ETV Bharat / politics

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର: ବୈଜୟନ୍ତଙ୍କ ପ୍ରାର୍ଥୀତ୍ବକୁ ନେଇ ଦ୍ଵନ୍ଦ୍ବ, ବିକଳ୍ପ ଖୋଜୁଛନ୍ତି ଜନତା

author img

By ETV Bharat Odisha Team

Published : Feb 10, 2024, 8:04 PM IST

Kendrapara Parliamentary Constituency
କେନ୍ଦ୍ରାପଡା ଲୋକସଭା କ୍ଷେତ୍ର

Kendrapara Parliamentary Constituency: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏଥର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ସମ୍ଭାବନା କ୍ଷୀଣ । ବିଜେପି ବିକଳ୍ପ ଖୋଜୁଥିବା ହେଉଛି ଆଲୋଚନା । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର

କେନ୍ଦ୍ରାପଡ଼ା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ନିର୍ବାଚନ ମଣ୍ଡଳୀ ପହଞ୍ଚି ଲଢ଼େଇ ପାଇଁ କ୍ଷେତ୍ର ସଜାଡ଼ିବା ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ହେଲେ ସମ୍ମାନଜନକ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀତ୍ବକୁ ନେଇ ଉପୁଜିଛି ଦ୍ଵନ୍ଦ୍ବ । ଏଠାରୁ ଦୁଇଥର ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିବା ପ୍ରାର୍ଥୀ ତଥା ୨୦୧୯ରେ ପଦ୍ମ ଦଳର ଟିକେଟରେ ଲଢ଼ି ପରାଜୟ ବରଣ କରିଥିବା ହେଭିୱେଟ ବୈଜୟନ୍ତ ପଣ୍ଡା ଏଥର ନିର୍ବାଚନ ଲଢ଼ିବା ଆଶା କ୍ଷୀଣ । ଯଦି ତାଙ୍କୁ ଟିକେଟ ନମିଳେ, ତେବେ ତାଙ୍କ ସ୍ଥାନରେ ବିଜେପି ଆଉ କାହାକୁ ପ୍ରାର୍ଥୀ କରୁଛି, ସେନେଇ ବଢୁଛି ସସପେନ୍ସ ।

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର: 1952 ମସିହାରେ ଗଠିତ ହୋଇଥିବା କେନ୍ଦ୍ରାପଡା ଲୋକସଭା ଆସନ ରାଜ୍ୟ ତଥା ଜାତୀୟସ୍ତରରେ ସର୍ବଦା ନିଜର ମର୍ଯ୍ୟାଦା ବଜାୟ ରଖିବାରେ ଚେଷ୍ଟିତ ରହିଛି । ଏହି କେନ୍ଦ୍ରାପଡା ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ରବି ରାୟ ଲୋକସଭାରେ ବାଚସ୍ପତି ହେବାର ଗୌରବ ଅର୍ଜନ କରିଥିଲେ । ହେଲେ ଗତ ୫ ବର୍ଷ ସଂସଦୀୟ କ୍ଷେତ୍ରର ବିକାଶରେ ବିରାମ ଲାଗିଥିବା ଭଳି ମନେହୁଏ । କେନ୍ଦ୍ରାପଡା ଜିଲ୍ଲାର ପାଟକୁରା, କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ସମେତ କଟକ ଜିଲ୍ଲାର ମାହାଙ୍ଗା ଏବଂ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନ ।

'ଆଉ ଜିତିବେନି ବୈଜୟନ୍ତ': ଗତ 2014 ଓ 2009 ମସିହା ନିର୍ବାଚନରେ ଏଠାରୁ ବିଜେଡି ଟିକେଟ୍‌ରୁ ଲଢ଼ି ବିଜୟୀ ହୋଇଥିଲେ ବୈଜୟନ୍ତ ପଣ୍ଡା । ହେଲେ 2019 ନିର୍ବାଚନ ପୂର୍ବରୁ ସେ ପଦ୍ମ ଶିବିରରେ ପହଞ୍ଚିଥିଲେ । ଏହାପରେ ନେତାରୁ ଅଭିନେତା ପାଲଟିଥିବା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ପରାଜୟର ସ୍ବାଦ ଚାଖିଥିଲେ ବିଜେପିର ଏହି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଏହାପରେ ବୈଜୟନ୍ତଙ୍କ କେନ୍ଦ୍ରାପଡା ପ୍ରତି ଆସକ୍ତି କମିଥିବା ବେଳେ ବାରମ୍ବାର ଦଳୀୟ ଦାୟିତ୍ବ ପାଇଁ ତାଙ୍କୁ କେନ୍ଦ୍ରାପଡାରୁ ଦୂରେଇ ରହିବାକୁ ପଡୁଛି । ଯେଉଁଥିପାଇଁ କେନ୍ଦ୍ରାପଡା ଆସନରୁ ବୈଜୟନ୍ତ ପ୍ରାର୍ଥୀ ହେବେ କି ନାହିଁ ସେନେଇ ସନ୍ଦେହ ଉପୁଜିଛି । ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ, "ବୈଜୟନ୍ତ ଜଣେ ଭଲ ନେତା । ତାଙ୍କ ପ୍ରତିନିଧିତ୍ବର ୧୦ ବର୍ଷ ମଧ୍ୟରେ ସେ କେନ୍ଦ୍ରାପଡା ପାଇଁ ଅନେକ କିଛି କରିପାରିଥାନ୍ତେ । କିନ୍ତୁ ମାନସିକତା କମ ଥିବା କାରଣରୁ ସେ କେନ୍ଦ୍ରାପଡା ଜିଲ୍ଲାରେ ହାତଗଣତି କେତୋଟି ଷ୍ଟାଡିୟମ ଓ ପାନୀୟ ଜଳ ପ୍ରକଳ୍ପ କରିବା ସାର ହୋଇଥିଲା । ଅଧା ପ୍ରୋଜେକ୍ଟ ମଧ୍ୟ ଅଧପନ୍ତରିଆ ଭାବେ ପଡ଼ିଛି ।" ତେଣୁ ତାଙ୍କ ଭଳି ପ୍ରାର୍ଥୀ ଏଠାରେ ଆଉ ଜିତିବା ଆଶା କ୍ଷୀଣ ବୋଲି ସ୍ଥାନୀୟ ସମାଜ ସେବୀ ଆକଳନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ଦୁର୍ଗ ଦଖଲ ପାଇଁ କର୍ପୋରେଟର ଗଗନଙ୍କୁ ମୈଦାନକୁ ଆଣିବ କି ବିଜେପି ?

ବୃଦ୍ଧି ପାଇଛି ବିଜେପିର ଭୋଟ ହାର: ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ୪ ଲକ୍ଷ ୪୭ ହଜାର ୪୫୬ ଭୋଟ ମିଳିଥିଲା । ସେପଟେ ଅଭିନେତାରୁ ନେତା ପାଲଟିଥିବା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ୬ ଲକ୍ଷ ୨୮ ହଜାର ୯୩୯ ଭୋଟ ମିଳିଥିଲା । ଫଳରେ ବୈଜୟନ୍ତ ୧ ଲକ୍ଷ ୫୨ ହଜାର ୫୮୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ । ଏହାପୂର୍ବରୁ ବୈଜୟନ୍ତ ପଣ୍ଡା ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ି ଯଥାକ୍ରମେ ୧ ଲକ୍ଷ ୨୭ ହଜାର ୧୦୭ ଓ ୨ ଲକ୍ଷ ୦୯ ହଜାର ୧୦୮ ଖଣ୍ଡ ଭୋଟରେ ରଞ୍ଜୀବ ବିଶ୍ବାଳ ଏବଂ ଧରଣୀଧର ନାୟକଙ୍କୁ ପରାସ୍ତ କରିଥିଲେ । ତେବେ ଦୁଇ ଦୁଇଥର ବିଜେଡିର ଟକ୍କର କଂଗ୍ରେସ ସହ ହେଉଥିବା ବେଳେ ଗତ ସାଧାରଣ ନିର୍ବାଚନରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିବା ସହ ଦଳୀୟ ଭୋଟ ହାର ମଧ୍ୟ ବୃଦ୍ଧି ପାଇଥିଲା ।

'ଏଥର ବିଜେପିରୁ ଯିଏ ପ୍ରାର୍ଥୀ ହେବ ଜିତିବ': କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, "ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ବରେ ଗତ ନିର୍ବାଚନରେ ଆମେ 5 ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ପାଇଥିଲୁ । ବିଜେପିର ଭୋଟ ହାର ବହୁ ମାତ୍ରାରେ ବୃଦ୍ଧି ପାଇଥିଲା । ଚଳିତ ୨୦୨୪ ନିର୍ବାଚନରେ ବିଜେଡିର ଦୁର୍ନୀତିରେ ଜନ ସାଧାରଣ ଅତିଷ୍ଠ ହୋଇ ପଡ଼ିଥିବାରୁ ବିଜେପିର ପ୍ରାର୍ଥୀତ୍ବକୁ ବିକଳ୍ପ ଭାବେ ବାଛିବେ ।" ସେହିପରି ଦଳ କାହାକୁ ଟିକେଟ ଦେବ ଓ କିଏ ପଛରେ ରହିବ ସେନେଇ ହାଇକମାଣ୍ଡ ବିଚାର କରିବେ ବୋଲି ଜିଲ୍ଲା ବିଜେପି ସଭାପତି କହିଥିବା ବେଳେ ବୈଜୟନ୍ତ ଯେ ଏଠାରୁ ପ୍ରାର୍ଥୀ ହେଉନାହାନ୍ତି, ସେନେଇ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ!, ବିଧାୟିକାଙ୍କ ପ୍ରତିନିଧିଙ୍କୁ କ୍ରିମିନାଲ୍ କହିଲେ ଜିଲ୍ଲା ସଭାପତି

ତେବେ ନା ବୈଜୟନ୍ତ ପଣ୍ଡା ନା ଅନ୍ୟ କେହି ନେତା ଜିଲ୍ଲାର ବିକାଶରେ ଭାଗ ନେଇଛନ୍ତି । ତେଣୁ ଏଥର ଜଣେ ଜିଲ୍ଲାର ପୁରୁଷ କିମ୍ବା ମହିଳାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରାଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଯାହାକି ଉଭୟ ବିଜେଡି ଓ ବିଜେପି ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.