ETV Bharat / state

ନୂଆଁଖାଇରେ ଉତ୍ସବ ମୁଖର ହେବ ସୁବର୍ଣ୍ଣପୁର, ଲଗ୍ନ ନିର୍ଦ୍ଧାରଣ ପାଇଁ ପୌର ପରିଷଦକୁ ଦେବୋତ୍ତର କମିଟିର ଅନୁରୋଧ

author img

By ETV Bharat Odisha Team

Published : Aug 27, 2023, 3:19 PM IST

nuakhai lagna
nuakhai lagna

ନୂଆଁଖାଇ ପାଇଁ ଦେବୋତ୍ତର କମିଟି ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ଦେବୋତ୍ତର ଅଧିକାରୀ ତଥା ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛି । ଅଧିକ ପଢନ୍ତୁ

nuakhai lagna

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏନେଇ ଦେବୋତ୍ତର କମିଟି ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ଦେବୋତ୍ତର ଅଧିକାରୀ ତଥା ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛି । ତେବେ ପରମ୍ପରା କ୍ରମେ ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ପାଳନ କରିବେ । ତେଣୁ ଏହି ତିଥିରେ ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୋନପୁର ଗଡ଼ଜାତ ସହ ପଞ୍ଚରା ଅଞ୍ଚଳ ପାଇଁ ସୋନପୁର ଗଡ଼ଜାତର ଶ୍ରୀ ବଡଜଗନ୍ନାଥଙ୍କ ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିବେ । ସହରର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ସୋନପୁର ଗଡ଼ଜାତରେ ଲଗ୍ନ ନିର୍ଣ୍ଣୟ କରିବାର ପରମ୍ପରା ରହିଛି । ତେବେ ରାଜ୍ୟ ସରକାର ଶ୍ରୀ ଗଣେଶ ଚତୁର୍ଥୀର ପରଦିନ ଅର୍ଥାତ ପଞ୍ଚମୀ ତିଥିରେ ସରକାରୀ ଭାବେ ନୂଆଁଖାଇ ଛୁଟି ଦେଇଛନ୍ତି । ତେଣୁ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ସହରର ଅଷ୍ଟଚଣ୍ଡୀଙ୍କ ପୀଠରେ ନବାନ୍ନ ଭୋଗ ପାଇଁ ପାହୁର ଯାତ୍ରା ଓ ନବାନ୍ନ ସମର୍ପଣ ପାଇଁ ସମୟ ନିର୍ଦ୍ଧାରଣ କରାଯିବ ।

ତେବେ ଚଳିତ ବର୍ଷ ଖରିଫ ଚାଷ ବେଶ ବିଳମ୍ବ ହୋଇଛି । ଏଯାଏଁ ଚାଷ କାର୍ଯ୍ୟ ବି ବାକି ରହିଛି । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ବେଳକୁ ଚାଷ ଜମିରେ ନବାନ୍ନ ପାଇଁ ନୂତନ ଧାନ(ଶସ୍ୟ) ଉତ୍ପାଦନ ହେବାର ଆଶା ବେଶ କମ ରହିଛି । ନୂଆଁଖାଇ ପାଇଁ ବ୍ୟବହୃତ ହେଉଥିବା ସରିଆଁ ଧାନର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ବେର୍ଣ୍ଣା ଓ ମାଳ ଆଦି କିସମ ଜମିରେ ଉତ୍ପାଦିତ ହେଉଥିବା ସରିଆଁ ଧାନର ଅଭାବ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଗର୍ଜିଲା କୋଶଲ ସେନା, ନୂଆଁଖାଇ ପାଇଁ 3ଦିନ ସରକାରୀ ଛୁଟି ଦାବି

ଭାଦ୍ରବ ମାସରେ ପ୍ରତିବର୍ଷ ନୂଆଁଖାଇ ସମୟରେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ମହଙ୍ଗା ହେଉଥିବା ବେଳେ ଚାଷୀ କିନ୍ତୁ ମହଙ୍ଗା ବେଳାରେ ବି ଉତ୍ସାହିତ ହୋଇ ନୂଆଁଖାଇ ପାଳନ କରିଥାଏ । ତେବେ ଚଳିତ ବର୍ଷ ସରିଆଁ ଧାନର ଅଭାବ, ବିଳମ୍ବିତ ଚାଷ ଓ ମହଙ୍ଗା ବିଷୟରେ ଚାଷୀ ଚିନ୍ତିତ ଥିବା ବେଳେ ତଥାପି ନୂଆଁଖାଇ ପାଳନ ପାଇଁ ଚାଷୀ ମନରେ ବେଶ ଉତ୍ସାହ ରହିଛି । ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଆର୍ଥିକ ସ୍ଥିତି ଯାହା ବି ଥାଉ ପରମ୍ପରାକ୍ରମେ ଆଗାମୀ ନନ୍ଦୋତ୍ସବ ତିଥିରେ ନୂଆଁଖାଇ ଲଗ୍ନ ନିର୍ଣ୍ଣୟ କରିବା ପାଇଁ ଦେବୋତ୍ତର ବିଭାଗ ଓ ସଦର ପୌର ପରିଷଦ ପ୍ରସ୍ତୁତି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.