ETV Bharat / bharat

ୱାସିଂ ମେସିନ ଭିତରୁ ବାହାରିଲା ୨.୫ କୋଟି ଟଙ୍କା - Cash in Washing Machine

author img

By ETV Bharat Odisha Team

Published : Mar 27, 2024, 7:43 AM IST

Cash in Washing Machine: ୱାସିଂ ମେସିନ ଭିତରୁ ବାହାରିଲା ବିଡା ବିଡା ନୋଟ । ଚଢାଉ ବେଳେ ୱାସିଂ ମେସିନ ଭିତରେ କୋଟି କୋଟି ଟଙ୍କା ଦେଖି ତାଜୁବ ହେଲେ ଇଡି ଅଧିକାରୀ । ଅଧିକ ପଢନ୍ତୁ

ୱାସିଂ ମେସିନ ଭିତରୁ ବାହାରିଲା ୨.୫ କୋଟି ଟଙ୍କା
ୱାସିଂ ମେସିନ ଭିତରୁ ବାହାରିଲା ୨.୫ କୋଟି ଟଙ୍କା

ନୂଆଦିଲ୍ଲୀ: ଲୋକେ କଳାଟଙ୍କା ଲୁଚାଇବାକୁ ବିଭିନ୍ନ କୌଶଳ ଆପଣାଇଥାନ୍ତି । କେତେବେଳେ ମାଟି ତଳୁ ତ ଆଉ କେତେବେଳେ କାନ୍ଥ ତାଡି ଟଙ୍କା ବାହାର କରାଯାଉଥିବା ଦେଖିବାକୁ ମିଳେ । ଏବେ ଠିକ୍ ଏମିତି କିଛି ଘଟଣା ସାମ୍ନାକୁ ଆସିଛି । ବୈଦେଶିକ ମୁଦ୍ରା ବିନିମୟ ଆଇନ ଉଲ୍ଲଘଂନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ରେଡ୍ ବେଳେ ୱାସିଂ ମେସିନ ଭିତରୁ ମିଳିଛି କୋଟି କୋଟି ଟଙ୍କା । ୱାସିଂ ମେସିନ ଭିତରେ ପ୍ରାୟ ଅଢେଇ କୋଟି ଟଙ୍କା ଲୁଚା ଯାଇଥିବା ବେଳେ ଇଡି ଅଧିକାରୀ ଚଢାଉ କରି ଏହାକୁ ଜବତ କରିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହାର ଫଟୋ ପୋଷ୍ଟ ହୋଇଛି । ଫଟୋରେ ଏକ ୱାସିଂ ମେସିନ ଭିତରେ ବିଡା ବିଡା ନୋଟ ପଶିଥିବାର ଦେଖିବାକୁ ମିଳୁଛି । ଏନେଇ ଏଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, କାପ୍ରିକୋରନିଆନ ସିପିଂ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ଓ ଏହାର ନିର୍ଦ୍ଦେଶକ ବିଜୟ କୁମାର ଶୁକ୍ଲା, ସଞ୍ଜୟ ଗୋସ୍ବାମୀ ଏବଂ ସହଯୋଗୀ ସଂସ୍ଥା ଲକ୍ଷ୍ମୀଟନ ମାରିଟାଇମ, ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ, ରାଜନନ୍ଦିନୀ ମେଟାଲ୍ସ ଲିମିଟେଡ, ଷ୍ଟୱାର୍ଟ ଆଲୋଇଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଭାଗ୍ୟନଗର ଲିମିଟେଡ, ବିନାୟକ ଷ୍ଟିଲ୍ସ ଲିମିଟେଡ, ବଶିଷ୍ଟ କନଷ୍ଟ୍ରକସନ ଏବଂ ଏହାର ନିର୍ଦ୍ଦେଶକ ଓ ପାର୍ଟନର ସନ୍ଦୀପ ଗର୍ଗ, ବିନୋଦି କେଡିଆଙ୍କ ସମେତ ଅନ୍ୟମାନଙ୍କ ଘରେ ରେଡ୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ED ରେଡ୍ - ED Raids AAP MLA

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ଗଛରେ ଫଳୁଛି ଟଙ୍କା ! ଆମ୍ବ ଗଛରୁ ବାହାରିଲା କୋଟିଏ ଟଙ୍କା

ଏହିସବୁ ସଂସ୍ଥାର ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା ଏବଂ ହରିୟାଣାର କୁରୁକ୍ଷେତ୍ର ଆଦି ବିଭିନ୍ନ ଠିକଣାରେ ରେଡ୍ କରାଯାଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ରେଡ୍ ବେଳେ ୱାସିଂ ମେସିନ ଭିତରୁ ଏପରି କୋଟି କୋଟି ଟଙ୍କା ମିଳିଥିଲା, ସେନେଇ କିଛି ସ୍ପଷ୍ଟ କରାଯାଇନି । ସମ୍ପୃକ୍ତ ସଂସ୍ଥାଗୁଡିକ ଭାରତ ବାହାରକୁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ପଠାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଇଡି ଏହି ରେଡ୍ କରିଥିଲା । ଏହି ସଂସ୍ଥା ସିଙ୍ଗାପୁରର ଗ୍ୟାଲେକ୍ସି ସିପିଂ ଆଣ୍ଡ ଲଜିଷ୍ଟିକ ଏବଂ ହୋରିଜୋନ ସିପିଂ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡକୁ ପ୍ରାୟ ୧୮୦୦ କୋଟି ଟଙ୍କା ପଠାଇଥିବା ଖବର ପାଇଥିଲା ଇଡି । ରେଡ୍ ବେଳେ ୨.୫୪ କୋଟି ଜବତ ହୋଇଥିବା ବେଳେ ସେଥିମଧ୍ୟରୁ ଅନେକ ଟଙ୍କା ଏକ ୱାସିଂ ମେସିନି ଭିତରୁ ମିଳିଥିଲା । ଏଥିସହ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଏବଂ ଡିଭାଇସ ଜବତ ସହିତ ଘଟଣାରେ ୪୭ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.