ଓଡିଶା

odisha

ମହାପ୍ରଭୁଙ୍କ ଅଣସର ଓ ମହାଅଣସର ନୀତିରେ କଣ ରହିଛି ଅନ୍ତର

By

Published : Jun 28, 2021, 7:04 AM IST

ଶ୍ରୀକ୍ଷେତ୍ରରେ କାଳିଆର ଲୀଳା ସାରା ବିଶ୍ବକୁ କରିଛି ଚମତ୍କୃତ । ସକାଳର ଦାନ୍ତକାଠି ଘଷାରୁ ଦିନଚର୍ଯ୍ୟା ଆରମ୍ଭ କରି ଦହି ପଖାଳ ଖାଇ ଶୋଇ ପଡ଼ିବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆ । ସବୁଠାରୁ ବେଶି ଯାହା ଆଶ୍ଚର୍ଯ୍ୟ କରେ ତାହା ହେଉଛି ମହାପ୍ରଭୁଙ୍କ ଅନନ୍ୟ ଅଣସର ନୀତି । ଅଧିକ ପଢ଼ନ୍ତୁ...

special ritual Anasara and Mahaanasra, Anasara and Mahaanasra, special ritual of mahaprabhu jagannath, ଅଣସର ଓ ମହାଅଣସର ନୀତି, ଅଣସର ନୀତି, ମହାଅଣସର ନୀତି, ନବକଳେବର, ନବଯୌବନ ଦର୍ଶନ, ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରା
ମହାପ୍ରଭୁଙ୍କ ଅଣସର ଓ ମହାଅଣସର ନୀତି

ପୁରୀ: ଶ୍ରୀମନ୍ଦିରର ବିଦ୍ୟମାନ ପ୍ରଭୁ ଜଗନ୍ନାଥ ପ୍ରତିଟି ଓଡ଼ିଆର ପ୍ରାଣବିନ୍ଦୁ । ସେ ଜଗନ୍ନାଥ ଏ ଜାତିର ପ୍ରତିଟି ଘରର ସଦସ୍ୟ । ଦାନ୍ତକାଠି ଘଷାରୁ ଦିନଚର୍ଯ୍ୟା ଆରମ୍ଭ କରି ଦହି ପଖାଳ ଖାଇ ଶୋଇ ପଡ଼ିବାରୁ ଜଣାପଡ଼େ ମହାପ୍ରଭୁ ଜଣେ ଖାଣ୍ଟି ଓଡ଼ିଆ । ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରେ ମନୁଷ୍ୟ ଯେଭଳି ଅସୁସ୍ଥ ହେଲେ ଉପଚାର ହୋଇ ସୁସ୍ଥ ହୋଇଥାଏ ଠିକ୍‌ ସେହିପରି ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରାରେ ସ୍ନାନ କରି ଅସୁସ୍ଥ ହୋଇଥାନ୍ତି । ଯାହାକୁ ଅଣସର ବା ଅଣବସର ବୋଲି କୁହାଯାଏ । ପ୍ରତିବର୍ଷ ଅଣସର ନୀତି ସ୍ନାନ ଯାତ୍ରା ପରେ ଅନୁଷ୍ଠିତ ହେଉଥିବା ବେଳେ ମହାପ୍ରଭୁଙ୍କର ମହାସ୍ନାନ ନୀତି ନବକଳେବର ସମୟରେ ହୋଇଥାଏ ।

ମହାପ୍ରଭୁଙ୍କ ଅଣସର ଓ ମହାଅଣସର ନୀତି

ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ଯାଏଁ ମହାପ୍ରଭୁଙ୍କ ଅଣସର ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କର ଦଇତାପତି ସେବକମାନେ ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଚାର କରିଥାନ୍ତି। ଶ୍ରୀମନ୍ଦିରର ଜୟ ବିଜୟ ଦ୍ବାର ପରେ ଜଗ ମୋହନରେ ବଲ୍ଲଭ ପିଣ୍ଡି ବା ଅଣସର ପିଣ୍ଡି ହୋଇଥାଏ। ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉକ୍ତ ପିଣ୍ଡିରେ ବିଜେ କରାଯାଇ ଅତି ଗୁପ୍ତ ଭାବେ ଉପଚାର ଓ ପୂଜାର୍ଚ୍ଚନା କରାଯାଏ। ଏହି ଅଣସର 15 ଦିନ ସାଧାରଣ ଦର୍ଶନ ବନ୍ଦ ରହେ। କେଵଳ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଏହି ସମୟରେରେ ଶ୍ରୀମନ୍ଦିରରେ ଆଲୋକ ଜଳେ ନାହିଁ। କୌଣସି ଶବ୍ଦ ମଧ୍ୟ କରାଯାଇ ନ ଥାଏ। ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଏ। ଅନ୍ନ ଭୋଗ ହୋଇ ନଥାଏ। ପଣା, ଫଳ, ଛେନା ଆଦି ଭୋଗ ହୋଇଥାଏ। ଅଣସର ପଞ୍ଚମୀରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲେପନ ହୋଇଥାଏ। ସେହିପରି ଦଶମୀ ଦିନ ମହାପ୍ରଭୁ ରାଜ ଵୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ଆୟୁର୍ବେଦ ଔଷଧ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୁଅନ୍ତି। ଅଣସର ଦ୍ଵାଦଶୀରେ ଦଇତାପତି ସେବାୟତ ମାନେ ରାଜ ପ୍ରସାଦ ଯାଇ ମହାପ୍ରଭୁ ସୁସ୍ଥ ହୋଇଥିବା ଗଜପତି ମହାରାଜଙ୍କୁ ଖବର କରନ୍ତି। ଏହାକୁ ରାଜପ୍ରାସାଦ ବିଜେ କୁହାଯାଏ। ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନପରେ ମହାପ୍ରଭୁ ରଥଯାତ୍ରାରେ ବାହାରି ଥାନ୍ତି।

ସେହିଭଳି ମହାପ୍ରଭୁଙ୍କ ମହା ଅଣସର କେଵଳ ମହାପ୍ରଭୁଙ୍କ ନବକଳେବର ସମୟରେ ଅନୁଷ୍ଠିତ ହୋଇଥାଏ । ଅଣସରରେ କେଵଳ ମହାପ୍ରଭୁଙ୍କ ଶରୀରର ଉପଚାର ହୋଇଥାଏ। କିନ୍ତୁ ମହା ଅଣସରରେ ମହାପ୍ରଭୁଙ୍କ ନୂତନ ଦାରୁ ବିଗ୍ରହ ନିର୍ମାଣ ହେବା ସମେତ ମହାପ୍ରଭୁ ଶରୀର ତ୍ୟାଗ କରି ନୂତନ କଳେବର ତଥା ନୁତନ ବିଗ୍ରହ ଧାରଣ କରିଥାନ୍ତି । ଏହାକୁ ଘଟ ପରିବର୍ତ୍ତନ ତଥା ନବକଳେବର କୁହାଯାଏ । ଏହି ପ୍ରକ୍ରିୟା 45 ଦିନ ଧରି ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ଯୋଡ଼ା ଆଷାଢ଼ ତିଥି ପଡିଥାଏ ସେହି ବର୍ଷ ମହାପ୍ରଭୁଙ୍କ ନବକଳେବର ଅନୁଷ୍ଠିତ ହୋଇଥାଏ। ନବକଳେବର ବର୍ଷ ଶ୍ରୀରାମ ନବମୀରୁ ଦଇତାପତି ସେବାୟତଙ୍କ ସମେତ ଅନ୍ୟ ସେବାୟତ ମାନେ ଯାଇ ଦାରୁ ଚୟନ କରି ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ ଆଣିଥାନ୍ତି। ସେଠାରେ ବିଶ୍ବକର୍ମା ମହାରଣା ସେବକଙ୍କ ଦ୍ଵାରା ମହାପ୍ରଭୁଙ୍କ ନୁତନ ଦାରୁ ବିଗ୍ରହ ତିଆରି ହୋଇଥାଏ। ସେହି ବର୍ଷ ଭକ୍ତଙ୍କୁ ନୂତନ ଦାରୁ ବିଗ୍ରହ ନବଯୌବନ ଦର୍ଶନ ଦିଅନ୍ତି । ଏହା ପରେ ଜନ୍ମବେଦୀକୁ ବାହାରି ଯାଆନ୍ତି ଅଖିଳ ବ୍ରହ୍ମାଣ୍ଡପତି । ବିଂଶ ଶତାବ୍ଦୀରେ 1912, 1931, 1950, 1969, 1977, 1996ଓ 2015ରେ ମହାପ୍ରଭୁଙ୍କର ନବକଳେବର ସହିତ ମହା ଅଣସର ଅନୁଷ୍ଠିତ ହୋଇଛି।

ବାସ୍ତବରେ ମହାପ୍ରଭୁଙ୍କ ଅଣସର, ମହାଅଣସର ସହ ନବଯୌବନ ଲୀଳା ଅତି ଲାବଣ୍ୟମୟ । ଦେଖିଲେ ମନ ଭରିଯାଏ ଆତ୍ମତୃପ୍ତି ମିଳେ । ମୋହ ଯୁକ୍ତ ଚିତ୍ତକୁ ମୋହ ମୁକ୍ତ କରିଦିଏ ଅଣସର ପରେ ଜଗତ ଠାକୁରଙ୍କ ଦିବ୍ୟ ନବଯୌବନ ଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details