ETV Bharat / politics

ବାରବାଟୀ ଦୁର୍ଗ ଦଖଲ ପାଇଁ କର୍ପୋରେଟର ଗଗନଙ୍କୁ ମୈଦାନକୁ ଆଣିବ କି ବିଜେପି ?

author img

By ETV Bharat Odisha Team

Published : Feb 9, 2024, 7:02 AM IST

Updated : Feb 9, 2024, 4:15 PM IST

Barabati Cuttack Assembly Seat: ଚର୍ଚ୍ଚାରେ ସିଏମସି ୨୬ ନମ୍ବର ୱାର୍ଡର କର୍ପୋରେଟର ଗଗନ ଓଝା । ଜନସମ୍ପର୍କ ଆଳରେ ସେ ଗୁରୁବାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଚର୍ଚ୍ଚା ହେଉଛି ଗଗନ କୁଆଡେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି । ଦେଖନ୍ତୁ ଏହି ରିପୋର୍ଟ

BJP Corporator Gagan Ojha
BJP Corporator Gagan Ojha

ବାରବାଟୀ ଦୁର୍ଗ ଦଖଲ ପାଇଁ କର୍ପୋରେଟର ଗଗନଙ୍କୁ ମୈଦାନକୁ ଆଣିବ କି ବିଜେପି ?

କଟକ: ରାଜ୍ୟରେ କେବେ ହେବ ନିର୍ବାଚନ ? ସେନେଇ କୌଣସି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ । କୌଣସି ଦଳ ମଧ୍ୟ ନିଜ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିନାହାନ୍ତି । ନିର୍ବାଚନ ପାଇଁ କଟକରେ ଦେଖାଦେଲାଣି ନିର୍ବାଚନୀ ଉଷ୍ମତା । ଦଳରୁ ଟିକେଟ ପାଇବା ପାଇଁ ଆରମ୍ଭ ହୋଇଗଲାଣି ଅଙ୍କକଷା । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ କଥା କହିଲେ ନିର୍ବାଚନ ପାଇଁ ଯଦିଓ ତିନି ପ୍ରମୁଖ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ, ତଥାପି ଟିକେଟ ପାଇବା ପାଇଁ ଆଶାୟୀ ପ୍ରାର୍ଥୀ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଚର୍ଚ୍ଚାରେ ୨୬ ନମ୍ବର ୱାର୍ଡର କର୍ପୋରେଟର ଗଗନ ଓଝା । ଜନ ସମ୍ପର୍କ ଆଳରେ ସେ ଗୁରୁବାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ସମର୍ଥକଙ୍କୁ ନେଇ ସହରରେ ଏକ ବିଶାଳ ରାଲି କରିଛନ୍ତି ଗଗନ । ଚର୍ଚ୍ଚା ହେଉଛି ଗଗନ କୁଆଡେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇପାରନ୍ତି । ସବୁଠାରୁ ଯୁବ କର୍ପୋରେଟର ଭାବରେ ବେଶ ପରିଚିତ ଥିବା ଗଗନ ନିଜର ସଂଗଠନ ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତାଙ୍କ ଆନୁଗତ୍ୟ ଭାବରେ ଜଣାଶୁଣା ଗଗନ, ଏଥର ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ।

ଏହା ବି ପଢନ୍ତୁ- ଜଟଣୀରେ ଜମିଲାଣି ନିର୍ବାଚନୀ ମାହୋଲ, ବଢୁଛି ଆଶାୟୀଙ୍କ ସଂଖ୍ୟା

ସବୁଠାରୁ ରୋଚକ କଥା ହେଉଛି, ଗତ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଗନଙ୍କ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ରହିବା ସହିତ ମଧ୍ୟାହ୍ନ ଭୋଜନ କରିବା ପରଠାରୁ ଗଗନଙ୍କୁ ନେଇ କଟକରେ ବେଶ ଚର୍ଚ୍ଚା ଲାଗି ରହିଛି । ଏନେଇ ଗଗନ କହିଛନ୍ତି, ''ମୁଁ ଜଣେ ଯୁବ ନେତା । ଦଳ ଯଦି ମୋତେ ଟିକେଟ ଦିଏ, ତେବେ ମୁଁ ନିଶ୍ଚୟ ଲଢ଼ିବି ଏବଂ ବିଜୟୀ ହେବି । ଲୋକଙ୍କ ସେବା କରିବା ମୋର ପ୍ରଥମ ଲକ୍ଷ୍ୟ । ବିଧାୟକ ପ୍ରାର୍ଥୀ ପାଇଁ ମୁଁ ଆଶାୟୀ ଅଛି । ଦଳ ଯାହା ନିଷ୍ପତ୍ତି ନେବ ତାକୁ ସମ୍ମାନ ଜଣାଇବି ।" ତେବେ ଗତ ବିଧାନସଭା ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ । ମାତ୍ର କମ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ । ଏଥର ସେ ଅସୁସ୍ଥ ଥିବାରୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- ଓଡ଼ିଶାରେ ନିଶ୍ଚିତ ସରକାର ଗଢିବ ବିଜେପି, ୧୫ରୁ ଅଧିକ ଏମପି ସିଟ ଜିତିବୁ: ମନମୋହନ

ତେବେ ଗଗନ ଓଝାଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ଦଳ ଯେପରି ନିଷ୍ପତ୍ତି ନେବ ସେନେଇ ସମସ୍ତ ଉଦ୍ୟମ କରାଯିବ ବୋଲି ପୂର୍ବତନ କଟକ ଜିଲ୍ଲା ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି । ସେହିପରି ସମର୍ଥକ କହିଛନ୍ତି ଯେ, ଗଗନଙ୍କୁ ପ୍ରାର୍ଥୀ କରିବା ପାଇଁ ଆବଶ୍ୟକ ପଡ଼ିଲେ ଆମେ ନେତୃମଣ୍ଡଳୀଙ୍କ ପାଖକୁ ଯିବୁ । ଯାହାବି ହେଲେ ଗଗନଙ୍କୁ ବିଧାୟକ ପ୍ରାର୍ଥୀ କରାଇ ବିଜୟୀ କରାଇବୁ ବୋଲି ସମର୍ଥକ କହିଛନ୍ତି । ଅଭିନେତା ଶ୍ରୀତମ ଦାସ, ସ୍ମୃତି ପଟ୍ଟନାୟକ, ଆଇନଜୀବୀ ସୌରୀ ମହାପାତ୍ରଙ୍କ ପରି ଅନେକ ନେତା ଏହି ରେସରେ ରହିଥିବା ବେଳେ ଦଳ କାହାକୁ ଟିକେଟ ଦେବ ତାହା ସମୟ ସାପେକ୍ଷ ।

ଇଟିଭି ଭାରତ, କଟକ

Last Updated :Feb 9, 2024, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.