ETV Bharat / politics

ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ!, ବିଧାୟିକାଙ୍କ ପ୍ରତିନିଧିଙ୍କୁ କ୍ରିମିନାଲ୍ କହିଲେ ଜିଲ୍ଲା ସଭାପତି

author img

By ETV Bharat Odisha Team

Published : Feb 6, 2024, 4:47 PM IST

BJD inter conflict in Kendrapara: ନିର୍ବାଚନ ଯେତିକି ପାଖେଇ ଆସୁଛି, କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ସେତିକି ତୀବ୍ର ହେବାରେ ଲାଗିଛି ! ପାଟକୁରା ବିଧାୟିକାଙ୍କ ସମର୍ଥକ ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରିବା ପରେ ବିଧାୟିକାଙ୍କ ପ୍ରତିନିଧିଙ୍କୁ କ୍ରିମିନାଲ ବୋଲି ସମ୍ବୋଧନ କରିଛନ୍ତି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା । ଅଧିକ ପଢ଼ନ୍ତୁ

ପାଟକୁରା ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ
ପାଟକୁରା ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ

ପାଟକୁରା ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ

କେନ୍ଦ୍ରାପଡ଼ା: ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛିମାସ ଥିବାବେଳେ ଶାସକ ବିଜେଡିର ଚିନ୍ତା ବଢ଼ାଇଛି ଗୋଷ୍ଠୀ କନ୍ଦଳ । କେନ୍ଦ୍ରାପଡ଼ାରେ ତ ଶାସକ ଦଳର କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ବିଜେଡି ଜିଲ୍ଲା ସଭାପତିଙ୍କ କଡ଼ା ପଦକ୍ଷେପ ଜିଲ୍ଲାର ଦୁଇଜଣ ବିଧାୟକଙ୍କୁ ଅଡ଼ୁଆରେ ପକାଉଥିବା ବେଳେ ଜଣେ ପୂର୍ବତନ ବିଧାୟକ ଓ ତାଙ୍କ ପରିବାର ପ୍ରତି କଟୁ ମନ୍ତବ୍ୟ କାରଣରୁ ଏବେ କନ୍ଦଳ ବିସ୍ଫୋରଣ ପାଲଟି କୁଶ ପୁତ୍ତଳିକା ଦାହ ପର୍ଯ୍ୟନ୍ତ କଥା ଗଲାଣି । ଅନ୍ୟପଟେ ଜିଲ୍ଲା ସଭାପତି, ବିଧାୟିକାଙ୍କ ପ୍ରତିନିଧିଙ୍କୁ ଜଣେ ଆଣ୍ଟି ସୋସିଆଲ କହିବା ଘଟଣା ଏବେ ପାଟକୁରା ରାଜନୀତିକୁ ସରଗରମ କରିଛି ।

ପୁଣି ପଦାରେ ପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ବିଜେଡିରେ ଚାଲିଥିବା ଗୋଷ୍ଠୀ କନ୍ଦଳ । ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପାଟକୁରା ରାଜନୀତି ଉଷ୍ମ ହୋଇଛି । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ତାଙ୍କ ପ୍ରତିନିଧି ତଥା ପୁଅ ସଞ୍ଜୟ ଅଗ୍ରୱାଲଙ୍କ ସମର୍ଥକମାନେ ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ବାରୁଣୀ ଛକଠାରେ ଜିଲ୍ଲା ବିଜେଡି ସଭାପତି ଉତ୍କଳଙ୍କ କୁଶ ପୁତ୍ତଳିକା ଦାହ କରିବା ସହ 'ବାଲି ଚୋର ହାଏ ହାଏ' ନାରା ଦେଇଥିଲେ । ତେବେ ଗତ ସପ୍ତାହରେ ଡେରାବିଶ ବ୍ଲକରେ ଅନୁଷ୍ଠିତ 'ଡେରାବିଶ୍ ଅସ୍ମିତା, ପାଟକୁରା ସ୍ଵାଭିମାନ ମଞ୍ଚ' ନାମକ ଏକ ଅଣପଞ୍ଜିକୃତ ରାଜନୈତିକ ସଙ୍ଗଠନ ପକ୍ଷରୁ ଏକ ରାଜନୈତିକ ସଭା କରାଯାଇଥିଲା । ଏଥିରେ ଯୋଗଦେଇ ବିଜେଡି ଜିଲ୍ଲା ସଭାପତି କହିଥିଲେ, "ମାରୱାଡି କୋଟି କୋଟି ଟଙ୍କା ଅର୍ଥ ରୋଜଗାର କରି ପରିବାର ରାଜନୀତି କରୁଛନ୍ତି । ପାଟକୁରାବାସୀ ଏହାକୁ ବରଦାସ୍ତ କରିବେନି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ, ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

ଏହି ମନ୍ତବ୍ୟ ପ୍ରତିବାଦରେ ବିଧାୟିକାଙ୍କ ସମର୍ଥକମାନେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡାଙ୍କ କୁଶ ପୁତ୍ତଳିକା ଦାହ କରିବା ସହ 'ବାଲି ଚୋର ଉତ୍କଳ ପରିଡା ହାଏ ହାଏ' ବୋଲି ନାରା ଦେଇଥିଲେ । ଏହାଛଡ଼ା ଜିଲ୍ଲା ସଭାପତି ପଦରୁ ତାଙ୍କୁ ବହିଷ୍କାର ପାଇଁ ମଧ୍ୟ ଦାବି କରିଥିଲେ ବିକ୍ଷୋଭକାରୀ । ଏନେଇ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ଏହା ବେଦପ୍ରକାଶଙ୍କୁ ଭଲ ପାଉଥିବା ଅନୁଗତମାନଙ୍କ ବିକ୍ଷୋଭ ବୋଲି କହିଥିଲେ । ସେହିପରି ଯେଉଁମାନେ ନେତୃତ୍ବରେ ନାହାନ୍ତି, ସେମାନେ ସମାଲୋଚନା କରିବା ପାଇଁ କିଏ ବୋଲି ପ୍ରଶ୍ନ କରିଥିଲେ ।

ଅନ୍ୟପଟେ ଏହି ଘଟଣାରେ ଜିଲ୍ଲା ସଭାପତି କହିଛନ୍ତି, "ପାଟକୁରାରେ ନେତୃତ୍ବରେ ପରିବର୍ତ୍ତନ ହେଉଛି । ତେଣୁ ସେମାନଙ୍କ ଖାଇବା ଥାଳିରେ ଧୂଳି ପଡ଼ିଲା ବେଳେ ସେମାନେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ । ଯେଉଁ ବ୍ୟକ୍ତି ଏହି କୁଶ ପୁତ୍ତଳିକା ଦାହ କରାଇବା ପଛରେ ଅଛନ୍ତି, ସେ କଣ ନେତା ? ନିଜକୁ ଆତ୍ମଘୋଷିତ ବିଧାୟିକାଙ୍କ ପ୍ରତିନିଧି ବୋଲି ପ୍ରଚାର କରୁଛନ୍ତି । ଆତ୍ମଘୋଷିତ ବିଧାୟିକାଙ୍କ ପ୍ରତିନିଧି ଜଣେ କ୍ରିମିନାଲ ବ୍ୟାକ୍‌ଗ୍ରାଉଣ୍ଡର ବ୍ୟକ୍ତି । ଅତୀତରେ ବେଦପ୍ରକାଶ ଅଗ୍ରୱାଲ କ୍ୟାବିନେଟ୍‌ ମନ୍ତ୍ରୀ ଥିବାବେଳେ ରାଜା ଆଚାର୍ଯ୍ୟ ସହ ସ୍କ୍ରାପ୍ଟ ବ୍ୟବସାୟରେ ରହି ରାଜା ଆଚାର୍ଯ୍ୟକୁ ପ୍ରଶ୍ରୟ ଦେଇଥିବା ଜଣେ କ୍ରିମିନାଲ ।" ଭାଗ୍ୟ ଭଲ କେବଳ କୁଶ ପୁତ୍ତଳିକା ଦାହ କରିଛନ୍ତି, ତାଙ୍କ ପକ୍ଷେ ସତରେ ଜଳାଇଦେବା ଅସମ୍ଭବ ନୁହେଁ । ପରିବାର ରାଜନୀତିକୁ ପ୍ରଶୟ ଦିଆଯିବ ନାହିଁ ।" ମାଟି ପାଇଁ ମୁହଁ ଖୋଲିବା ଅପରାଧ ନୁହେଁ ଏବଂ ଦଳର ହାଇକମାଣ୍ଡ ଚଳିତଥର ନିଶ୍ଚୟ ନେତୃତ୍ବରେ ପରିବର୍ତ୍ତନ ଆଣିବେ ବୋଲି କହିଛନ୍ତି ଉତ୍କଳ ।

ଉତ୍କଳଙ୍କ ସମର୍ଥନରେ ବାହାରିଛନ୍ତି ଡେରାବିଶ୍ ବ୍ଲକର ବିଜେଡି କର୍ମୀ । ଏଠାରେ ବିଧାୟିକାଙ୍କ ପ୍ରତିନିଧି କେବଳ ପିସିରେ ଚଳନ୍ତି କିନ୍ତୁ କର୍ମୀମାନଙ୍କ କଥା ବୁଝନ୍ତି ନାହିଁ ବୋଲି କହିବା ସହ ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକାକୁ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଦାହ କରିବାକୁ ନିନ୍ଦା କରିଛନ୍ତି ଡେରାବିଶ ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଙ୍ଗାଧର ମଲ୍ଲିକ । ତେବେ ଜିଲ୍ଲା ବିଜେଡିର ଅନ୍ତଃ କନ୍ଦଳ ଏବେ ପଦାରେ ପଡିଥିବା ବେଳେ ପାଟକୁରା ବିଜେଡିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଉଛି । ଏଠାରେ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ପାଇଁ ସୁପ୍ରିମୋ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.