ETV Bharat / state

ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର, ପୋଲିସ ଗୁଳିରେ ଜଣେ ଆହତ

author img

By ETV Bharat Odisha Team

Published : Jan 6, 2024, 10:12 PM IST

Updated : Jan 6, 2024, 10:48 PM IST

Encounter in Sambalpur: ସମ୍ବଲପୁର ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର । ଆହତ ଅଭିଯୁକ୍ତଙ୍କୁ ବୁର୍ଲା ଭୀମସାରକୁ ପଠାଯାଇଛି । ଅଧିକ ପଢନ୍ତୁ

Encounter in Sambalpur
Encounter in Sambalpur

ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର

ସମ୍ବଲପୁର: ସଦର ଥାନା ଅନ୍ତର୍ଗତ କେନ୍ଦୁଘଟି ଅଞ୍ଚଳରେ ପୋଲିସ ଏନକାଉଣ୍ଟର । ଗତକାଲି ହୋଇଥିବା ଏକ ଡକାୟତି ଘଟଣାର ଅଭିଯୁକ୍ତଙ୍କୁ ଆଜି (ଶନିବାର) ପୋଲିସ କୌଣସି ସୂତ୍ରରୁ ଖବର ପାଇ ପିଛା କରୁଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ଅଭିଯୁକ୍ତ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବା ଫଳରେ ଜଣେ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇଛି । ଆହତ ଅଭିଯୁକ୍ତଙ୍କୁ ବୁର୍ଲା ଭୀମସାରକୁ ପଠାଯାଇଛି । ସେପଟେ ପୋଲିସ ୧୨ ଜଣ ଡକାୟତଙ୍କୁ କାବୁ କରିଥିବା ନେଇ ସୂଚନା ଦେଇଛନ୍ତି ଏସପି ମୁକେଶ କୁମାର ଭାମୁ ।

ଗତ ଶୁକ୍ରବାର ରାତି ୧ଟା ବେଳେ ସଦର ଥାନା ଅନ୍ତର୍ଗତ କେନଘାଟି ମହମ୍ମଦ ଅଫତାଫ ନାମକ ଜଣେ ବବସାୟୀଙ୍କ ଘରେ ୧୨ରୁ ୧୫ ଜଣ ଡକାୟତ ସଶସ୍ତ୍ର ଡକାୟତି କରିଥିଲେ । ଏନେଇ ସଦର ଥାନାରେ ଏତଲା ହେବା ପରେ ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମୟରେ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ କେତେକ ଡକାୟତଙ୍କୁ ପ୍ରଥମେ ଗିରଫ କରିଥିଲା । ତେବେ ପୋଲିସ ସୂଚନା ପାଇ କେନଘାଟି ଅଞ୍ଚଳରେ ଜଣେ ଡକାୟତକୁ କାବୁ କରିବା ସମୟରେ ଡକାୟତ ଜଣକ ପୋଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା ।

ଏହା ବି ପଢନ୍ତୁ- କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର

ଏହାପରେ ପୋଲିସ ଆତ୍ମରକ୍ଷା ପାଇଁ ଡକାୟତ ଉପରକୁ ଗୁଳିମାଡ଼ କରିବା ଫଳରେ ଜେକବ ନାମକ ଜଣେ ଡକାୟତର ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲା । ଆହତ ଡକାୟତ ଜଣକୁ ଭୀମସାର ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରଯାଉଥିବା ବେଳେ ବର୍ତ୍ତମାନ ତାର ଅବସ୍ଥା ସ୍ଥିର ଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୋଲିସ ମୋଟ ୧୨ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ, ୫ଟି ଅଫୁଟା ଗୁଳି, ବହୁ ଧାରୁଆ ଅସ୍ତ୍ର, ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି ।

ଅଧିକାଂଶ ଡକାୟତ କୋରାପୁଟ-ରାୟଗଡା ସୀମାବର୍ତ୍ତୀ ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ରାଜ୍ୟ ବାହାର ଅଞ୍ଚଳର ଥିବାର ଏସପି ସୂଚନା ଦେଇଛନ୍ତି । ସୂଚନା ଥାଉ କି ଏହି ଡକାୟତ ଗ୍ୟାଙ୍ଗ ଭିନ୍ନ ଭିନ୍ନ ଅଞ୍ଚଳକୁ ଟାର୍ଗେଟ କରି କିଛିଦିନ ପୂର୍ବରୁ ଆସି ରେକି କରିବା ପରେ ଡକାୟତି ଯୋଜନା କରନ୍ତି ବୋଲି ଏସପି କହିଛନ୍ତି । କିଛିଦିନ ପୂର୍ବରୁ ଏହି ଡକାୟତ ଗ୍ୟାଙ୍ଗ ସମ୍ବଲପୁର ଆସି ଏକ ଅଟୋରେ ସନ୍ଦେହ ଜନକ ଅବସ୍ଥାରେ ରାତିରେ ବୁଲାବୁଲି କରୁଥିବା ବେଳେ ଏକ ପାଟ୍ରୋଲିଂ ଟିମ ସେମାନଙ୍କୁ ଠାବ କରି ଏକ ଫଟୋ ଉଠାଇଥିଲେ । ଆଜି ସନ୍ଧ୍ୟାରେ ପୋଲିସର ସ୍ବତନ୍ତ୍ର ଟିମ ଡକାୟତି ଘଟଣାର ତଦନ୍ତ କରିଥିବା ସମୟରେ ଏହି ଫଟୋରୁ ସୁରାକ ପାଇ ଏହି ଡକାୟତମାନଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Jan 6, 2024, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.