ETV Bharat / state

ଚଳଚଞ୍ଚଳ ସୁବର୍ଣ୍ଣପୁର, ଶୁକ୍ଳ ନବମୀରେ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ

author img

By ETV Bharat Odisha Team

Published : Sep 7, 2023, 7:11 AM IST

ଗଣପର୍ବ ନୂଆଁଖାଇ ପାଇଁ ଏବେଠୁ ଚଳଚଞ୍ଚଳ ସୁବର୍ଣ୍ଣପୁର
ଗଣପର୍ବ ନୂଆଁଖାଇ ପାଇଁ ଏବେଠୁ ଚଳଚଞ୍ଚଳ ସୁବର୍ଣ୍ଣପୁର

ଗଣପର୍ବ ନୂଆଖାଇ ପାଇଁ ଏବେଠୁ ଚଳଚଞ୍ଚଳ ସୁବର୍ଣ୍ଣପୁର । ଆଜି ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ କରାଯିବ । ଅଧିକ ପଢନ୍ତୁ

ଗଣପର୍ବ ନୂଆଁଖାଇ ପାଇଁ ଏବେଠୁ ଚଳଚଞ୍ଚଳ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଗକୁ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଚାଷୀ ବର୍ଷର ପହିଲି ଶସ୍ୟ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାର୍ଣ୍ଣ ଭାବେ ସମର୍ପଣ କରିବେ । ତେବେ ଏହି ପର୍ବକୁ ପାଳନ କରିବା ପାଇଁ ସୋନପୁର ଗଡଜାତରେ ଆଜି(ଗୁରୁବାର) ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ କରାଯିବ । ପରମ୍ପରିକ ରୀତି କ୍ରମେ ଭାଦ୍ରବ କୃଷ୍ଣ ନବମୀ ନନ୍ଦୋତ୍ସବ ତିଥିରେ ସୋନପୁର ଗଡଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ନବାର୍ଣ୍ଣର ଅମୃତ ବେଳା ନିର୍ଣ୍ଣୟ କରାଯିବ । ଏହାସହିତ ଅଷ୍ଟ ଚଣ୍ଡୀଙ୍କ ପାଇଁ ପାହୁର ଶୋଭାଯାତ୍ରାର ଲଗ୍ନ ଧାର୍ଯ୍ୟ କରାଯିବ ।

ଅଧିକ ପଢନ୍ତୁ..ପାଖଉଛି ନୂଆଁଖାଇ, ନବାର୍ଣ୍ଣ ପାଇଁ ଅଭାବ ସରିଆଁ ଧାନ

ସଂସ୍କୃତି ଗବେଷକ ପ୍ରଦୀପ ପୁରୋହିତ କହିିଛନ୍ତି, ‘‘ଗଡଜାତ ଶାସନ ଅମଳରେ ଚୌହାନ ଶାସକମାନଙ୍କ ପୌରହିତ୍ୟରେ ସହରର ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ଏହି ଲଗ୍ନ ନିର୍ଣ୍ଣୟ କରାଯାଇ ଆସୁଥିଲା । ତେବେ ରାଜତନ୍ତ୍ରର ବିଲୋପ ପରେ ଏହି କାର୍ଯ୍ୟ ସଦର ପୌର ପରିଷଦ ନିର୍ବାହ କରି ଆସୁଛି । ସୋନପୁର ଗଡଜାତ ପକ୍ଷରୁ ଏହି ଲଗ୍ନ ନିର୍ଣ୍ଣୟ କରାଯାଇ ଜନସାଧାରଣଙ୍କୁ ବିଭିନ୍ନ ଗଣମାଧ୍ୟମ ଓ ଡେଙ୍ଗୁରା ମାଧ୍ୟମରେ ଜଣାଇ ଦିଆଯାଉଛି । ଏହି ଲଗ୍ନ ନିର୍ଣ୍ଣୟ ପାଇଁ ପୌର ପରିଷଦ ପକ୍ଷରୁ ଜିଲ୍ଲାର ବିଶିଷ୍ଟ ପଣ୍ଡିତମାନଙ୍କୁ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଏ । ସହରର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ସେବାୟତଙ୍କ ସମେତ ଅଷ୍ଟ ଚଣ୍ଡୀଙ୍କ ପୀଠର ସେବାୟତ, ଶ୍ରୀବଡ ଜଗନ୍ନାଥଙ୍କ ସେବାୟତଙ୍କୁ ଲଗ୍ନ ନିର୍ଦ୍ଧାରଣ କାର୍ଯ୍ୟକ୍ରମରେ ଯୋଗଦାନ କରି ଲଗ୍ନ ଧାର୍ଯ୍ୟ କରିଥାନ୍ତି । ସଦର ପୌର ପରିଷଦ ଅଧ୍ୟକ୍ଷାଙ୍କ ପୌରହିତ୍ୟରେ ଏହି ଲଗ୍ନ ନିର୍ଣ୍ଣୟ କରାଯାଇ ଜିଲ୍ଲାର ଜନସାଧାରଣଙ୍କୁ ଜଣାଇ ଦିଆଯିବ ।’’

ଅଧିକ ପଢନ୍ତୁ.. ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ, 'ନବାର୍ଣ୍ଣ' ପାଇଁ ପତ୍ରର ବ୍ୟବହାର ବିଭିନ୍ନତା ଭିତରେ ଏକତାର ପ୍ରତୀକ

‘‘ତେବେ ପୂର୍ବରୁ ଭାଦ୍ରବ ମାସ ଶୁକ୍ଳ ପକ୍ଷରେ କୌଣସି ଏକ ତିଥିରେ ନବାର୍ଣ୍ଣ ପାଳନ କରାଯାଉଥିଲା । ହେଲେ ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ ଗଣେଷ ପୂଜା ପରଦିନ ସରକାରୀ ଛୁଟି ଘୋଷଣା କରିବା ପରେ ସୋନପୁର ଗଡଜାତରେ ବି ଶୁକ୍ଲ ପଞ୍ଚମୀ ତିଥିରେ ନବାର୍ଣ୍ଣ ପାଳନ କରାଯାଇ ଆସୁଛି ।’’ ତେବେ ଆଜି ଲଗ୍ନ ଅନୁଯାୟୀ ନବାର୍ଣ୍ଣ ନିୟମ ପାଳନ କରାଯିବ । ଏହି ମହଙ୍ଗା ସମୟରେ ବି ଜନସାଧାରଣ ନବାର୍ଣ୍ଣ ପାଳନ କରିବାକୁ ଉତ୍ସାହିତ ଅଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.