ETV Bharat / state

ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

author img

By ETV Bharat Odisha Team

Published : Nov 22, 2023, 9:20 AM IST

President Droupadi Murmu at Veer Surendra Sai University
President Droupadi Murmu at Veer Surendra Sai University

ବୀର ସୁରେନ୍ଦ୍ର ସାଏ ବିଶ୍ବ ବିଦ୍ୟାଳୟର 15ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

President Droupadi Murmu at Veer Surendra Sai University

ସମ୍ବଲପୁର: "ପ୍ରିୟ ଛାତ୍ରଛାତ୍ରୀ ତୁମେ ଅତ୍ୟନ୍ତ ଭାଗ୍ୟଶାଳୀ କାରଣ ତୁମ ବିଶ୍ବବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ । ପୂଣ୍ୟତୟା ମହାନଦୀ କୂଳରେ ପ୍ରସିଦ୍ଧ ହୀରାକୁଦ ନବୀବନ୍ଧ ନିକଟରେ ଅବସ୍ଥିତ । ଭିସୁଟ ବିଶ୍ବବିଦ୍ୟାଳୟ ଅଗଣାରେ ପ୍ରକୃତି ଓ ପ୍ରଗତିର ସହବାସ୍ଥାନ ମୁଁ ଦେଖିପାରୁଛି । ଆଜି ଦିନଟି ତୁମମାନଙ୍କ ଜୀବନର ପାଇଁ ଗୁରୁତ୍ବପୂର୍ଣ୍ଣ ସୋପାନର ଆରମ୍ଭ । ତୁମ ଶିକ୍ଷା ଆଜିଠୁ ସମାଜ ପାଇଁ ସମର୍ପିତ । ଦେଶର ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନ ଭାବେ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ଜାତିର ପ୍ରଗତିରେ ବିଡ ଭାଗିଦାରୀ ନିର୍ବାହ କରିଛି । ଉଦ୍ଭାବକ ଭାବେ କଳ୍ପନା ଓ ବାସ୍ତବତାର ସେତୁ ସାଜନ୍ତୁ । ଶିକ୍ଷା ତୁମକୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଭଲ କାମ କରିବାକୁ ଅମାନିଆ ହୁଅ ଜୀବନର କୌଣସି ବାଧାବିଘ୍ନକୁ ଭୟ କରନାହିଁ," ଭିସୁଟର 15ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ ।

ଜୁହାର, ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭିସୁଟ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ ମହାମହିମ କହିଥିଲେ, ''ତୁମେ ଯେଉଁ ପରିଶ୍ରମ କରୁଛ ତାର ସୁଫଳ ତୁମକୁ ଆଜି ମିଳୁଛି । ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଁ ଏକ ନୂଆ ଧାରା ଦେଖିବାକୁ ପାଉଛି । ପଦକ ପାଇବାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ । ସବୁକ୍ଷେତ୍ରରେ ଆମ ଝିଅମାନଙ୍କ ସଫଳତା ଫୁଟି ବହାରୁଛି । ପୁଅ ଭାବୁଥିଲେ ଝିଅମାନଙ୍କ ଅଧିକ ପ୍ରଂଶସା କରୁଛନ୍ତି ସେମିତି କିଛି ନାହିଁ ପୁଅମାନେ ମଧ୍ୟ ଯଥେଷ୍ଟ ସଫଳ । ମାତ୍ର 60 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କଲେଜ ଏବଂ ବୃହତ ବିଶ୍ବ ବିଦ୍ୟାଳୟ ହୋଇଛି । ଯେଉଁଠି ପ୍ରାୟ 5 ହଜାର ଛାତ୍ରଛାତ୍ରୀ ଅଛନ୍ତି । ବିଟେକ, ଏମଟେକ ଯାଏଁ ବିଭିନ୍ନ ବିଭାଗରେ ପାଠ ପଢୁଛନ୍ତି । ଏହା ବହୁତ ଖୁସିର କଥା । ଆମେ ସାମାଜିକ ଦାୟିତ୍ବ ପାଇଁ ପାଠ ପଢିଥାଉ । ଆଜିଠାରୁ ତୁମ ଜୀବନର ମୋଡ ବଦଳିବାକୁ ଯାଉଛି । ଶିକ୍ଷା ତୁମକୁ ରାଷ୍ଟ୍ର ନିର୍ମାଣ ପାଇଁ ସକ୍ଷମ କରିଛି । ଦେଶର ଭୌତିକ ପ୍ରଗତି ତୁମପରି ଯୁବପିଢିଙ୍କ ଉପରେ ନିର୍ଭର କରୁଛି । କଳ୍ପନା ଓ ବାସ୍ତବତାର ସେତୁ ସାଜନ୍ତୁ ।''

ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ ରାଷ୍ଟ୍ରପତି ଆହୁରି କହିଛନ୍ତି, ''ସଫଳତା କେବଳ ବ୍ୟକ୍ତିଗତ ନହେଉ । ଏହା ଅନ୍ୟଙ୍କ ଜୀବନର ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ପ୍ରଗତିରେ ଲାଗୁ ହେଉ । ସମାଜ ଗଠନରେ ତୁମ ସଫଳତା କାମରେ ଆସିବା ଦରକାର । ବିଶ୍ବପଟରେ ଭାରତର ଚିତ୍ର ବଦଳି ବଦଳି ଯାଉଛି । ଭାରତ ଅନ୍ୟ ଦେଶର ଦୃଷ୍ଟି ଆକର୍ଷଣ କରୁଛି । ବର୍ତ୍ତମାନର ସମୟ ଦେଉଛି ବୈଷୟିକ ବିଦ୍ୟାର ସମୟ । ବର୍ତ୍ତମାନ ସମୟ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମୟ । ଆମେ ଟେକ୍ନୋଲୋଜି କ୍ଷେତ୍ରକୁ ଆଗକୁ ଯିବା ମାତ୍ର ଟ୍ରାଡିସନକୁ ଭୁଲିବା ନାହିଁ । କମ୍ପୁଟରକୁ ଛାଡ଼ି ଆଗେଇ ପାରବା ନାହିଁ ସତ ସଂସ୍କୃତି ସହ ସର୍ବଦା ଯୋଡ଼ି ହୋଇ ରହିବା ଦରକାର । ଜାତୀୟ ଶିକ୍ଷା ନୀତି 2020ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ବ ଦିଆଯାଇଛି । ଶିକ୍ଷା ମାନବିକାତା ପାଇଁ ସମର୍ପିତ ହେବା ଆବଶ୍ୟକ । ମୋର ବିଶ୍ବାସ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତୁମେ ଦେଶର ବିକାଶ ପାଇଁ ପ୍ରତିବଦ୍ଧ ହେବା ସଙ୍ଗେ ସଙ୍ଗେ ମାନବୀୟ ମୂଲ୍ୟବୋଧକୁ କେବେ ଭୁଲିବ ନାହିଁ । କୌଣସି ଝଡ଼ଝଞ୍ଜା ଆସିଲେ ଖାତିର ନକରି ଆଗକୁ ଯାଅ । ତୁମେ ୟଙ୍ଗ୍‌ ଏନରଜେଟିକ । ଏହାର ସଦୁପଯୋଗ କର । ଟିକେ ଅମାନିଆ ହୁଅ ଅର୍ଥାତ୍ ଭଲ କାମ କରିବାକୁ ଅମାନିଆ ହୁଅ । ବୁଝି ବିଚାରି କାମ କର ।''

ଏହା ବି ପଢନ୍ତୁ...ମା ସମଲେଶ୍ବରୀଙ୍କ ଦର୍ଶନ ସହ ସ୍ବତନ୍ତ୍ର ଆଳତୀ କଲେ ରାଷ୍ଟ୍ରପତି

ଭିସୁଟ 15ତମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଞ୍ଚାସୀନ ଥିଲେ । ଏହି ସମାବର୍ତ୍ତନ ଉତ୍ସବରେ 31 ଜଣ ବିଦ୍ୟାର୍ଥୀ ପଦକ ହାସଲ କରିଥିଲେ । ସେଥିରେ 27 ଜଣ ବିଦ୍ୟାର୍ଥୀ 37ଟି ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି । ମୋଟ 940ଜଣ ସ୍ନାତକ ଏବଂ 350 ଜଣ ସ୍ନାତକୋତ୍ତର ଉପାଧି ପାଇଥିଲେ ।

ଇଟିଭି, ଭାରତ,ସମ୍ବଲପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.