ଓଡିଶା

odisha

ଅଜଣା ରୋଗରେ ପୀଡିତ ତିନି ସନ୍ତାନ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

By

Published : Sep 1, 2022, 5:22 PM IST

Updated : Sep 1, 2022, 7:09 PM IST

ରୋଗ ଶଯ୍ୟାରେ ତିନି ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ ନିକଟରେ ସାହାଯ୍ୟ ଭିକ୍ଷା କଲେ ପରିବାର । ଅଜଣା ରୋଗରେ ପୀଡିତ ବଢିଲା ପୁଅ ଝିଅ । ଅଧିକ ପଢନ୍ତୁ

ତିନି ସନ୍ତାନ ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ପରିବାର
ତିନି ସନ୍ତାନ ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ପରିବାର

ଖୋର୍ଦ୍ଧା: କୁହାଯାଏ ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥି ନେଇ ଆସେ । ଏବେ ସେହି ଦୁଃଖର କଳା ବାଦଲ ଯେମିତି ଛିଣ୍ଡି ପଡିଛି ଟୁକୁଦତ୍ତ ସାମନ୍ତସିଂହାରଙ୍କ ପରିବାର ଉପରେ । ୫ ପ୍ରାଣୀ କୁଟୁମ୍ଭକୁ ନେଇ ପରିବାର । ଗୋଟିଏ ପୁଅ, ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ବେଶ ହସ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ଏବେ ସେହି ସୁଖି ପରିବାରରେ ଯେମିତି କାହାର ନଜର ଲାଗିଯାଇଛି । ଯେଉଁ ବୟସରେ ବାପା ମାଆଙ୍କ ସେବା ପିଲା ମାନେ କରିବା କଥା ଆଜି ସେହି ବୟସରେ ବାପା ମାଆଙ୍କ କାନ୍ଧରେ ପିଲାଙ୍କ ବୋଝ । ସବୁଠାରୁ ଦୁଃଖର ବିଷୟ ହେଉଛି ଟୁକୁ ଦତ୍ତଙ୍କ ତିନି ସନ୍ତାନ ଏବେ ଅଜଣା ରୋଗରେ ଜର୍ଜରିତ । କିନ୍ତୁ ପିଲାଙ୍କୁ ଭଲ କରିବାକୁ ଏବେ ପାଖରେ ଅର୍ଥ ନାହିଁ ।

ତିନି ସନ୍ତାନ ଶଯ୍ୟାଶାୟୀ, ସରକାରୀ ସହାୟତା ଅପେକ୍ଷାରେ ପରିବାର

ଖୋର୍ଦ୍ଧା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତର ଓଗାଳପୁର ଗ୍ରାମରେ ଟୁକୁଦତ୍ତ ସାମନ୍ତସିଂହାରଙ୍କ ଘର । ସ୍ତ୍ରୀ ମମତାମୟୀ ସାମନ୍ତସିଂହାର, ତିନି ସନ୍ତାନ ହେଉଛନ୍ତି ପୁଅ ବିଶ୍ୱରଞ୍ଜନ, ଦୁଇ ଝିଅ ଡେଜି ଓ ଚିକୁନ । ପୁଅ ବିଶ୍ୱରଞ୍ଜନ ଅନ୍ୟ ପିଲାଙ୍କ ପରି ସାଙ୍ଗହୋଇ ସ୍କୁଲ ଯିବା ସହ ଖେଳକୁଦ ମଧ୍ୟ କରୁଥିଲା । ହେଲେ ବିଶ୍ୱରଞ୍ଜନ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଧିରେ ଧିରେ ଆଖି ତଳେ ଏକ କଳା ଦାଗ ଦିଶିଲା, ଖନେଇ ଖନେଇ କଥା ହେଲା । ତାପରେ ସେ ଦୁର୍ବଳ ହେବା ସହ ଆଉ ଚାଲିପାରିଲେ ନାହିଁ କି କଥାବାର୍ତ୍ତା ମଧ୍ୟ କରି ପାରୁନାହିଁ । ଦିନେ ଚଳ ଚଞ୍ଚଳ ଥିବା ବିଶ୍ୱରଞ୍ଜନ ଚାଲିବୁଲି ପାରୁନାହିଁ । ଏପରିକି ସାଧାରଣ ନିତ୍ୟକର୍ମ ମଧ୍ୟ କରି ପାରୁନାହିଁ । ଶଯ୍ୟାଶାୟୀ ହୋଇ ଯାଇଛି ଘରର ଭେଣ୍ଡାପୁଅ ।

ବିଶ୍ୱରଞ୍ଜନ ଶଯ୍ୟାଶାୟୀ ହେବାର ଦୁଇ ବର୍ଷ ପରେ ବଡ଼ ଝିଅ ଡେଜି ମଧ୍ୟ ଅସୁସ୍ଥ ହୋଇ ପଡିଲା । ଡେଜି +୩ କଳା ଦ୍ବିତୀୟ ବର୍ଷ ପଢ଼ୁଥିବା ବେଳେ ପୁଅ ବିଶ୍ୱରଞ୍ଜନ ପରି ହଠାତ୍ ଶରୀର କଳାପଡି ଯାଇଥିଲା । ତାପରେ ଆଉ ଚାଲିବୁଲି ପାରିଲା ନହିଁ କି କଥାବାର୍ତ୍ତା ମଧ୍ୟ କରି ପାରୁନାହିଁ । ପୁଅ ବିଶ୍ବରଞ୍ଜନ ପରି ତାର ଅବସ୍ଥା ହେଇଯାଇଛି । ଆଉ ଏବେ ସାନ ଝିଅ ଚିକୁନ ଦଶମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ ଭଲରେ ଚାଲବୁଲ କରୁଥିଲା । ଏବେ ସେ ବଡ ଭାଇଭଉଣୀଙ୍କ ପରି ଅଜଣା ରୋଗରେ ଆକ୍ରାନ୍ତ ହେବା ଆରମ୍ଭ ହେଲାଣି । ଖେଳକୁଦ ପଢିବା ବୟସରେ ଦେଖୁ ଦେଖୁ ତିନି ତିନିଟା ପିଲା ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ହୋଇଗଲେ । ତିନି ପିଲାଙ୍କ ଅବସ୍ଥା ଏମିତି ହୋଇଛି ଯେ, କୁଆଡେ ଯିବାତ ଦୂରର କଥା ଦାନ୍ତ ଘଷିବା ପାଇଁ ଲୋଡା ପଡ଼େ ଅନ୍ୟର ସାହାରା । ଫଳରେ ତିନି ପିଲାଙ୍କ ସେବାରେ ଦିନରାତି ଲାଗିପଡିଛନ୍ତି ବାପା ମାଆ । ତିନି ସନ୍ତାନଙ୍କୁ ଅଜଣା ରୋଗ ଯୋଗୁଁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ବଢିଲା ପୁଅଝିଅଙ୍କ ଅବସ୍ଥା ଯେକେହି ଦେଖୁଛି ଆଖିର ଲୁହକୁ ରୋକି ପାରୁନାହିଁ । ଟୁକୁଦତ୍ତଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ଼ ଚିଣ୍ଡି ପଡ଼ିଛି ।

ଏନେଇ ଟୁକୁଦତ୍ତ ସାମନ୍ତସିଂହାର କହିଛନ୍ତି ଯେ, ''ମୋର ତିନି ସନ୍ତାନ ଏବେ ଅଜଣା ରୋଗରେ ପୀଡିତ, ତାଙ୍କୁ କଣ ରୋଗ ହୋଇଛି ତାହା ଡାକ୍ତର ବି ଜାଣି ପାରୁନାହାନ୍ତି । କେବେଳ ଘର ଖଣ୍ଡିକ ଛାଡି ଦେଲେ ଘରେ ସୁନା ଗହଣା, ବିଲ ବାଡି ଯାହା ଥିଲା ସବୁ ବିକ୍ରି କରି ପିଲାଙ୍କ ଚିକିତ୍ସାରେ ଲଗାଇସାରିଲିଣି । କିନ୍ତୁ କୌଣସି ସୁଫଳ ମିଳୁନାହୁଁ । ଅଧିକ ଚିକିତ୍ସା ପାଇଁ ମୋ ପାଖରେ ଆଉ ଟଙ୍କା ନାହିଁ, ତେଣୁ ସରକାରଙ୍କ ପାଖରେ ମୁଁ ଆକୁଳ ନିବେଦନ କରୁଛି ମୋ ପିଲାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରନ୍ତୁ । ନହେଲେ ଇଚ୍ଛାମୃତ୍ୟୁ ପାଇଁ ଆମକୁ ଅନୁମତି ଦିଅନ୍ତୁ । ଆମେ ବାପା ମାଆ ଆଉ ଦୁଃଖ ସମ୍ଭାଳି ପାରୁନାହୁଁ ।''

ଏନେଇ ଦେଉଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଅକ୍ଷୟ କୁମାର ରାଉତରାୟ କହିଛନ୍ତି ଯେ, ''ଟୁକୁଦତ୍ତ ସାମନ୍ତସିଂହାର ଜଣେ ଚାଷୀ ପରିବାର, ତାଙ୍କର ତିନିଟି ସନ୍ତାନ ଏବେ ଅଜଣା ରୋଗରେ ପୀଡିତ ଥିବାରୁ ଦୁଃଖରେ ଦିନ କାଟୁଛନ୍ତି । ଏନେଇ ମୁଁ ବ୍ଲକ ଅଧିକାରୀଙ୍କୁ ଅବଗତ କରାଯାଇଛି, ଏଥିସହ ପଞ୍ଚାୟତ ପକ୍ଷରୁ ମୁଁ ସାହାଯ୍ୟ ସହଯୋଗ କରିବି । ତେଣୁ ଅଞ୍ଚଳବାସୀ ମଧ୍ୟ ତାଙ୍କୁ ସାହାଯ୍ୟକଲେ ସେମାନେ ଉପକୃତ ହେବେ । ''

ଏସବୁ ଭିତରେ ଟୁକୁଦତ୍ତ ଓ ମମତାମୟୀ ଆଶା ରଖିଛନ୍ତି ଭଲ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଗଲେ ସେମାନଙ୍କ ପିଲାମାନେ ଭଲ ହୋଇଯିବେ । ଆଉ ପୁଣିଥରେ ତାଙ୍କ ପାଖକୁ ହସିଲା ସଂସାର ଫେରିଆସିବ । ଖାଲି ଦେଖିବାକୁ ବାକି ରହିଲା ସରକାର ଏହି ଦୁଃଖି ପରିବାରର ଗୁହାରି କେବେ ଶୁଣୁଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Sep 1, 2022, 7:09 PM IST

ABOUT THE AUTHOR

...view details