ETV Bharat / state

ସେତୁ ନିର୍ମାଣ କରି ଭୁଲିଗଲେ ଆପ୍ରୋଚ୍‌ ରୋଡ଼, ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

author img

By

Published : Jul 11, 2023, 9:44 PM IST

ବିଜୁ ସେତୁ ନିର୍ମାଣ କରି ଭୁଲିଗଲେ ଆପ୍ରୋଚ୍‌ ରୋଡ଼
ବିଜୁ ସେତୁ ନିର୍ମାଣ କରି ଭୁଲିଗଲେ ଆପ୍ରୋଚ୍‌ ରୋଡ଼

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗାଁରେ ଥିବା ସୁନ୍ଦର ନଦୀ ଉପରେ ନିର୍ମାଣ ହେଲା ବିଜୁ ସେତୁ । ସେତୁ ନିର୍ମାଣକୁ ୫ ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ହେଲା ନାହିଁ ଆପ୍ରେଚ୍‌ ରୋଡ଼ । ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ନଶୁଣିବାରୁ ଶେଷରେ ଗାଁ ଲୋକେ ନିଜ ଖର୍ଚ୍ଚରେ ଆପ୍ରୋଚ୍‌ ରୋଡ଼ ନିର୍ମାଣ କରିଛନ୍ତି । ଅଧିକ ପଢ଼ନ୍ତୁ...

ବିଜୁ ସେତୁ ନିର୍ମାଣ କରି ଭୁଲିଗଲେ ଆପ୍ରୋଚ୍‌ ରୋଡ଼

ନୂଆପଡ଼ା: ବିଛିନ୍ନାଞ୍ଚଳ ହୋଇ ଅବହେଳିତ ଅବସ୍ଥାରେ ରହିଥିବା ଗ୍ରାମାଞ୍ଚଳ ଗୁଡିକୁ ନିକଟସ୍ଥ ମୁଖ୍ୟ ସଡ଼କ ସହିତ ସଂଯୋଗକରୀ ଗାଁ ଲୋକଙ୍କ ଗମନାଗମନ ପାଇଁ ସରକାର ବିଜୁ ସେତୁ ଯୋଜନା କରିଛନ୍ତି । ଏହି ଯୋଜନାରେ ଖଡ଼ିଆଳ ବ୍ଲକ ବିରିଘାଟ ଗ୍ରାମ ସୁନ୍ଦର ନଦୀ ଉପରେ ୭ କୋଟି ଟଙ୍କା ବ୍ୟୟରେ ବିଜୁସେତୁ ନିର୍ମାଣ ହୋଇଛି । ତେବେ ସେତୁ କାମ ଶେଷ ହୋଇ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁର ଉଭୟ ପାର୍ଶ୍ଵରେ ଆପ୍ରୋଚ୍‌ ରୋଡ଼ ନିର୍ମାଣ ହେଲାନାହିଁ । ଫଳରେ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ସୁଫଳ ନମିଳିବାରୁ ଶେଷରେ ଗାଁ ଲୋକେ ନିଜ ଖର୍ଚ୍ଚରେ ଆପ୍ରୋଚ୍‌ ରୋଡ଼ ନିର୍ମାଣ କରିଛନ୍ତି ।

ବିଜୁ ସେତୁ ନିର୍ମାଣ କଲେ, ଆପ୍ରୋଚ୍‌ ରୋଡ଼ ଭୁଲିଗଲେ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅଞ୍ଚଳରେ ରହିଛି ଏହି ବିରିଘାଟ ଗାଁ । ଏହି ଗାଁ ରାସ୍ତାଦେଇ ବିରିଘାଟ, ଲାଞ୍ଜି, ଦାବରୀ ଗ୍ରାମପଞ୍ଚାୟତ ସହିତ ବୋଡେନ, ସିନାପାଲି ବ୍ଲକର ହଜାର ହଜାର ଲୋକ ଯାତାୟତ କରନ୍ତି । ଏହି ରାସ୍ତା ଖଡ଼ିଆଳ ବୋଡେନ ସିନାପାଲି ବ୍ଲକକୁ ସିଧାସଳଖ ସଂଯୋଗ କରୁଛି । ହେଲେ ଲୋକଙ୍କ ଯାତାୟତରେ ଦାଉ ସାଧୁଥିଲା ବିରିଘାଟ ଗାଁ ମୁଣ୍ଡରେ ଥିବା ସୁନ୍ଦର ନଦୀ । ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୭ କୋଟି ଅର୍ଥ ବ୍ୟୟ ବରାଦରେ ସୁନ୍ଦର ନଦୀ ଉପରେ ନିର୍ମାଣ ହେଲା ବିଜୁ ସେତୁ । ସେତୁକାମ ବଜରଙ୍ଗ ଅଗ୍ରୱାଲ ନାମକ ଜଣେ ଠିକାଦାର ୨୦୧୮ ମସିହାରେ ଆରମ୍ଭ କରିଥିଲେ । ତେବେ ସେତୁକାମ ଶେଷ ହୋଇ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତୁର ଉଭୟ ପାର୍ଶ୍ବରେ ଆପ୍ରୋଚ୍‌ ରୋଡ଼ ନିର୍ମାଣ କଲେନାହିଁ ଠିକାଦାର । ଫଳରେ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି ହୋଇଛି । ଆପ୍ରୋଚ୍‌ ରୋଡ଼ ନିର୍ମାଣ ପାଇଁ ବିରିଘାଟ ଗ୍ରାମର ଲୋକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଆପ୍ରୋଚ୍‌ ରୋଡ଼ ନିର୍ମାଣ ହେଲାନାହିଁ ।

ଆପ୍ରୋଚ୍‌ ରୋଡ଼ ନଥିବାରୁ ଯାତାୟତ ଠପ: ଆପ୍ରୋଚ୍‌ ରୋଡ଼ ନିର୍ମାଣ କରିବା ପାଇଁ ୫ ବର୍ଷ ହେବ ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜଣାଇ ଆସୁଛନ୍ତି । ହେଲେ ପ୍ରତିବଦଳରେ ଲୋକଙ୍କୁ ମିଳୁଛି ପ୍ରତିଶ୍ରୁତି । ଆପ୍ରୋଚ୍‌ ରୋଡ଼ ନଥିବା କାରଣରୁ ଯାତାୟତ ଠପ ହୋଇପଡିଛି । ବିଶେଷ କରି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ସୁନ୍ଦର ନଦୀର ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି । ସେହିଭଳି ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସ୍ବାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ଭାୟା ଡୁଆଝର ଗାଁ ଦେଇ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟକୁ ପ୍ରାୟ ୧୫ କିଲୋମିଟର ବୁଲାଣିଆ ହୋଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ଶୁଣିଲାନି ପ୍ରଶାସନ, ନିଜ ଅର୍ଥରେ ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ନିଜେ ଟଙ୍କା ଆଦାୟ କରି ଆପ୍ରୋଚ୍‌ ରୋଡ଼ ନିର୍ମାଣ କଲେ ଗ୍ରାମବାସୀ: କେହି ନଶୁଣିବାରୁ ଶେଷରେ ସମସ୍ୟାର ସମାଧାନ କରିବା ପାଇଁ ବିରିଘାଟ ଗାଁ ଲୋକେ ଅଣ୍ଟା ଭିଡ଼ିଲେ । ବୈଠକ କରି ଘର ଘର ବୁଲି ଚାନ୍ଦା ସଂଗ୍ରହ କରି ମାଟି, ଗେଟି ଓ ପଥର ପକାଇ ଆପ୍ରୋଚ୍‌ ରୋଡ଼ ନିର୍ମାଣ ପାଇଁ କରିଛନ୍ତି । ଗାଁର ପିଲାଠାରୁ ବୁଢା ସମସ୍ତେ କୁରାଢ଼ି, କୋଦାଳ ଓ ଘମଲା ଧରି ମାଟିରେ ଏହି ଆପ୍ରୋଚ୍‌ ରୋଡ଼ ନିର୍ମାଣ କରିଛନ୍ତି । ହେଲେ ବର୍ଷା ଦିନରେ ଏହି ରାସ୍ତାରେ ଯିବା ମରଣକୁ ଆମନ୍ତ୍ରଣ କରିବା ସଦୃଶ । ଏନେଇ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ, ଖୁବଶୀଘ୍ର ଆପ୍ରୋଚ୍‌ ରୋଡ଼ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.