ETV Bharat / bharat

ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ED ରେଡ୍ - ED Raids AAP MLA

author img

By ETV Bharat Odisha Team

Published : Mar 23, 2024, 12:14 PM IST

ED Raids On AAP MLA: ଇଡି ଜାଲରେ ଆଉ ଜଣେ ଆପ୍ ନେତା । ଆଜି ସକାଳୁ ଦିଲ୍ଲୀ ଆପ୍ ବିଧାୟକ ଗୁଲାବ ସିଂହ ଯାଦବଙ୍କ ବାସଭବନରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ,

ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ଇଡି ରେଡ୍
ଆଉ ଜଣେ ଆପ୍ ବିଧାୟକଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ: ପୁଣି ଜଣେ ଆପ୍ ବିଧାୟକଙ୍କ ଘରେ ପଶିଲା ଇଡି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଆଜି (ଶନିବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଦିଲ୍ଲୀ ଆପ୍ ବିଧାୟକ ଗୁଲାବ ସିଂହ ଯାଦବଙ୍କ ଘର ସମେତ ବିଭିନ୍ନ ଠିକଣାରେ ରେଡ୍ କରିଛି । ଭୋର୍ ୩ଟା ବେଳୁ ଇଡି ଅଧିକାରୀମାନେ ତାଙ୍କ ବାସଭବନରେ ପହଞ୍ଚି ତନଘନା ଚଳାଇଛନ୍ତି । ଗୁଲାବ ସିଂହ ଦିଲ୍ଲୀର ମଟିୟାଲା ନିର୍ବାଚନୀ ମଣ୍ଡଳୀରେ ବିଧାୟକ ଅଛନ୍ତି । ତେବେ କେଉଁ ମାମଲାରେ ତାଙ୍କ ଘରେ ଚଢାଉ ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

୨୦୨୨ ନଭେମ୍ବର-ଡିସେମ୍ବରରେ ନଗର ନିର୍ବାଚନ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ଟଙ୍କା ନେଇ କର୍ପୋରେଟର ଟିକେଟ୍ ଦେଇଥିବା ନେଇ ଗୁଲାବ ସିଂହଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଆମ୍ ଆଦମୀ ପାର୍ଟିରୁ ଟିକେଟ୍ ଚାହୁଁଥିବା ଜଣେ ଆଶାୟୀ ଟିକେଟ୍ ନମିଳିବାରୁ ନିର୍ବାଚନୀ ପ୍ରଚାର ସମୟରେ ଏକ ଜନସଭାରେ ଗୁଲାବ ସିଂହ ଯାଦବଙ୍କ ଉପରେ ଆକ୍ରମଣ କରିଥିଲେ । ଆପ୍ ବିଧାୟକଙ୍କ ସହ ତାଙ୍କର ମାରପିଟ୍ ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ନେଇ ସେତେବେଳେ ଗୁଲାବ ସିଂହ ବିବାଦ ଘେରକୁ ଆସିଥିଲେ ।

ପ୍ରକାଶ ଥାଉକି,, ଗୁଲାବ ସିଂ ଆପ୍ ଟିକେଟରେ ମଟିୟାଲା ଆସନରୁ ଦ୍ବିତୀୟ ଥର ବିଧାୟକ ହୋଇଛନ୍ତି । ୨୦୧୫ରେ ସେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୨୦ରେ ଦ୍ବିତୀୟ ଥର ନିର୍ବାଚନ ଜିତିଥିଲେ । ଦୁଇଥର ଯାକ ସେ ବିଜେପି ପ୍ରାର୍ଥୀ ରାଜେଶ ଗେହଲଟଙ୍କୁ ହରାଇଥିଲେ । କହିରଖୁଛୁ କି, ଗୁଲାବ ସିଂହ ଯାଦବଙ୍କ ପୂର୍ବରୁ ଆପ୍‌ର ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ମଧ୍ୟ ଇଡି ଚଢାଉ କରିସାରିଛି ।

ଏହା ମଧ୍ୟ ପଢନ୍ତୁ: ରାୟ ଶୁଣାଇଲେ କୋର୍ଟ, 6 ଦିନିଆ ଇଡି ରିମାଣ୍ଡରେ କେଜ୍ରିୱାଲ - Arvind Kejriwal Sent To ED Custody

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀ, ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା - Sunita Kejriwal First Reaction


ଅନ୍ୟପଟେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି । ଶୁକ୍ରବାର ଇଡି କେଜ୍ରିୱାଲଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରି ୧୦ ଦିନିଆ ରିମାଣ୍ଡ ମାଗିଥିଲା । କିନ୍ତୁ କୋର୍ଟ ୬ ଦିନ ପାଇଁ ଅନୁମତି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.