କାଲି ମାଟ୍ରିକ ପାସ ହୋଇ ଖୁସି ଆଣିଥିଲେ, ଆଜି ଦୁଃଖରେ ଭସାଇ ଚାଲିଗଲେ

By

Published : May 19, 2023, 6:13 PM IST

thumbnail

ଭଦ୍ରକ: ଗୋଟିଏ ଦିନରେ ମୌଳିଗଲା ମାଟ୍ରିକ କୃତକାର୍ଯ୍ୟ ଆନନ୍ଦ । ବାଡି ପୋଖରୀରେ ବୁଡି ଚାଲିଗଲା କୃତି ମାଟ୍ରିକ ଛାତ୍ରଙ୍କ ଜୀବନ । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ। ଖବର ଅନୁଯାୟୀ ଶ୍ରୀରାମପୁର ଗ୍ରାମର ରମେଶ ମହାପାତ୍ରଙ୍କ 16 ବର୍ଷର ପୁଅ ଚନ୍ଦନ ମହାପାତ୍ର ସ୍ଥାନୀୟ ବନ୍ଧଗାଁ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ ।  ଚନ୍ଦନ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଗତକାଲି(ଗୁରୁବାର) ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେ ଏହି ପରୀକ୍ଷାରେ 519 ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ପୁଅ ଚନ୍ଦନର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ପରିବାର ଲୋକେ ବେଶ୍ ଖୁସି ଥିଲେ । ଆଜି ମଧ୍ୟାହ୍ନରେ ଚନ୍ଦନ ନିଜ ଘର ନିକଟରେ ଥିବା ବାଡି ପୋଖରୀକୁ ସବୁଦିନ ପରି ଗାଧୋଇବାକୁ ଯାଇଥିଲେ । ତାଙ୍କ ଫେରିବା ବିଳମ୍ବ ହେବାରୁ, ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ଚନ୍ଦନ ବାଡି ପୋଖରୀରେ ସଂଜ୍ଞାହୀନ ଅବସ୍ଥାରେ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ତଥା ସହପାଠୀଙ୍କ ମଧ୍ୟରେ ମଧ୍ଯ ଶୋକର ଛାୟା ଖେଳିଯାଇଛି । 

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.