ETV Bharat / state

ଅଲୋଡା ସନ୍ଥକବି ଭୀମଭୋଇଙ୍କ ମନ୍ଦିର, ଖୋଜୁଛି ବିକାଶ - Saint Bhima Bhoi Temple

author img

By ETV Bharat Odisha Team

Published : May 25, 2024, 12:19 PM IST

Bhima Bhoi Temple: ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ ରହିଛି ସନ୍ଥକବି ଭୀମ ଭୋଇଙ୍କ ମନ୍ଦିର । ସନ୍ଥ କବିଙ୍କ ଏହି ମନ୍ଦିର ଯେମିତି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି । ଅଧିକ ପଢ଼ନ୍ତୁ

Bhima Bhoi Temple needs development
Bhima Bhoi Temple needs development (ETV Bharat Odisha)

ବୌଦ୍ଧ: ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ତଥାଗତ ବୁଦ୍ଧ ଓ ସନ୍ଥକବି ଭୀମ ଭୋଇଙ୍କ ପବିତ୍ର ଜନ୍ମ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି । ତେବେ ମହିମା ଧର୍ମର ଉପାସକ ଜଣେ ବ୍ୟକ୍ତି ନିଜ ସମସ୍ଥ ପୁଞ୍ଜିକୁ ନିବେଶ କରି ପ୍ରତିଷ୍ଠା କରିଛନ୍ତି ଭୀମ ଭୋଇଙ୍କ ମନ୍ଦିର । ସେ ବ୍ୟକ୍ତି ହେଉଛନ୍ତି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ ବସବାସ କରୁଥିବା ଶୁକଦେବ ଡାଙ୍ଗ । ତେବେ ସେ ମନ୍ଦିର ପ୍ରତିଷ୍ଠା କରିଛନ୍ତି ସତ । ହେଲେ ସେହି ମନ୍ଦିରର ରକ୍ଷଣାବେକ୍ଷଣା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସେ ସରକାରୀ ତଥା ବେସରକାରୀ ସହାୟତା ଲୋଡ଼ୁଛନ୍ତି ।

Bhima Bhoi Temple needs development (ETV Bharat Odisha)

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଲାମ ଗ୍ରାମରେ ବସବାସ କରୁଥିବା ଶୁକଦେବ ଡାଙ୍ଗ । ପିଲାଟି ବେଳରୁ ଶୁକଦେବ ମହିମା ଧର୍ମ ପ୍ରତି ଆକୃଷ୍ଟ ହୋଇ ମହିମା ଧର୍ମ ଗ୍ରହଣ କରିଛନ୍ତି । ଜୀବନ ଯାତ୍ରା ମଧ୍ୟରେ ଶୁକଦେବ ଜଣେ ସ୍ବଳ୍ପ ବେତନଧାରୀ ଚତୁର୍ଥ ଶ୍ରେଣୀ କର୍ମଚାରୀ । ତେବେ ଗତ ପ୍ରାୟ ପଚିଶ ବର୍ଷ ତଳେ ସେ ଚାକିରିରୁ ଅବସର ଗ୍ରହଣ ପରେ ଯେଉଁ ଅର୍ଥ ପାଇଥିଲେ ଓ ସଞ୍ଚୟ କରି ରଖିଥିଲେ ସେ ସବୁକୁ ବିନିଯୋଗ କରି ସନ୍ଥକବି ଭୀମଭୋଇଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହାଛଡା ସେଠାରେ ଏକ ମନ୍ଦିର ମଧ୍ୟ ପ୍ରତିଷ୍ଠା କରିଥିଲେ ।

ଏହି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପାଇଁ ଅନେକ ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ ପହଞ୍ଚି ଶୁକଦେବଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ । ହେଲେ ବର୍ତ୍ତମାନ ବୟସର ଶେଷ ଦିନରେ ଥିବା ଶୁକଦେବ ଏହି ଭୀମଭୋଇଙ୍କ ମନ୍ଦିରର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ନିଜେ ସପତ୍ନୀଙ୍କ ସହ ଚାଳ ଝୁପୁଡି ଘରେ ରହି ସନ୍ଥକବିଙ୍କ ପାଇଁ ନିର୍ମାଣ କରିଥିବା ପ୍ରତିମୂର୍ତ୍ତି ଓ ମନ୍ଦିରର ପରିଚାଳନା ଭାର ତଥା ଏହାର ବିକାଶ ପାଇଁ ଶୁକଦେବ ସବୁକିଛି ତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଶୁକଦେବଙ୍କ ଏଭଳି ଉଦ୍ୟମ ପାଇଁ ଗ୍ରାମର ଲୋକେ ବେଶ ପ୍ରଶଂସା କରିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ସପତ୍ନୀକ ଆସି ଲିଙ୍ଗରାଜ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର, କହିଲେ 'ଜୟ ଲିଙ୍ଗରାଜ' - Shaktikanta Das At Lingaraja

ପବିତ୍ର ବୈଶାଖ ପୂର୍ଣ୍ଣିମାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ମହତ୍ତ୍ଵ ରହିଆସିଛି । ବୌଦ୍ଧ ଜିଲ୍ଲା ପାଇଁ ବୈଶାଖ ପୂର୍ଣ୍ଣିମା ଅତ୍ୟନ୍ତ ସ୍ମରଣୀୟ ଦିବସ । ବୁଦ୍ଧ ଓ ବୈଦ୍ଧ ଧର୍ମକୁ ନେଇ ବୌଦ୍ଧ ଜିଲ୍ଲା ତାର ପରିଚୟ ପାଇଥିଲା । ମହିମା ଧର୍ମର ଉନ୍ମେଷ ଭୂମିରେ ଏହି ମହାନ ଦାର୍ଶନିକ ସନ୍ଥକବି ଭୀମଭୋଇଙ୍କ ଅନେକ ବାର ପାଦ ପଡିବା ସହିତ ଏହି ଅଞ୍ଚଳରେ ମହିମା ଧର୍ମ ପ୍ରଚାରରେ ଭୀମ ଭୋଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ବଲାସିଙ୍ଘାର ମହୁଲ ମୂଳ ଆଶ୍ରମ ଠାରୁ ନେଇ ବୈଦ୍ଧ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭୀମଭୋଇଙ୍କ ଯୌବନ ସମୟ କଟିଥିଲା । ଏହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ଏହି ମହାନ କବିଙ୍କ ସ୍ମୃତିରେ ଜଣେ ସାଧାରଣ ମଣିଷ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ।

ଇଟିଭି ଭାରତ, ବୌଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.