ଭୁବନେଶ୍ବର: ବିନା ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାରେ କେମିତି ଚାଲିବ ଗୃହ । ସଂଘୀୟ ବ୍ୟବସ୍ଥା ସଶକ୍ତ ଗଣତନ୍ତ୍ର ପାଇଁ ବିରୋଧୀ ଦଳର ଏକାନ୍ତ ଆବଶ୍ୟକ । ବିରୋଧୀ ଦଳର ନେତାଙ୍କ ନେତୃତ୍ବରେ ଶାସକ ଦଳକୁ ଶାଣିତ ପ୍ରଶ୍ନ ସହ ସମାଲୋଚନା ମଧ୍ୟ ଆବଶ୍ୟକ । ହେଲେ ଗୃହ ଆରମ୍ଭରୁ ବିଧାନସଭାରେ ଦେଖିବାକୁ ମିଳୁନାହାନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି ଶାସକ ଓ କଂଗ୍ରେସ ଦଳ ।
ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ । ଗୃହରେ ଅନୁପସ୍ଥିତି ରହୁଛନ୍ତି 15 ରୁ ଅଧିକ ମନ୍ତ୍ରୀ । ଫାଙ୍କା ପଡୁଛି ବିଧାୟକଙ୍କ ସିଟ୍ । ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉତ୍ତର ରଖୁଛନ୍ତି କା ମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ଚାଲିଛି ବିଧାନସଭା । ବିଧାନସଭାରେ ମନ୍ତ୍ରୀ ଓ ଶାସକ ଦଳର ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ । ବିଭିନ୍ନ ପ୍ରଶ୍ନର ଉତ୍ତର କା ମନ୍ତ୍ରୀ ଦେଉଥିବାରୁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ ।
ଗୃହ ଆରମ୍ଭରୁ ଏଭଳି ଅବସ୍ଥା ଲାଗି ରହିଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ । ସେପଟେ ଆଜି ସୁଯୋଗ ଦେଖି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଅନୁପସ୍ଥିତ ରହିବା କଥା ଉଠାଇଛନ୍ତି ବିଜେଡି ବିଧାୟକ ଅମର ଶତପଥି । ବିରୋଧୀ, ମନ୍ତ୍ରୀ ଅନୁପସ୍ଥିତ ରହୁଥିବା କଥା କହୁଥିବାବେଳେ ବିରୋଧୀ ଦଳର ନେତା କାହିଁକି ଅନୁପସ୍ଥିତ ବୋଲି ପ୍ରଶ୍ନ କରି ବିଜେପିକୁ ଘେରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ।