ଭୁବନେଶ୍ବର: ବର୍ଷ ଆରମ୍ଭରୁ ପୁଣି ଡରାଉଛି କୋରୋନା ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି 5 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କେରୋନା ସଂକ୍ରମିତଙ୍କ ସଂଖ୍ୟା 24କୁ ବୃଦ୍ଧି ପାଇଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜ ଡିନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍ଜିଏଚ୍ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ୨୯୫ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ 5 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 24କୁ ବୃଦ୍ଧି ପାଇଥିବା ବେଳେ ଜଣେ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ ଦେଶର ଆଉ କିଛି ରାଜ୍ୟରେ ମଧ୍ୟ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ନେଇ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଡିନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍ଜିଏଚ୍ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ସର୍ଭିଲାନ୍ସ ଏବଂ ଟେଷ୍ଟିଂ ବଢ଼ାଇବା ସହିତ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ କୁହାଯାଇଛି । ଅକ୍ସିଜେନ ବେଡ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆକ୍ରାନ୍ତଙ୍କ ଉପରେ ନଜର ରଖିବା ସହ ପଜିଟିଭ୍ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ଟେଷ୍ଟିଂ ଏବଂ ଚିକିତ୍ସା ସୁବିଧାରେ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଆବଶ୍ୟକ ଟେଷ୍ଟିଂ କିଟ୍ ଏବଂ ଔଷଧ ମହଜୁଦ ରଖିବା ସହ ଠିକ୍ ସମୟରେ ଡାଟା ଏଣ୍ଟ୍ରି କରିବା ପାଇଁ କୁହାଯାଇଛି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।