ETV Bharat / state

ଖଣି ଖନନକୁ ବିରୋଧ, ବେଦାନ୍ତ 'ଗୋ ବ୍ୟାକ୍' ନାରା ଦେଇ ତାତିଲେ ଲୋକେ

author img

By ETV Bharat Odisha Team

Published : Oct 16, 2023, 10:15 PM IST

Updated : Oct 16, 2023, 10:55 PM IST

bauxite mining in rayagada
ଖଣି ଖନନକୁ ବିରୋଧ

ବେଦାନ୍ତ ଆଲୁମିନା କମ୍ପାନୀର ବକ୍ସାଇଟ ଖନନକୁ ବିରୋଧ କରିଛନ୍ତି ଲୋକେ । ଅପରପକ୍ଷେ ଆଉ କେତେକ ଲୋକେ ଏହାକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଖଣି ଖନନକୁ ବିରୋଧ

ରାୟଗଡ଼ା: ବକ୍ସାଇଟ ଖଣି ଖନନକୁ ନେଇ ତେଜିଛି ବିରୋଧ । ବେଦାନ୍ତ ଆଲୁମିନା କମ୍ପାନୀର ବକ୍ସାଇଟ ଖନନକୁ ନେଇ ହୋଇଥିବା ଜନଶୁଣାଣିକୁ ବିରୋଧ କରାଯାଇଛି । ସୁଙ୍ଗେର ଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଜନଶୁଣାଣି ଆୟୋଜିତ ହୋଇଥିବାବେଳେ ସ୍ଥାନୀୟ ଖଣି ପ୍ରଭାବିତମାନେ 'ବେଦାନ୍ତ ଗୋ ବ୍ୟାକ୍' ନାରା ଦେଇଛନ୍ତି । ତେବେ "ଜନଶୁଣାଣିରେ ସଂଗୃହିତ ମତାମତକୁ ସରକାରଙ୍କୁ ପଠାଯିବ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ" ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ।

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକର ସୁଙ୍ଗେରଠାରେ ସିଜୁମାଳି ବକ୍ସାଇଟ ଖଣି ପାଇଁ ପରିବେଶ ଜନଶୁଣାଣି ଅନୁଷ୍ଠିତ ହୋଇଛି । ପ୍ରବଳ ବିରୋଧ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବାବେଳେ 11 ଜଣ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା । ଏହି ଜନଶୁଣାଣିରେ ସୁଙ୍ଗେର ପଞ୍ଚାୟତର ସାଗବାରି, ଆଲିଗୁଣା, କଣ୍ଟାମାଳ, ବଂତେଜ, ମାଲିପଦର ଗାଁର ଜନସାଧାରଣ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଏହି ଶୁଣାଣିରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଭୋଇ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସିଜୁମାଳି ଖଣିର 1549.022 ହେକ୍ଟର ଖଣିରୁ 9 ଏମଟିପିଏ ବକ୍ସାଇଟ ଖନନ ପାଇଁ ଆଜି ସୁଙ୍ଗେର ଠାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ଆୟୋଜନ ହୋଇଥିଲା । ତେବେ ପ୍ରଭାବିତ ଗ୍ରାମ କଣ୍ଟାମାଳ, ବଣ୍ଡେଲ, ସିରାମ୍ବାଇ ଗ୍ରାମବାସୀମାନେ ଏହି ଜନଶୁଣାଣିକୁ ବିରୋଧ କରିବା ସହ କସ୍ମିନ କାଳେ ସିଜୁମାଳୀକୁ ବେଦାନ୍ତ ହାତକୁ ଟେକିଦେବୁନି ବୋଲି କହିଥିଲେ । ଖଣି ଉତ୍ତୋଳନକୁ ଆଜିର ଜଣଶୁଣାଣି ଉପସ୍ଥିତ ରହି ଗ୍ରାମବାସୀମାନେ ମାଇକରେ ବିରୋଧ କରିଥିବା ବେଳେ ଅନେକ ଲିଖିତ ଭାବେ ବେଦାନ୍ତର ଖଣି ଉତ୍ତୋଳନକୁ ସମର୍ଥନ କରିଥିଲେ ।

ଏହା ବି ପଢନ୍ତୁ...ଶାଗମାଛ ଦରରେ ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ, ଫେଲ୍‌ ମାରିଲା ଆଲୋଚନା

ବିଗତ ଦିନରେ ଜନଶୁଣାଣି ପୂର୍ବରୁ କମ୍ପାନୀ ସମର୍ଥନରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ସଂଖ୍ୟାରେ ସମର୍ଥକ ଶୋଭାଯାତ୍ରା କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେମାନେ ଦାବିପତ୍ର ପ୍ରଦାନ କରିଥିବାବେଳେ ଆଜି ବିପରୀତ ଚିତ୍ର ଦେଖିବାକୁ ମିଳିଥିଲା। ବେଦାନ୍ତ କମ୍ପାନୀର ଖଣି ଖନନ ଦ୍ୱାରା ଅଞ୍ଚଳେ ନିଯୁକ୍ତି ସୃଷ୍ଟି ହେବାକୁ ସପକ୍ଷବାଦୀ ଆଶା ରଖିଥିବାବେଳେ ଖଣି ଖନନ ଦ୍ଵାରା ପରିବେଶ ପ୍ରଦୂଷିତ ହେବ ବୋଲି ଖଣି ପ୍ରଭାବିତ ସାଗବାରି, ଆଲିଗୁଣା, କଣ୍ଟାମାଳ, ବଂତେଜ ଓ ମାଲିପଦର ଗାଁର ଲୋକେ କହିଛନ୍ତି । ଅନ୍ୟପଟେ "ସମର୍ଥକ ଦେଇଥବା ସ୍ମାରକପତ୍ର ଏବଂ ଆଜିର ବିରୋଧ କରିଥିବା ଗ୍ରାମବାସୀଙ୍କ ମତାମତକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ" ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ।

ଇଟିଭି ଭାରତ, ରାୟଗଡ଼ା

Last Updated :Oct 16, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.