ETV Bharat / state

ପାନୀୟ ଜଳ ପାଇଁ ହିନସ୍ତା ପଞ୍ଚାୟତବାସୀ, କେବେ ସମସ୍ୟାର ସମାଧାନ କରିବ ପ୍ରଶାସନ?

author img

By ETV Bharat Odisha Team

Published : Feb 13, 2024, 8:16 PM IST

ପାନୀୟ ଜଳ ପାଇଁ ହିନସ୍ତା
ପାନୀୟ ଜଳ ପାଇଁ ହିନସ୍ତା

Water Problem In Jajpur: ଖରାଦିନ ନଆସୁଣି ସ୍ଥିତି ବେହାଲ । ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତବାସୀ । ଅଧିକ ପଢ଼ନ୍ତୁ

ପାନୀୟ ଜଳ ପାଇଁ ହିନସ୍ତା

ଯାଜପୁର: ଖରା ଦିନ ନ ଆସୁଣୁ ଏବେ ଠାରୁ ଦେଖାଦେଲାଣି ପାଣି ସମସ୍ୟା । କୂଅ ଓ ନଳକୂପ ଗୁଡିକରୁ ବାହାରୁଛି ଗୋଳିଆ ଓ ଆଇରନ୍ ମିଶା ପାଣି । ଏହି ପାଣିକୁ ବ୍ୟବହାର କରି ଲୋକେ ଝାଡାବାନ୍ତି ଓ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ସେପଟେ ପାନୀୟ ଜଳର ସୁବିଧା କରିବା ପାଇଁ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତବାସୀ ।

ତେବେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ଅବସ୍ଥିତ ନଠୁଆବର ପଞ୍ଚାୟତ । ଏହି ପଞ୍ଚାୟତ ପାଖାପାଖି 5 ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । କିନ୍ତୁ ଖରାଦିନ ନଆସୁଣୁ ଏହି ପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପଞ୍ଚାୟତରେ ଥିବା କୂଅ ଓ ନଳକୂପଗୁଡିକ ବହୁ ପୁରୁଣା ହୋଇଥିବାରୁ ଗୋଳିଆ ଓ ଆଇରନ୍ ମିଶା ପାଣି ବାହାରୁଥିବା ଦେଖିବାକୁ ମିଳୁଛି । ଏହି ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର ଶିକାର ହେଉଛନ୍ତି । ଏତେ ପରେ ବି କୂଅ ଓଡ଼ିଆ ନଳକୂପ ସଜଡା ନହେବାରୁ ବାଧ୍ୟହୋଇ ଲୋକେ ସେହି ଆଇରନ୍ ମିଶା ପାଣି ବ୍ୟବହାର କରୁଛନ୍ତି । କିଛି ଲୋକ କୂଅପାଣି ବ୍ୟବହାର କରୁଛନ୍ତି । କିନ୍ତୁ କୂଅଗୁଡିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର । କୂଅ ପାଖରେ ଚାନ୍ଦିନୀ ନାହିଁ କି କୂଅ ଉପରେ ଢାଙ୍କୁଣି ନାହିଁ । ବର୍ଷା ଦିନେ ରାସ୍ତାଘାଟ ପାଣି କୂଅରେ ପଶିଯାଉଛି । ଫଳରେ ପାଣି ଗୋଳିଆ ହେବା ସହ ପାଣିରୁ ପୋକଯୋକ ବାହାରୁଛନ୍ତି । କୂଅଗୁଡିକ ଉଝୁଳା ହେଉନି କିମ୍ବା ଏହାକୁ ବିଶୋଧନ କରାଯାଉନି । ଖରାଦିନେ କୂଅରୁ ପାଣି ଶୁଖି ଯାଉଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଶୋଷ ମେଣ୍ଟାଉଛି ଚୂଆପାଣି, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ସେପଟେ ପ୍ରାୟ ତିନିବର୍ଷ ତଳେ ଏହି ପଞ୍ଚାୟତରେ ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ପାଇପ୍ ବିଛାଯାଇଥିଲା । ଓଭର ହେଡ୍ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇଥିଲା । ମାତ୍ର ଏହା କାର୍ଯ୍ୟକ୍ଷମ ହେବାର ଦୁଇଦିନ ନପୁରୁଣୁ ଅଚଳ ହୋଇଯାଇଛି । ଦିନ ପରେ ଦିନ ଗଡିଚାଲିଛି, ହେଲେ ନାଁ ଏହାର ମରାମତି ହେଉଛି ନାଁ ଏହା କାର୍ଯ୍ୟକ୍ଷମ ହେଉଛି । ଫଳରେ ଲୋକେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ନଳକୂପଗୁଡିକ ସଜଡା ନହେବା ହେତୁ କୂଅ କିମ୍ବା ନଳକୂପର ପାଣି ପିଇବା ଦ୍ବାରା ଅନେକ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ତଥାପି ଲୋକମାନେ ଆଶାରେ ଅଛନ୍ତି ଯେ, ସେମାନଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ । ସେପଟେ ଏହି ସମସ୍ୟାକୁ ନେଇ ରସୁଲପୁର ବ୍ଲକର ବିଡିଓଙ୍କୁ ପଚାରିବାରୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ତେବେ ଆଗକୁ ଖରା ଦିନ ଆସୁଥିବା ବେଳେ ଏହି ପଞ୍ଚାୟତରେ ପାଣି ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.