ETV Bharat / state

ମାଘ ମାସରେ ଜଳକଷ୍ଟ ଭୋଗୁଛନ୍ତି ନୂଆସାହି ବାସିନ୍ଦା, ଧାରଣାରେ ବସିଲେ ମହିଳା

author img

By ETV Bharat Odisha Team

Published : Feb 15, 2024, 9:50 PM IST

Water Problem in Kendrapada: କେନ୍ଦ୍ରାପଡା ଜିଲ୍ଲା ଚକ୍ରୋଡା ପଞ୍ଚାୟତର ନୂଆସାହିରେ ଦେଖାଯାଇଛି ପାଣି ସମସ୍ୟା । ଯାହାକୁ ନେଇ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେଇଛନ୍ତି ଗାଁର ମହିଳା । ଅଧିକ ପଢ଼ନ୍ତୁ,

କେନ୍ଦ୍ରାପଡାରେ ପାଣି ସମସ୍ୟା
କେନ୍ଦ୍ରାପଡାରେ ପାଣି ସମସ୍ୟା

କେନ୍ଦ୍ରାପଡାରେ ପାଣି ସମସ୍ୟା

କେନ୍ଦ୍ରାପଡ଼ା: ଖରାଦିନ ନଆସୁଣୁ ଦେଖା ଦେଲାଣି ପାଣି ସମସ୍ୟା । କେନ୍ଦ୍ରାପଡା ଜିଲ୍ଲା ଚକ୍ରୋଡା ପଞ୍ଚାୟତର ନୂଆସାହିରେ ଦେଖାଯାଇଛି ପାଣି ସମସ୍ୟା । ଯାହାକୁ ନେଇ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେଇଥିଲେ ଗାଁର ମହିଳା । ଗାଁରେ ଥିବା ସପ୍ଲାଇ ପାଇପରୁ ଗତ 15 ଦିନ ହେବ ପାଣି ଆସୁନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଚକ୍ରୋଡା ପଞ୍ଚାୟତର ନୂଆସାହି ଗାଁରେ ପ୍ରାୟ ୫୦ ପରିବାରର ୨୫୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ କାମ ସହ ରୋଷେଇ କିମ୍ବା ପିଇବା ପାଇଁ ମଧ୍ୟ ପାଣି ଟୋପାଏ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ୨୦୦୮ ମସିହାରୁ ସ୍ଥାନୀୟ ମାଗୁରଗଣ୍ଡ ପାଟଣା ସ୍ଥିତ ପମ୍ପ ହାଉସ କନେକ୍ସନରେ ଏହି ନୂଆସାହି ବାସିନ୍ଦା ପାଣି ପାଉଥିଲେ । ଗତ ୧୫ ଦିନ ଠାରୁ ତରାପୁର ଠାରେ ନିର୍ମିତ ଉଚ୍ଚ ପାଣି ଟାଙ୍କିରୁ ପାଣି ପାଇବା ପାଇଁ ଜିଲ୍ଲା ଜଳ ଏବଂ ପରିମଳ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ତରାପୁର ଠାରୁ ନୂଆସାହି ପାଖାପାଖି ଏକ କିଲୋମିଟର ଦୂର ହୋଇଥିବାରୁ ଗାଁରେ ପାଣି ପହଞ୍ଚି ପାରୁନାହିଁ । ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..... ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ପେଟପାଟଣା ଚିନ୍ତାରେ ପରିବାର

ଅନ୍ୟପଟେ ଏହି ଗାଁରେ ଗୋଟିଏ ମାତ୍ର ନଳକୂପ ସମସ୍ତଙ୍କ ଆଶା ଭରସା ପାଲଟିଛି । ଗୋଟିଏ ନଳକୂପ ଉପରେ 50 ପରିବାର ନିର୍ଭର କରି ଚଳୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଗାଁରେ ଅନ୍ୟ ଜଳଉତ୍ସ ଯେମିତିକି ଗାଡ଼ିଆ, ପୋଖରୀ, କୂଅ ଇତ୍ୟାଦି ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି ଆନ୍ଦୋଳନକାରୀ । ତେବେ ଜଳ ସମସ୍ୟା ବିଷୟରେ ସରପଞ୍ଚଙ୍କୁ ପଚାରିଲେ ତାଙ୍କୁ ଏ ବିଷୟରେ କିଛି ଜଣା ନଥିବା ସେ କହୁଥିବା ଅଭିଯୋଗ କରାଯାଇଛି । କୌଣସି ବିକଳ୍ପ ନପାଇ ଶେଷରେ ଏହି ପନ୍ଥା ଆପଣେଇଛନ୍ତି ନୂଆସାହିର ମହିଳାମାନେ । ଗାଁର ମହିଳା ଗରା,ବାଲ୍ଟି ଓ ଢାଳ ଧରି ପମ୍ପ ହାଉସ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି । ଘଟଣାସ୍ଥଳରେ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ପଏଣ୍ଟରୁ ପାଣି କିପରି ଦିଆଯିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.