ETV Bharat / state

ହାତୀ ଆକ୍ରମଣରେ ଯୁବକ ମୃତ; ମାଆ-ଝିଅ ଗୁରୁତର

author img

By ETV Bharat Odisha Team

Published : Dec 12, 2023, 7:39 AM IST

elephant attack
elephant attack

Elephant Attack: ସୁନ୍ଦରଗଡ ଜିଲ୍ଲା ବିରକେରା ନିକଟସ୍ଥ ବିରିଡ଼ା ସେକ୍ସନର ବଙ୍ଗଳା ଛକ ନିକଟରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

elephant attack

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଗତକାଲି ଦନ୍ତା ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବିରକେରା ନିକଟସ୍ଥ ବିରିଡ଼ା ସେକ୍ସନର ବଙ୍ଗଳା ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବିରିଡ଼ା ସେକ୍ସନର ରାଣ୍ଟ ଗ୍ରାମ ନିବାସୀ ସୁରେନ୍ଦ୍ର ତିର୍କୀ ବୋଲି ଜଣାପଡିଛି । ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରାଣ୍ଟ ଗ୍ରାମବାସୀ ସୁରେନ୍ଦ୍ର ତିର୍କୀ ତାଙ୍କ ବନ୍ଧୁଙ୍କ ଘର ବଙ୍ଗଳା ଛକକୁ ଯାଇଥିଲେ । ଗତକାଲି (ସୋମବାର) ସକାଳ ପ୍ରାୟ ୭ଟା ବେଳେ ବଙ୍ଗଳା ଛକ ନିକଟରେ ଥିବା ପୋଖରୀ କୂଳକୁ ସେ ଶୌଚ ପାଇଁ ଯାଉଥିଲେ । ସେହି ସମୟରେ ସେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ତାଙ୍କୁ କଚାଡି ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଦନ୍ତାଟି ସେଠାରୁ ରେଲାପୋଷ ଆଡ଼କୁ ଯାଇଥିଲା । ସେଠାରେ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ପଲ୍ଲବୀ ଟପ୍ପୋ ତାଙ୍କ ୨ ବର୍ଷର ଶିଶୁକନ୍ୟାକୁ କୋଳରେ ଧରି ବାପଘରକୁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ମାଆ ଓ ଶିଶୁକନ୍ୟା ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଦନ୍ତାକୁ ଘଉଡ଼ାଇବା ସହ ମାଆ ଓ ୨ ବର୍ଷର ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ସୁନ୍ଦରଗଡରେ ଥମୁନି ହାତୀ ଉପଦ୍ରବ, ଯୁବକଙ୍କୁ ଦଳିଦେଲା ଦନ୍ତା

ତେବେ ଉକ୍ତ ଦନ୍ତାହାତୀ ପୁଣି ବଙ୍ଗଳା ଛକକୁ ଫେରି ଆସିବା ଭୟରେ ବନ କର୍ମଚାରୀମାନେ ଘଉଡ଼ାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ସେପଟେ ୧୭ ଜଣିଆ ହାତୀ ନାକଖଣ୍ଡି ଅଞ୍ଚଳରେ ଥିବାବେଳେ ୫ଟି ମାରଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ଜଣାପଡ଼ିଛି । ଅନ୍ୟପଟେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରେନ୍ଦ୍ରଙ୍କୁ କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖବର ପାଇ କଲୁଙ୍ଗା ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.