ETV Bharat / state

Ground Report: ଲଗାଣ ବର୍ଷା ଉଜଡି ଦେଲା ବାସ: ପର ଘରେ ମୁଣ୍ଡ ଗୁଞ୍ଜୁଛି ପରିବାର, ଶୁଣୁନି ପ୍ରଶାସନ !

author img

By

Published : Aug 5, 2023, 9:53 PM IST

ଲଗାଣ ବର୍ଷା ବଢାଇ ଦେଇଛି ଦୁର୍ଦ୍ଦଶା
ଲଗାଣ ବର୍ଷା ବଢାଇ ଦେଇଛି ଦୁର୍ଦ୍ଦଶା

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର । ବେସାହାର ହୋଇ ପଡୋଶୀ ଘରେ ଆସରା ନେଉଛନ୍ତି ପରିବାର । ତିନିଦିନ ଧରି ଘରଭାଙ୍ଗି ଥିବା ବେଳେ ଲୋକ ପ୍ରତିନିଧୀ କି ସରକାରୀ ବାବୁ କିଛି ସାହାୟତା ପ୍ରଦାନ କରୁନଥିବା ଅଭିଯୋଗ କରିଛି ପରିବାର । ଅଧିକ ପଢନ୍ତୁ

ଲଗାଣ ବର୍ଷା ବଢାଇ ଦେଇଛି ଦୁର୍ଦ୍ଦଶା

ନୂଆପଡା: ଲଗାଣ ବର୍ଷାର ପ୍ରଭାବ କମିଛି । ହେଲେ ବଢାଇ ଦେଇଛି ଲୋକଙ୍କ ଦୁର୍ଦ୍ଦଶା । ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ବୋଡେନ, ସିନାପାଲି ଆଦି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ବ୍ୟାପକ ମାତ୍ରାରେ ଧନଜୀବନ କ୍ଷତି ଘଟାଇଛି । ଜିଲ୍ଲର ବିଭିନ୍ନ ଗାଁଗଣ୍ଡାରେ ଘର ଦ୍ୱାର ଭାଙ୍ଗି ଲୋକେ ବେସାହାରା ହୋଇ ଦୁର୍ବିଶହ ଜୀବନଯାପନ କରୁଛନ୍ତି । ବିଶେଷ କରି ଜିଲ୍ଲାର ଖଡ଼ିଆଳ ବ୍ଳକ ଚିଚେର ଗାଁର ଅସହାୟ ଗରିବ କଇଁରା କୈବର୍ତ୍ତଙ୍କୁ ଦାଉ ସାଜିଲା ଲଗାଣ ବର୍ଷା । ଲଗାଣ ବର୍ଷାରେ ଘର ଭୁଶୁଡି ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ସୌଭାଗ୍ୟରୁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ ।

ଖଡ଼ିଆଳ ବ୍ଳକ ଚିଚେର ଗାଁର ଅସହାୟ କଇଁରା କୈବର୍ତ୍ତଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ଲଗାଣ ବର୍ଷା ବିତ୍ପାତରେ ଘର ଭାଙ୍ଗି ଯାଇଛି । ଖାଉଟି ସାମଗ୍ରୀ ଧାନ ଚାଉଳ ଡାଲି ଭଳି ଆସବାପତ୍ର ସବୁ ମାଟିରେ ପୋତି ହୋଇଯାଇଛି । ପରିବାର ଲୋକେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ଖାଇବାପାଇଁ ଦାନା ପିନ୍ଧିବା ପାଇଁ କନା ମଧ୍ୟ ତାଙ୍କପାଖରେ ନାହିଁ । ଘରଭାଙ୍ଗି ତିନିଦିନ ବିତିଯାଇ ଥିବାବେଳେ ଜନପ୍ରତିନିଧି କି ସରକାରୀ ବାବୁଙ୍କ ଦେଖା ଦର୍ଶନ ନଥିବା ପରିବାର ଅଭିଯୋଗ କରିଛି ।


ଅଧିକ ପଢନ୍ତୁ: Etv Bharat Ground Report: ଖୋର୍ଦ୍ଧାରେ ବନ୍ୟା ସ୍ଥିତି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ହିରିମୂଳ

କଇଁରା କୈବର୍ତ୍ତ କହିଛନ୍ତି, ‘‘ତିନି ଦିନ ହେବ ଘର ଭାଙ୍ଗି ପଡିଛି । ମୋ ସ୍ତ୍ରୀ ମନଦେଇ ଓ ଅବିବାହିତା ଝିଅ ଯମୁନାକୁ ନେଇ ମୁଁ ପର ଘରେ ଆଶ୍ରୟ ନେଇଛି । ତିନି ପ୍ରାଣୀଙ୍କ ଭରଣ ପୋଷଣ ପାଇଁ ନିଜ କୌଳିକ ବୃତ୍ତିକୁ ଆପଣେଇ ନଦୀ, ନାଳ, ପୋଖରୀରେ ମାଛଧରୀ ବିକ୍ରି କରି ଚଳେ । ପରିବାର ପ୍ରତିପୋଷଣ କରିବା ମୋ ପକ୍ଷେ କଷ୍ଟକର ବ୍ୟାପାର ହୋଇଥିବା ବେଳେ ଘର ଖଣ୍ଡେ ତୋଳିବା ସମ୍ଭବ ପର ନୁହେଁ । ତେଣୁ ସରପଞ୍ଚ ଓ ସରକାରୀ ବାବୁଙ୍କୁ ଆବାସ ଯୋଜନା ପାଇଁ କହିକହି ଥକି ଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ।’’

ସେପଟେ ଖ଼ଡିଆଳ ବିଡିଓ ବିରସେନ ବେହେରା କହିଛନ୍ତି, ‘‘ବନ୍ୟା ଏବଂ ବର୍ଷା ପ୍ରଭାବିତ ଲୋକଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ । ସୁରକ୍ଷା ସହାୟତା ଯୋଗାଇଦେବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକଟି ଗ୍ରାମର କ୍ଷୟକ୍ଷତି ରୋପର୍ଟ ପ୍ରଦାନ କରିବାକୁ ସରପଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ ।’’

ଇଟଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.