ETV Bharat / state

କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ ଓ ଭାରତନାଟ୍ୟମ

author img

By ETV Bharat Odisha Team

Published : Dec 2, 2023, 8:03 AM IST

Updated : Dec 2, 2023, 9:43 AM IST

କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ
କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ

Konark Mahotsav 2023: କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ । ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ନୃତ୍ୟାଙ୍ଗନାଙ୍କ ଓଡ଼ିଶୀ ଓ ଭାରତନାଟ୍ୟମ । ଅଧିକ ପଢନ୍ତୁ

କୋଣାର୍କ ମହୋତ୍ସବ ୨୦୨୩ ଉଦଘାଟିତ

ପୁରୀ: ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ ୨୦୨୩ । ବିଶ୍ବ ଐତିହ କୋଣାର୍କ ମନ୍ଦିର ପାଦଦେଶରେ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ପ୍ରଦର୍ଶିତ ହୋଇଛି ଓଡିଶୀ ଓ ଭାରତନାଟ୍ୟମ । ରଙ୍ଗବେରଙ୍ଗ ଆଲୋକ ସାଜସଜ୍ଜା ଓ ସୁସଜ୍ଜିତ ପରିବେଶରେ ଓଡ଼ିଶୀ ନୃତ୍ୟକୁ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ । କଟକରୁ ଆସିଥିବା ସୁର ମନ୍ଦିର ଗ୍ରୁପର କଳାକାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶୀତୁଆ ସନ୍ଧ୍ୟାରେ ନୃତ୍ୟାଙ୍ଗାନାଙ୍କ ଚମତ୍କାର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା ।

ସୁର ମନ୍ଦିର କଳାକାରଙ୍କମାନଙ୍କ ଦ୍ଵାରା ପ୍ରଥମେ ଶ୍ରୀ ଜଗନ୍ନାଥ ସ୍ତୁତି ପରିବେଷିତ ହୋଇଥିଲା । ଏହାପରେ ଓଡିଶୀ ନୃତ୍ୟରେ ନୃତ୍ୟାଙ୍ଗନା ପରଶି ଦେଇଥିଲେ ଶରଣମ । ଭଗବାନଙ୍କ ମଧୁର ସମ୍ପର୍କ, ବିଶ୍ବନିୟନ୍ତାଙ୍କ ଶରଣ ଗତି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ । ଦ୍ଵିତୀୟ ପର୍ଯ୍ୟାୟରେ ଭାରତନାଟ୍ୟମ ଶିଳ୍ପୀ ପ୍ରବୀନ କୁମାର ଓ ବେଙ୍ଗାଲୁରୁ ଚିତ୍ରକଳା ସ୍କୁଲ ଅଫ ଡ୍ୟାନ୍ସର ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ ଆଦିତ୍ୟ ହୃଦୟ ସ୍ତବ । ପରେ ପରେ ରାଗ ଓ ତାଳକୁ ନେଇ ଉପସ୍ଥାପନା କରିଥିଲେ ଯତୀଶ୍ବରମ । ପରିଶେଷରେ ଶିବାଞ୍ଜଳି ତିଲାନା ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କୋଣାର୍କ ଉତ୍ସବରେ କଳାକାରମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜୀବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ କୋଣାର୍କ ମହୋତ୍ସବ ୨୦୨୩ର ଉଦଘାଟନ କରିଥିଲେ । ଏହି ମହୋତ୍ସବ ଆସନ୍ତା ୫ ତାରିଖରେ ଉଦଯାପନ ହେବ । ଏହାକୁ ନେଇ ଦର୍ଶକ କହିଛନ୍ତି, କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ଭାଇଚାରା ବଢାଇବ । ଏଭଳି କାର୍ଯ୍ୟକ୍ରମ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ଓଡ଼ିଶାର ପରିଚୟ ସୃଷ୍ଟି କରିଛି । କୋଣାର୍କ ରଙ୍ଗମଞ୍ଚରେ ଓଡ଼ିଶାର କଳା ସଂସ୍କୃତି ଦେଶ ବିଦେଶରେ ପହଞ୍ଚାଇବାର ଏହା ଏକ ମାଧ୍ୟମ ।

ତେବେ ଚଳିତ ବର୍ଷ କୋଣାର୍କ ମହୋତ୍ସବ, ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ସହିତ ଇକୋ ରିଟ୍ରିଟରେ ବହୁ ପର୍ଯ୍ୟଟକ ବୃଦ୍ଧି ପାଇବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଓଡ଼ିଶା ପର୍ଯ୍ୟଟକ ବିଭାଗ ଦ୍ଵାରା ଅୟୋଜିତ ଏହି କୋଣାର୍କ ଉତ୍ସବକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ଭିଡ ଜମିଛି । କୋଣାର୍କ ମହୋତ୍ସବ ଭାରତୀୟ କଳା ସଂସ୍କୃତିକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଏହା ଏକ ମାଧ୍ୟମ ହୋଇପାରିଛି ।

ଇଟିଭି ଭାରତ, ପୁରୀ

Last Updated :Dec 2, 2023, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.