ଓଡିଶା

odisha

ରଥ ଓ କଳାକୁଞ୍ଜରେ ଝଲସୁଛି ରେଶମ ସହର; ସଞ୍ଜ ନଇଁଲେ ଭିଡ ଜମୁଛି

By

Published : May 2, 2023, 8:05 PM IST

ଝିଲମିଲ ଆଲୋକମାଳା ସାଙ୍ଗକୁ ରଥ ଓ କଳାକୁଞ୍ଜରେ ଝଲସୁଛି ରେଶମ ସହର । କେଉଁଠି ଜ୍ବାଳାମୁଖୀ ତ କେଉଁଠି କନକଦୁର୍ଗା, ପୁଣି କେଉଁଠି ପଞ୍ଚମୁଖୀ ହନୁମାନ ତ ଆଉ କେଉଁଠି ଗଜଲକ୍ଷ୍ମୀ । ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାର ପ୍ରମୁଖ ଆକର୍ଷଣ ସାଜିଛି ସାହି ସାହିର ସୁସଜ୍ଜିତ ରଥ ଓ କଳାକୁଞ୍ଜ । ଅଧିକ ପଢନ୍ତୁ

ରଥ ଓ କଳାକୁଞ୍ଜରେ ଝଲସୁଛି ରେଶମ ସହର
ରଥ ଓ କଳାକୁଞ୍ଜରେ ଝଲସୁଛି ରେଶମ ସହର

ରଥ ଓ କଳାକୁଞ୍ଜରେ ଝଲସୁଛି ରେଶମ ସହର


ବ୍ରହ୍ମପୁର: ବାପଘରୁ ବିଦାୟ ନେଇଛନ୍ତି ମାଆ ବୁଢୀ ଠାକୁରାଣୀ । ୨୮ ଦିନ ପରେ ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଉଦଯାପିତ ହୋଇଛି । ତେବେ ମାଆଙ୍କର ଏହି ଯାତ୍ରା ସମୟରେ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ବିଭିନ୍ନ ରଥ ଓ କଳାକୁଞ୍ଜ । ଝିଲମିଲି ଆଲୋକମାଳାରେ ଝଟକୁଥିବା ସହରର ଶୋଭାବର୍ଦ୍ଧନ କରିଥାଏ ଏହି ରଥ । ସଞ୍ଜ ନଇଁଲେ ବିଭିନ୍ନ ସାହିରେ ଥିବା ରଙ୍ଗୀନ ଆଲୋକମାଳା ଏବଂ ଆକର୍ଷଣୀୟ ରଥ ଓ କଳାକୁଞ୍ଜ ଦେଖିବାକୁ ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଥାନ୍ତି । ମାଆଙ୍କ ଦର୍ଶନଲାଭ କରିବା ସହ ସାହି ପରିକ୍ରମା କରି ଚିତାକର୍ଷକ ରଥ ଓ କଳାକୁଞ୍ଜ ଦର୍ଶନ କରିଥାନ୍ତି । ବିଶ୍ବାସ ରହିଛି, ମାଆ ବୁଢୀ ଠାକୁରାଣୀଙ୍କ ଆଗମନ ସମୟରେ ସ୍ବର୍ଗରୁ ଦେବାଦେବୀ ଓ ପାତାଳପୃଷ୍ଠରୁ ଦାନବମାନେ ମାଆଙ୍କ ଯାତ୍ରାରେ ସାମିଲ ହେବାକୁ ଧରାପୃଷ୍ଠକୁ ଆସିଥାନ୍ତି ଓ ଏହି ରଥାରୁଢ ହୋଇଥାନ୍ତି ।

ଚଳିତ ବର୍ଷ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାର ପ୍ରମୁଖ ଆକର୍ଷଣ ହୋଇଛି ସୁସଜ୍ଜିତ ରଥ ଓ କଳାକୁଞ୍ଜ । ମୁଖ୍ୟତଃ ମାଆଙ୍କ ଯାତ୍ରା ଆରମ୍ଭ ହେବା ପରେ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ମାଆ ନିଜେ ବିଭିନ୍ନ ସାହି ପରିକ୍ରମା କରିବା ସମୟରେ ସହରର ପ୍ରମୁଖ ରଥ ଓ କଳାକୁଞ୍ଜଗୁଡିକୁ ନିମନ୍ତ୍ରଣ କରିଥାନ୍ତି । ନିମନ୍ତ୍ରଣ ପାଇବା ପରେ ମାଆଙ୍କ ପ୍ରିୟର ରଥ କୁହାଯାଉଥିବା ବିଞ୍ଚଣା ଓ ଦୋଳି ରଥ ପ୍ରଥମେ ଉନ୍ମୋଚିତ ହୋଇଥାଏ । ଏହାପରେ ସହରର କାଳୁପାତ୍ର ସାହିର ଜ୍ୱଳାମୁଖି, ଷଣ୍ଡମହାନ୍ତି ସାହିର ଶିବାରୁଢା କାଳୀ ଭଳି କେତେକ ପ୍ରମୁଖ ରଥ ମାଆଙ୍କର ସହଚରୀ ଭାବରେ ଜୀବନ୍ୟାସ ଦିଆଯାଇ ଉନ୍ମୋଚିତ କରାଯାଏ । ଏହିଭଳି ପର୍ଯ୍ୟାୟ କ୍ରମେ ଅନ୍ୟ ରଥଗୁଡିକ ଉନ୍ମୋଚିତ ହୋଇଥାଏ । ଯାତ୍ରାର ଶେଷ ପର୍ଯ୍ୟାୟ ବେଳକୁ ସମସ୍ତ ରଥ ଓ କଳାକୁଞ୍ଜ ଉନ୍ମୋଚନ ପରେ ବ୍ରହ୍ମପୁରର ମାଆଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ବିଭିନ୍ନ ସାହିକୁ ପରିକ୍ରମା କରି ରଥ ଓ କଳାକୁଞ୍ଜଗୁଡିକୁ ଦର୍ଶନ କରିଥାନ୍ତି । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।



ଚଳିତ ବର୍ଷ ମାଆଙ୍କ ଯାତ୍ରାରେ କାଳୁପାତ୍ର ସାହିରେ ଜ୍ୱାଳାମୁଖି ରଥ, ଆଗାସାହିରେ କନକଦୁର୍ଗା ରଥ, ଚନ୍ଦ୍ରମା ସାହିରେ ବୋଇତ ରଥ, ଷଣ୍ଡମହାନ୍ତି ସାହିରେ ଶିବାରୁଢା କାଳୀ, ସାଆନ୍ତାଣି ସାହିରେ ରଙ୍ଗୋଲି ରଥ, ବାଛୁବାରୀ ସାହିରେ ମାଆଙ୍କ ପ୍ରିୟ ବିଞ୍ଚଣା ରଥ, କଂସାରୀ ସାହିରେ ପର୍ଶୁରାମ ରଥ, ଶଙ୍କରପୁର ସାହିରେ ରାମଚନ୍ଦ୍ର ରଥ, ସୀତାରାମ ସାହିରେ ନାଗାର୍ଜୁନ ରଥ, ଜେନା ସାହିରେ ବୀର ଲକ୍ଷ୍ମଣ ରଥ, ବାଲାଜିପେଣ୍ଠ ସାହିରେ ଇଶ୍ୱର ରଥ, ନୂଆଁସାହିରେ ପଞ୍ଚମୁଖି ହନୁମାନ, ଖସ୍ପା ସାହିରେ ହରି ଅର୍ଜୁନ ରଥ, ଶଙ୍ଖାରୀ ସାହିରେ ମହାବୀର ଲକ୍ଷ୍ମଣରଥ, କୁମ୍ଭାର ସାହିରେ ମାଆ ଗଜଲକ୍ଷ୍ମୀଙ୍କ ରଥ, ବାଲାଜିପେଣ୍ଠ ଗୌଡ ସାହିରେ ଶ୍ରୀକୃଷ୍ଣ ରଥ, ନୃସିଂହମନ୍ଦିର ସାହିରେ ଶ୍ରୀରାମ ରଥ ଉନ୍ମୋଚିତ ହୋଇଛି ।

ସେହିପରି ଦେଶୀବେହେରା ସାହିରେ ମାଆ ଜ୍ୱଳା ରଥ, ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକର ଶ୍ରୀରାମ ରଥ, ଜଗବନ୍ଧୁ ବଡ ରେଡିକା ସାହିରେ କାମଧେନୁ ରଥ, ପୁରୁଣା ବ୍ରହ୍ମପୁରରେ ମହାବୀର କର୍ଣ୍ଣ, ଶଗଡିଆ ମାର୍ଥା ସାହିରେ ମହାଦେବ ରଥ, ଜେମାଦେଇ ପେଣ୍ଠରେ ଜଗନ୍ନାଥ ରଥ ଓ ଚନ୍ଦ୍ରଶେଖର ମନ୍ଦିର ସାହିରେ ବୀର ହନୁମାନ ରଥ ଚଳିତ ବର୍ଷ ଉନ୍ମୋଚନ ପରେ ବୁଢା ଠାକୁରାଣୀ ଯାତ୍ରାର ପ୍ରମୁଖ ଆକର୍ଷଣ ହୋଇଛି । କେବଳ ଏହି ରଥ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁନାହିଁ, ବରଂ ସମାଜକୁ ଅନେକ ସଚେତନତା ବାର୍ତ୍ତା ଦେଉଛି । ଗତବର୍ଷ କୋଭିଡ କାରଣରୁ ମାଆଙ୍କ ଯାତ୍ରା କେବଳ କଟକଣା ମଧ୍ୟରେ ଆୟୋଜିତ ହୋଇଥିବାରୁ ଚଳିତଥର ଯାତ୍ରାରେ ବେଶ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details