ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ, କର୍ମୀ ନିଯୁକ୍ତି ଦାବି

By

Published : Aug 17, 2023, 8:16 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ଏକ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ । ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ହାଣ୍ଡିଫୁଟା ଅଙ୍ଗନବାଡିକେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଅଙ୍ଗନବାଡିକର୍ମୀ ପଦ ଖାଲି ପଡ଼ିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଫଳରେ ଏହାର ପ୍ରତିବାଦ ସ୍ବରୂପ ଗ୍ରାମବାସୀମାନେ ଗତ ୧୫ ତାରିଖଠାରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି । ଅଙ୍ଗନବାଡି ସହାୟିକାଙ୍କ ଦ୍ବାରା ୪୪ଜଣ ଶିଶୁଙ୍କୁ ନେଇ ଚାଲୁଥିବା ଅଙ୍ଗନବାଡିକେନ୍ଦ୍ରରେ ତାଲା ପଡ଼ିବାରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି ।  ସେପଟେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡ଼ିଥିବା ଖବର ପାଇ ଠାକୁରମୁଣ୍ଡା ଶିଶୁ ବିକାଶ ଯୋଜନାର ସୁପରଭାଇଜର ଗୀତରାଣୀ ମହାପାତ୍ର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ହେଲେ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତାଲା ପକାଇ ରଖାଯିବ ବୋଲି ଗ୍ରାମବାସୀ ରୋକ୍‌ଠୋକ୍‌ କହିଛନ୍ତି  ।

ଠାକୁରମୁଣ୍ଡା ସିଡିପିଓ ପ୍ରେମଲତା ସେଠୀ କହିଛନ୍ତି,"ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏଥି ସହିତ ହାଇକୋର୍ଟରେ ମାମଲା ଥିବାରୁ ସେ କିଛି କରିପରିବେ ନାହିଁ ।" ଅନ୍ୟପଟେ ଘଟଣାସ୍ଥଳକୁ ଯାଇଥିବା ସ୍ଥାନୀୟ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ କହିଛନ୍ତି, ‘‘ଦୀର୍ଘ ବର୍ଷ ଧରି ଏହି କେନ୍ଦ୍ରରେ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ । ଏହି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଚୟନକୁ ନେଇ ହାଇକୋର୍ଟରେ ମାମଲା ଜାରି ରହିଥିବା କାରଣରୁ କର୍ମୀ ନିଯୁକ୍ତି ହୋଇ ପାରିନାହିଁ ।’’
 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.