ ଜଳକଷ୍ଟ ଭୋଗୁଛନ୍ତି ନୂଆସାହି ବାସିନ୍ଦା, ଧାରଣାରେ ବସିଲେ ମହିଳା

ଅନ୍ୟପଟେ ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଜଳ ଓ ପରିମଳ ବିଭାଗ ନିର୍ବାହି ଯନ୍ତ୍ରୀଙ୍କ କହିବାନୁଯାୟୀ, "ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତରେ ସମୁଦାୟ ୪୫ଟି ନଳକୂପ ଓ ତିନୋଟି ସୋଲାର୍ ଡୁୱାଲ୍ ପମ୍ପ କାର୍ଯ୍ୟକ୍ଷମ କରୁଛି । ଏହାସହ ଗତ ଡିସେମ୍ବର ମାସ ସୁଦ୍ଧା ସମସ୍ତ ନଳକୂପଗୁଡିକୁ ମରାମତି କରାଯାଇଛି । ଏଥିସହ ବସୁଧା ହେଲ୍ପ୍ ଲାଇନରେ ଅଭିଯୋଗ ଆସିଲେ ତାହାର ସମାଧାନ କରାଯାଉଛି । ତେବେ ବଣ୍ଡାଘାଟି ଅଞ୍ଚଳଟି ପାହାଡିଆ ହେବା ସହ ଉଚ୍ଚ ସ୍ଥାନରେ ରହୁଥିବାରୁ ଏହି ଅଞ୍ଚଳର ମାଟି ଶୁଖିଲା ରହୁଛି । ଯେଉଁଥିପାଇଁ ଏଠାରେ ନଳକୂପରୁ ପାଣି ବାହାରୁନାହିଁ । ଏଣୁ ବଣ୍ଡାଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ଗାଁ ଗୁଡିକୁ ସାବେରି ନଦୀରୁ ନ୍ୟୁ ମେଗାୱାଟର ସପ୍ଲାଇ ଯୋଜନାରେ ଅନ୍ତର୍ଭୁକ୍ତ କରି ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବ କହିଛନ୍ତି ।"


ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.