ସ୍ନାନ ପୂର୍ଣ୍ଣିମା: ମହାପ୍ରଭୁଙ୍କ ଗଜାନନ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

By

Published : Jun 10, 2022, 7:43 PM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବେଶ ନିର୍ମାଣରେ ଲାଗିଛନ୍ତି ବେଶ କାରିଗର । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏହି ଦୁର୍ଲଭ ହାତୀ ବେଶ ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବେଶ କାରିଗର ତଥା ଶିଳ୍ପୀଙ୍କ ତତ୍ତ୍ବାବଧାନରେ ବେଶ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଚାଲିଛି । ବେଶର ତରାସ ନିର୍ମାଣରେ ଦରଜି ସେବକଙ୍କ ଦାୟିତ୍ଵ ରହିଥିବା ବେଳେ ରଙ୍ଗ ଦେବାରେ ଚିତ୍ରକାରମାନେ ସହଯୋଗ କରୁଛନ୍ତି । ରାଘବ ଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ସେହିପରି ଗୋପାଳତୀର୍ଥ ମଠ ପକ୍ଷରୁ ବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯିବ । ମହାପ୍ରଭୁଙ୍କ ମସ୍ତକପାଇଁ ତରାସ ଓ ତାହାର ନିମ୍ନ ଅଂଶ ପାଇଁ ଡାଳି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ମୁଖାରବିନ୍ଦରେ ଲାଗି ହେବ କିଆଫାଳି । ସେହିଭଳି ଶ୍ରୀଜୀଉଙ୍କ ପାଇଁ ଚନ୍ଦ୍ରସୂର୍ଯ୍ୟ, ଛାତି, କାନ, ଚିତା, ଯୋଡିହସ୍ତ, ଅଧର, ତୋରଣା ଓ ଗଳଖୁମ୍ ନିର୍ମାଣ କରାଯାଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡଗି ସମେତ ନାକୁଆସୀ, ତରାସ, ଛତି, ଚୁଡ ଓ ଚିତା ଆଦି ବେଶ ଉପକରଣ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାରମ୍ପରିକ ଶୈଳୀରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ବେଶ ନିର୍ମାଣରେ ବାଉଁଶ, ବେତ, କନା, ସୋଲ, ଜରି, ଜମ୍ବରା, କଦଳୀ ପାଟୁକା, ଲେସ ଓ କଇଁଥ ଅଠା ବ୍ୟବହାର କରିଯାଇଛି । ସୋଲ ଓ ବାଉଁଶକୁ ସରୁ ସରୁ କଟାଯିବା ପରେ କନା, ଜରି, ଜମ୍ବୁରାରେ ଚତୁଦ୍ଧାମୂର୍ତିଙ୍କ ପାଇଁ ହାତୀ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଅକ୍ଷୟ ତୃତୀୟାଠାରୁ ହାତୀବେଶ ପଟ୍ଟ ନିର୍ମାଣ ଅରମ୍ଭ ହୋଇ ସ୍ନାନ ପୂର୍ଣ୍ଣୀମା ଦିନ ଶେଷ ହେବାର ପରମ୍ପରା ରହିଛି । ଏବେ ହାତୀ ବେଶ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.